‘କେ-ଟୁ’ ରେ କୋଟି କୋଟି ଟଙ୍କା ଘୋଟାଲା

ଦୁର୍ନୀତିରେ ଜୁଡୁବୁଡ଼ୁ ଜାରକା ଜଳସମ୍ପଦ ଡିଭିଜନ୍

ଯାଜପୁରରୋଡ: ଦୁର୍ନୀତିରେ ଜୁଡ଼ୁବୁଡ଼ୁ ଜାରକା ଜଳସମ୍ପଦ ଡିଭିଜନ୍। କେନାଲ ସଫେଇ, ମରାମତି ଓ ପୁନରୁଦ୍ଧାର, ବନ୍ୟା ପାଇଁ ଆଗୁଆ ପଦକ୍ଷେପ ଆଳରେ କୋଟି କୋଟି ଟଙ୍କା ଘୋଟାଲା ହୋଇଛି। ଏମିିତିକା ସାଂଘାତିକ ତଥ୍ୟ ଏବେ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ପଡ଼ିଛି। ଏହାକୁ ‌େନଇ ସଂପୃକ୍ତ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। ବନ୍ୟା ପ୍ରବଣ ଯାଜପୁର ଜିଲ୍ଲାର ବନ୍ଧବାଡ଼, କେନାଲ ମରାମତିରେ ସରକାର ହାତ ଖୋଲା ଖର୍ଚ୍ଚ କରି ଚାଲିଛନ୍ତି। ଚାଷୀ ଓ ଚାଷର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ ହେଉଛି। କେବଳ ଗ୍ରାମ୍ୟ ଉନ୍ନୟନ(ଆରଡ଼ି), ପୂର୍ତ୍ତ ବିଭାଗ(ଆରଆଣ୍ଡବି)ରେ ଗୁପ୍ତ ଟେଣ୍ଡର ଏଫ୍-ଟୁ ଓ ପି- ୱାନ୍‌ କେଳେଙ୍କାରୀ ହେଉ ନାହିଁ, ଏହାର ଚେର ଜଳସମ୍ପଦ ବିଭାଗକୁ ମଧ୍ୟ ଲମ୍ବିଛି। ସରକାରଙ୍କ ସବୁ ନୀତିନିୟମକୁ ମୋଡ଼ିମକଚି ବିଭାଗୀୟ ଅଧିକାରୀମାନେ ନିର୍ଦ୍ଦିଷ୍ଟ କେତେକ ଠିକାଦାରଙ୍କ ଜରିଆରେ ଶହଶହ ପି-ୱାନ,ଏଫ୍-ଟୁ ସହିତ କେ-ଟୁ କାମ କରି କୋଟି କୋଟି ଟଙ୍କା ଘୋଟଲା କରିଛନ୍ତି। ଜାରକା ଡ଼ିଭିଜନ୍‌ ଅନ୍ତର୍ଗତ ୩ଟି ସବଡ଼ିଭିଜନ୍‌ରେ ୨୦୧୪ ମସିହାରୁ ଗତ ଆର୍ଥିକ ବର୍ଷ (୨୦୧୭-୧୮) ମଧ୍ୟରେ ୪୭୪ଟି ‌େକ-ଟୁ ଜରିଆରେ ୨କୋଟି ୯୪ଲକ୍ଷ ୬୭ହଜାର ୬୩ଟଙ୍କା ଖର୍ଚ୍ଚ ହୋଇଥିବା କାଗଜପତ୍ରରେ ଦର୍ଶାଯାଇଛି। କେବଳ ଚଣ୍ଡିଖୋଲ ସବଡିଭିଜନ୍ ଅଧୀନରେ ୧୬୮ କେ-ଟୁ ଜରିଆରେ ୨କୋଟି ୩୩ ଲକ୍ଷ ୩ହଜାର ୬୫୬ଟଙ୍କା ପାଣି ପଞ୍ଚାୟତ ନାମରେ ଖର୍ଚ୍ଚ ହୋଇଛି। ଏଥିରେ କେନାଲ ସଫେଇ ଓ ମରାପତି ଦର୍ଶାଯାଇଛି।‌ ସେହିପରି ଜାରକା ସବଡିଭିଜନ‌େର ଏହି ସମୟ ମଧ୍ୟରେ ୯୪ଟି କେ-ଟୁ ଜରିଆରେ ୪୦ ଲକ୍ଷ ୬୪ ହଜାର ୮୫୧ ଟଙ୍କା ବ୍ୟୟ କରଯାଇଛି। ବରୀ ସବଡିଭିଜନରେ ୨୧୨ କେ-ଟୁ ଜରିଆରେ ୨୦ ଲକ୍ଷ ୯୮ହଜାର ୫୫୬ ଟଙ୍କ ଖର୍ଚ୍ଚ ହୋଇଥିବାର କାଗଜପତ୍ର କରାଯାଇଛି। ସରକାରଙ୍କ ନୀତିନିୟମକୁ ଉଲ୍ଲଙ୍ଘନ କରି ନିର୍ଦ୍ଧିଷ୍ଟ ଆର୍ଥିକ ବର୍ଷରେ ଗୋଟିଏ ଗୋଟିଏ କେନାଲ ପାଇଁ ଗୋଟିଏ ଗୋଟିଏ ପାଣି ପଞ୍ଚାୟତକୁ କେ-ଟୁ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ସାଧରଣ କେ-ଟୁ ରେ ୧୦ ହଜାର ଟଙ୍କାର କାମ ସୀମିତ ରହୁଥିବା ବେଳେ ଗୋଟିଏ ପାଣି ପଞ୍ଚାୟତ ପାଇଁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ଟେଣ୍ଡରରେ ଅନୁଦାନ ଯୋଗାଇ ଦେଇ ପାରିବେ ବୋଲି ନିୟମ ରହିଛି। ମାତ୍ର କେତେକ ପାଣି ପଞ୍ଚାୟତ ସହିତ ଅଧିକାରୀମାନେ ସଲାସୁତୁରା କରି ନିର୍ଦ୍ଧିଷ୍ଟ କେନାଲରେ ଗୋଟିଏ ଆର୍ଥିକ ବର୍ଷରେ ଗୋଟିଏ ଗୋଟିଏ ପାଣି ପଞ୍ଚାୟତକୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ବିନା ଟେଣ୍ଡରରେ ଯୋଗାଇ ଦେଇଛନ୍ତି। କେଉଁ ପରିସ୍ଥିତିରେ ଓ କ’ଣ ପାଇଁ ନିର୍ଦ୍ଦିଷ୍ଟ ପାଣି ପଞ୍ଚାୟତକୁ ଗୋଟିଏ ଆର୍ଥିକ ବର୍ଷରେ ସରକାରୀ ନିୟମ ଭାଙ୍ଗି ଏତେ ଟଙ୍କା ଯୋଗାଇ ଦିଆଯାଇଛି, ତାହା ତଦନ୍ତ ସାପେକ୍ଷ।

କେନାଲ ସଫେଇ, ପୁନରୁଦ୍ଧାର, ବନ୍ୟା ପାଇଁ ଆଗୁଆ ପ‌ଦକ୍ଷେପ ଭେଳିକି

ବିଶେ‌ଷ କରି କେବଳ କେନାଲ ସଫେଇ ନାମରେ କୋଟି କୋଟି ଟଙ୍କା ହରିଲୁଟ୍ ହୋଇଛି। ଦେଖିବାକୁ ଗଲେ ଗତ ୫ ବର୍ଷ ମଧ୍ୟରେ ମା’ ବ୍ରାହ୍ମଣୀ ଦେବୀ ପାଣି ପଞ୍ଚାୟତ ନାମରେ ୨୫ଲକ୍ଷ ୮୫ହଜାର ୬୭୩ଟଙ୍କା, ମା ଅ‌ମରେଶ୍ବର ପାଣି ପଞ୍ଚାୟତ ୨୨ଲକ୍ଷ ୫୧ହଜାର ୫୪୧ଟଙ୍କା ଓ ରଘୁନାଥଜୀଉ ପାଣି ପଞ୍ଚାୟତ ନାମରେ ୨୩ଲକ୍ଷ ୩୯ହଜାର ୫୮୪ଟଙ୍କା ସମେତ ଏକାଧିକ ପାଣି ପଞ୍ଚାୟତ ନାମରେ କେନାଲ ସଫେଇ ଓ ମରାମତି ବାବଦରେ ବ୍ୟାପକ ସରକାରୀ ଅନୁଦାନ ଖର୍ଚ୍ଚ କରାଯାଇଛି। ବିନା ଟେଣ୍ଡରରେ କେତେକ ପାଣି ପଞ୍ଚାୟତ ଜରିଆରେ ଜଳସମ୍ପଦ ବିଭାଗର ଅଧିକାରୀ ଲକ୍ଷଲକ୍ଷ ଟଙ୍କା ଘୋଟାଲା କରିଛନ୍ତି। ବନ୍ୟା ପାଇଁ ଆଗୁଆ ପଦକ୍ଷେପ ସ୍ବରୂପ ଏହି ଡିଭିିଜନରେ କେ-ଟୁ ଜରିଆରେ ନିର୍ଦ୍ଦିଷ୍ଟ ଠିକାଦାରଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଇଛି। ଚାଷୀ ଓ ଚାଷର ବିକାଶ ବଦଳରେ ଠିକାଦାର ଏବଂ ବିଭାଗୀୟ ଅଧିକାରୀ ନିଜର ବିକାଶ କରିଛନ୍ତି। ଏ ସଂପର୍କରେ ଅଧିକ ତଦନ୍ତ ହେଲେ ଅନେକ ଗୁମର ପଦାକୁ ଆସିବ ବୋଲି ମତପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର