ରାପିଡ୍‌ ଟେଷ୍ଟିଂ କିଟ୍‌ରେ କରୋନା ନମୁନା ପରୀକ୍ଷା ହେଲେ କ୍ୱାରେଣ୍ଟିନ୍‌ରେ ଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇବ: ଡିଏମ୍‌ଇଟି

ଭୁବନେଶ୍ୱର: ରାଜ୍ୟରେ ରାପିଡ୍‌ ଟେଷ୍ଟିଂ କିଟ୍‌ ବା (ଆରଟିପିସିଆର) ଦ୍ୱାରା କରୋନା ସନ୍ଦିଗ୍ଧମାନଙ୍କର ନମୁନାକୁ ପରୀକ୍ଷା କରାଗଲେ ଏହାର ସୁଦୂର ପ୍ରସାରୀ ପ୍ରଭାବ ପଡ଼ିବ। ଖାଲି ଏତିକି ନୁହେଁ, ଏହା ଦ୍ୱାରା ଉଭୟ ରାଜ୍ୟବାସୀ ଓ ସରକାର ମଧ୍ୟ ବହୁ ଭାବେ ଉପକୃତ ହୋଇପାରିବେ। ସବୁଠାରୁ ବଡ଼ କଥା ହେଲା ଏହି ପରୀକ୍ଷା କାର୍ଯ୍ୟକାରୀ ହେଲେ କରୋନା ସନ୍ଦିଗ୍ଧମାନଙ୍କୁ ଆଶା ଆଶଙ୍କାର ଦୋଛକିରେ ମାନସିକ ଦୁଶ୍ଚିନ୍ତା ଓ ଅଶାନ୍ତି ମଧ୍ୟରେ କ୍ୱାରେଣ୍ଟିନ୍‌ ବା ସଙ୍ଗରୋଧରେ ଦୀର୍ଘ ୧୪ ଦିନର ନିର୍ବାସନ ଜୀବନ ବିତାଇବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ରାଜ୍ୟ ଡିଏମଇଟି ଡାକ୍ତର ସିବିକେ ମହାନ୍ତି।

ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଆଜି ଅପରାହ୍ଣରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସମ୍ମଳନୀରେ ଏ ସଂପର୍କରେ ସୂଚନା ଦେଇ ଡିଏମ୍‌ଇଟି ଡାକ୍ତର ମହାନ୍ତି କହିଛନ୍ତି ଯେ ଏବେ ହଜାର ହଜାର ସଂଖ୍ୟାରେ କରୋନା ସନ୍ଦଗ୍ଧମାନେ କ୍ୱାରେଣ୍ଟିନ୍‌ ବା ସଙ୍ଗରୋଧରେ ରହି ନାନା ପ୍ରକାରର ଦୁଃଶ୍ଚିନ୍ତା ଓ ଅଶାନ୍ତି ମଧ୍ୟରେ ଦୀର୍ଘ ୧୪ ଦିନର ନିର୍ବାସନ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ସଙ୍ଗରୋଧରେ ଥିବା କିଛି ବ୍ୟକ୍ତି ମାନସିକ ଦୁଶ୍ଚିନ୍ତାରେ ରହି ଦେଶର ଅନ୍ୟତ୍ର ଆତ୍ମହତ୍ୟା କରିଥିବାର ନଜିର ମଧ୍ୟ ରହିଛି। କିନ୍ତୁ, ରାଜ୍ୟ ସରକାର ଏବେ ରାପିଡ୍‌ ଟେଷ୍ଟିଂ କିଟ୍‌ (ଆରଟିପିସିଆର) ଦ୍ୱାରା କରୋନା ସନ୍ଦିଗ୍ଧମାନଙ୍କର ନମୁନାକୁ ପରୀକ୍ଷା କରିବା ଆରମ୍ଭ କଲେ ଏଥିରୁ ସେମାନଙ୍କୁ ମୁକ୍ତି ମିଳିବ। ସେମାନେ କରୋନା ଆକ୍ରାନ୍ତ କି ନାହିଁ ତାହା ସଙ୍ଗେ ସଙ୍ଗେ ଜଣାପଡ଼ିଯିବ। ଯଦି ଆକ୍ରାନ୍ତ ଥିବେ ତ ଚିକିତ୍ସିତ ହେବେ ଯଦି ଆକ୍ରାନ୍ତ ନଥିବେ ତେବେ ସିଧା ନିଜ ପରିବାରକୁ ଫେରିଯିବେ।

ସରକାରଙ୍କୁ ମଧ୍ୟ କ୍ୱରେଣ୍ଟିନ୍‌ ବା ସଙ୍ଗରୋଧ ଶିବିର ଚଳାଇବାକୁ ପଡ଼ିବ ନାହିଁ। ବର୍ତ୍ତମାନ ରାଜ୍ୟର ୨୦୬୨ଟି ଶିବିରରେ ୭୦, ୦୦୦ରୁ ଅଧିକ ଲୋକ ରହିଛନ୍ତି। ଏହି ପରୀକ୍ଷା କାର୍ଯ୍ୟକାରୀ କରାଗଲେ ସେମନଙ୍କୁ ତୁରନ୍ତ ପରୀକ୍ଷା କରାଯାଇ ନେଗେଟିଭ୍‌ ରିପୋର୍ଟ ଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇ ପାରିବ। ପୁଣି ଅଯଥା ଟାରେ ମଧ୍ୟ ଏତେ ସଂଖ୍ୟକ ପରୀକ୍ଷା କରିବାକୁ ପଡ଼ିବନାହିଁ। ଗତ ମାର୍ଚ୍ଚ ୧୬ ତାରିଖ ଠାରୁ ରାଜ୍ୟରେ କରୋନା ନମୁନା ପରୀକ୍ଷା ଆରମ୍ଭ କରା ଯାଇଥିବା ବେଳେ ଆଜି ସୁଦ୍ଧା ୩୨୪୯ଟି ନମୁନାକୁ ପରୀକ୍ଷା କରାଯାଇଛି। ଏଥି ମଧ୍ୟରୁ ମାତ୍ର ୪୮ଟି ନମୁନା ପଜିଟିଭ୍‌ ଆସିଥିବା ବେଳେ ବାକି ସବୁ ନମୁନା ନେଗେଟିଭ୍‌ ଆସିଛି।

ଏପରିପ୍ରେକ୍ଷୀରେ କରୋନା ନମୁନା ପରୀକ୍ଷା ସମୟ ସାପେକ୍ଷ ଓ ବ୍ୟୟ ବହୁଳ ହୋଇଥିବା ବେଳେ ଏବେ ରାପିଡ୍‌ ଟେଷ୍ଟିଂ କିଟ୍‌ (ଆରଟିପିସିଆର) ଦ୍ୱାରା କରୋନା ସନ୍ଦିଗ୍ଧମାନଙ୍କର ନମୁନାକୁ ପରୀକ୍ଷା କରାଗଲେ କେବଳ ପଜିଟିଭ୍‌ ରିପୋର୍ଟ ଆସୁଥିବା ବ୍ୟକ୍ତିଙ୍କ ନମୁନା ଅଧିକ ପରୀକ୍ଷା ପାଇଁ ପଠାଯିବ ଏବଂ ନେଗେଟିଭ ରିପୋର୍ଟ ଆସୁଥିବା ବ୍ୟକ୍ତି ବା ସନ୍ଦିଗ୍ଧମାନଙ୍କୁ ସେମାନଙ୍କ ପରିବାରକୁ ଫେରି ଯିବାକୁ ହେବ ବୋଲି କହିଛନ୍ତି ଡିଏମ୍‌ଇଟି ଡାକ୍ତର ମହାନ୍ତି।

ସମ୍ବନ୍ଧିତ ଖବର