କରୋନା ଓ ମାଳିକା-୧ : ବେଶିଦିନ ରହିବ ନାହିଁ ଏ ବିପଦ!

ଭୁବନେଶ୍ବର : କରୋନା ମହାମାରୀ ସମଗ୍ର ବିଶ୍ବବାସୀଙ୍କୁ ଆତଙ୍କିତ କରିଥିବା ବେଳେ ଏବେ ମାଳିକା ବଚନକୁ ନେଇ ଚର୍ଚ୍ଚା ଜୋର ଧରିଛି। ବାସ୍ତବରେ ମାଳିକାର କିଛି ପଙ୍କ୍ତି ହିଁ ଅନେକଙ୍କୁ ଭାବିବାକୁ ବାଧ୍ୟ କରିଛି। କେହିକେହି ମାଳିକାର କିଛି ପଙ୍କ୍ତିକୁ ଉଦ୍ଧାର କରି କରୋନା ସହ ଯୋଡ଼ିଛନ୍ତି। କରୋନାକୁ ନେଇ ବିଶ୍ବବାସୀ ଭୟଭୀତ ହୋଇପଡ଼ିଥିବା ବେଳେ ଭବିଷ୍ୟ ବକ୍ତା ମହାଯୋଗୀ ଅଚ୍ୟୁତାନନ୍ଦ ‘କଳିକଳୁଷ ମାଳିକା’‌ରେ ଉଲ୍ଲେଖ କରିଥିବା ପଙ୍କ୍ତି ‘ବିଂଶୁ ଉଣା ଏକ ଦି’କୋଡ଼ିକୁ ଦେଖ, ବ୍ରହ୍ମସଂଖ୍ୟା ମିଶୁ ତହିଁ, ଏକାଳେ ଜାଣିବୁ ଅକାଳ ମଡ଼କ, ଆସିକି ରହିବ ନାହିଁ’ ନିଶ୍ଚେ ଆପଣଙ୍କୁ କିଛିଟା ଆଶ୍ବସ୍ତ କରିବ।

ବାଗ୍ମୀ ତଥା ଲେଖକ ଶରଣାରବିନ୍ଦ ଓଝା ଏହି ପଙ୍କ୍ତି ପଛରେ ଥିବା ଗଣିତକୁ ନେଇ ଯେଉଁ ତଥ୍ୟ ରଖିଛନ୍ତି ତାହା ଆପଣଙ୍କ ମନରେ ହୁଏତ ବିଶ୍ବାସ ଜାଗ୍ରତ କରିବ ଏବଂ କରୋନା ମୁକାବିଲା‌ ପାଇଁ ସାହସ ଦେବ। ଶ୍ରୀ ଓଝାଙ୍କ କହିବା ମୁତାବକ, ଏହି ପଙ୍କ୍ତି ପଢ଼ିବା ପରେ ହୁଏତ ଅନେକେ ଭାବୁଥିବେ ମହାପୁରୁଷ କହିଥିବା ‘ଅକାଳ ମଡ଼କ’ଟା କରୋନା କାହିଁକି ହେବ? ଏଠି ତ ସେମିତି କିଛି ଶବ୍ଦ ନାହିଁ? ମାତ୍ର ଶବ୍ଦ ସିନା ନାହିଁ, କିନ୍ତୁ କାଳ ଅଛି। ସେ ଉଭୟ ଗାଣିତିକ ଓ ଆଧ୍ୟାତ୍ମିକ ପ୍ରତିଭାର ବିନିଯୋଗ ପୂର୍ବକ କହିଛନ୍ତି, ବିଂଶୁ ଉଣା ଏକ ଅର୍ଥ ୨୦ରୁ ଏକ ଉଣା, ଅର୍ଥାତ ୧୯। ଆଉ ଏକ ଶବ୍ଦ ହେଉଛି ଦି’କୋଡ଼ି। ଦି’କୋଡ଼ି ଅର୍ଥ କୋଡ଼ିଏର ଦୁଇଗୁଣା ଅର୍ଥାତ ୪୦। ଏହି ୪୦ରେ ବ୍ରହ୍ମସଂଖ୍ୟା (୧) ମିଶାଇବା କଥା କୁହାଯାଇଥିବାରୁ ଏହା ହେଲା ୪୧। ଅତଏବ ସମୁଦାୟ ସଂଖ୍ୟା ହେଉଛି ୧୯୪୧। ଆପଣ ଭାବୁଥିବେ ମହାପୁରୁଷ ତ ୧୯୪୧ର କଥା କହିଛନ୍ତି ଏବଂ ୧୯୪୧ ମସିହାରେ ସେମିତି କିଛି ହୋଇ ବି ନାହିଁ। ତେଣୁ ୨୦୨୦ ମସିହା ସହ ତା’ର ସମ୍ପର୍କ କ’ଣ? ଆପଣ ହୁଏତ ମହାପୁରୁଷଙ୍କୁ ମିଛ ବୋଲି ବି ଭାବି ପାରନ୍ତି। ମାତ୍ର ବାସ୍ତବ କଥା ହେଉଛି ମହାପୁରୁଷ ଏଠାରେ ‘ଶକାବ୍ଦ’ର କଥା କହିଛନ୍ତି। ୧୯୪୧ ଶକାବ୍ଦ ହିଁ ଇଂରାଜୀ ବର୍ଷ ୨୦୨୦ ମସିହା। ‌ଘରେ ଝୁଲୁଥିବା କ୍ୟାଲେଣ୍ଡର ଦେଖିଲେ ହିଁ ଏହି ଦ୍ବନ୍ଦ୍ବ ବା ଶଙ୍କା ଲୋକଙ୍କ ମନରୁ ଦୂର ହୋଇପାରିବ ବୋଲି ସେ କହିଛନ୍ତି। ସେ ଏକଥା ବି କହିଛନ୍ତି, ଯଦି ମସିହା ସତ୍ୟ, ତେବେ ମଡ଼କ ବି ସତ୍ୟ। ତେଣୁ କରୋନା ରୂପରେ ଆସିଥିବା ଏହି ମଡ଼କ (ବିପଦ) ମଧ୍ୟ ବେଶିଦିନ ନ ରହି ବାହୁଡ଼ିଯିବା କଥା ମଧ୍ୟ ସତ୍ୟ ବୋଲି ଶ୍ରୀ ଓଝା କହିଛନ୍ତି।

ସମ୍ବନ୍ଧିତ ଖବର