ପରିବେଶ ପର୍ଯ୍ୟଟନକୁ କରୋନା ମାଡ଼, ହାତ ବାନ୍ଧି ବସିଛନ୍ତି ୬୫୦ ଇଟିଜି

ବୁକିଂ ବାତିଲ, ଟଙ୍କା ଫେରସ୍ତ ହେବ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍‌ଡାଉନ୍ କରାଯାଇଛି। ଆଗକୁ ଅବସ୍ଥା ସୁଧୁରିବ କି ନାହିଁ ସେନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରୁନି। ଏଭଳି ସମୟରେ ରାଜ୍ୟର ପରିବେଶ ପର୍ଯ୍ୟଟନ ପ୍ରଭାବିତ ହୋଇଛି। ପର୍ଯ୍ୟଟକ ତ କମିଛନ୍ତି, ତେବେ ଏହା ଉପରେ ନିର୍ଭର କରୁଥିବା ଶହ ଶହ ଆଦିବାସୀ ଏବେ ଜୀବିକା ହରାଇଛନ୍ତି।

ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପରିବେଶ ପର୍ଯ୍ୟଟନକୁ ୫୩ ହଜାର ୨୦ ଜଣ ପର୍ଯ୍ୟଟକ ଆସିଛନ୍ତି। ୨୦୧୬-୧୭ ଆର୍ଥିକ ବର୍ଷରେ ୧୧ ହଜାର ୩୫୯ ପର୍ଯ୍ୟଟକ ଆସିଥିବାବେଳେ ୨୦୧୮ରେ ୧୭ ହଜାର ୬୧ ଜଣ ଓ ୨୦୧୯ରେ ୨୪ ହଜାର ୬୦୦ ପର୍ଯ୍ୟଟକ ଆସିଥିଲେ। ରାଜ୍ୟର ଯେଉଁ କେତୋଟି ପର୍ଯ୍ୟଟନ ସ୍ଥଳକୁ ସର୍ବାଧିକ ପର୍ଯ୍ୟଟକ ଆସିଥାନ୍ତି ତା’ ଭିତରେ ଶିମିଳିପାଳ, ସାତକୋଶିଆ ସ୍ୟାଣ୍ଡ ରିସର୍ଟ, ଭିତରକନିକା, ସାତକୋଶିଆ ନେଚର କ୍ୟାମ୍ପ, ହୀରାକୁଦ, ଦାରିଙ୍ଗବାଡ଼ି ନେଚର କ୍ୟାମ୍ପ୍ ଆଦି ଅନ୍ୟତମ। ୨୦୧୭ରେ କେବଳ ଶିମିଳିପାଳକୁ ୨୯୩୨ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୮ରେ ୩୪୮୧, ୨୦୧୯ରେ ୫୦୫୬ ଆସିଥିଲେ। ୨୦୨୦ ଜାନୁଆରିରେ କିଛି ପର୍ଯ୍ୟଟକ ଆସିଥିବା ବେଳେ ଗତ ଦୁଇ ମାସ ହେଲା ପର୍ଯ୍ୟଟକଙ୍କ ଦେଖାନାହିଁ।

ସେହିପରି ସାତକୋଶିଆ ସ୍ୟାଣ୍ଡ ରିସର୍ଟକୁ ୨୦୧୭ରେ ୧୩୫୨, ୨୦୧୮ରେ ୨୭୦୨ ଓ ୨୦୧୯ରେ ୪୪୪୯ ପର୍ଯ୍ୟଟକ ଆସିଥିଲେ। ଭିତରକନିକାକୁ ୨୦୧୭ରେ ୩୪୦୧ ଜଣ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୮ରେ ୩୭୦୩ ଓ ୨୦୧୯ରେ ୪୧୬୧ ଜଣ ପର୍ଯ୍ୟଟକ ଆସିଥିଲେ। ସେହିପରି ୨୦୧୭ରେ ସାତକୋଶିଆ ନେଚର କ୍ୟାମ୍ପକୁ ୧୮୯୯ ଜଣ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୮ରେ ୨୮୩୬କୁ ବୃଦ୍ଧି ପାଇଥିଲା। ୨୦୧୯ରେ ୨୯୦୧ରେ ପହଞ୍ଚିଥିଲା। ହୀରାକୁଦକୁ ୨୦୧୭ରେ ୭୬୧ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୮ରେ ୯୪୩ ଓ ୨୦୧୯ରେ ୧୬୩୯ ଜଣ ଆସିଥିଲେ। ୨୦୧୯ରେ ପରିବେଶ ପର୍ଯ୍ୟଟନରୁ ଜଙ୍ଗଲ ବିଭାଗ ୭ କୋଟି ୫ ଲକ୍ଷ ୫୨ ହଜାର ୪୯ ଟଙ୍କା ପାଇଥିଲା। ତେବେ ୨୦୨୦ ଫେବ୍ରୁଆରି ୨୯ ସୁଦ୍ଧା ବିଭାଗ ୧ କୋଟି ୫ ଲକ୍ଷ ୬୬ ହଜାର ୫୬୪ ଟଙ୍କା ପାଇଥିବା ଜଣାପଡିଛି। ଆସନ୍ତା ଦୁଇମାସ ଯାଏ ବିଭାଗକୁ ଆଉ ଟଙ୍କାଟିଏ ବି ରାଜସ୍ୱ ମିଳିବ ନାହିଁ।
ଭିତରକନିକା ଜାତୀୟ ଉଦ୍ୟାନ ମେ’ ମାସରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେବାକୁ ଥିବାବେଳେ ଶିମିଳିପାଳ ଜୁନ ମାସରୁ ବନ୍ଦ ରହିବ। ଯାହାକି ନଭେମ୍ବର ମାସରେ ଖୋଲିବ। ଆସନ୍ତା ନଭେମ୍ବର ଯାଏ ବିଭାଗ ଏ ଦୁଇ ସ୍ଥାନରୁ ଗୋଟିଏ ବି ଟଙ୍କା ପାଇବ ନାହିଁ। ପର୍ଯ୍ୟଟକଙ୍କ ଏହି ସଂଖ୍ୟାକୁ ବିଚାରକୁ ନେଲେ ସ୍ପଷ୍ଟ ଜଣାଯାଉଛି ଯେ ଚଳିତ ବର୍ଷ କରୋନା ନିଶ୍ଚିତ ଭାବେ ପରିବେଶ ପର୍ଯ୍ୟଟନକୁ ପ୍ରଭାବିତ କରିବ। ମାର୍ଚ୍ଚ ୩୧ ତଥା ଆଜି ପର୍ଯ୍ୟନ୍ତ ରାଜ୍ୟର ସବୁ ପରିବେଶ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଅନ୍ ଲାଇନ୍ ବୁକିଂ ବନ୍ଦ କରାଯାଇଛି। ଏପ୍ରିଲ ୧୪ ଯାଏ ପରିବେଶ ପର୍ଯ୍ୟଟନ ସ୍ଥଳୀରେ କେହି ରହିବେନି ବୋଲି ମଧ୍ୟ ନୋଟିସ ଜାରି ହୋଇଛି। ଯେଉଁ ପର୍ଯ୍ୟଟକ ଆଗୁଆ ବୁକିଂ କରିଥିଲେ, ସେମାନଙ୍କୁ ଟଙ୍କା ଫେରାଇ ଦେବାକୁ ମଧ୍ୟ ବିଭାଗ ପ୍ରତିଶ୍ରୁତି ଦେଇଛି। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ସରକାରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରାଯାଉଥିଲେ ମଧ୍ୟ ପରିବେଶ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ କାମ କରୁଥିବା ପ୍ରାୟ ୬୫୦ ଇଟିଜି (ଇକୋ ଟୁରିଜିମ୍ ଗ୍ରୁପ) ଏବେ ହାତ ବାନ୍ଧି ବସିଛନ୍ତି। ପର୍ଯ୍ୟଟକଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଏମାନେ ଯେଉଁ ଟଙ୍କା ପାଉଥିଲେ ସେଥିରେ ପରିବେଶ ପର୍ଯ୍ୟଟନ ସ୍ଥଳୀଗୁଡିକର ଭିତ୍ତିଭୂମି ବିକାଶ କରାଯିବା ସହ ସେମାନଙ୍କୁ ଦରମା ମିଳୁଥିଲା। ହେଲେ ଏବେ ନା ସେମାନଙ୍କ ପାଖରେ କାମ ଅଛି ନା କୌଣସି ସରକାରୀ ସହାୟତା ଦେବାକୁ ସରକାର ଚିନ୍ତା କରିଛନ୍ତି।

ସମ୍ବନ୍ଧିତ ଖବର