କରୋନା : ଗାଁ ହେଉଛି ସଚେତନ, ସହରରେ ନାହିଁ

ବ୍ରହ୍ମପୁର, (ପ୍ରଦୀପ କିଶୋର ସାହୁ): କରୋନା ଭୂତାଣୁ କବଳରେ ସମଗ୍ର ବିଶ୍ବ। ଏହାକୁ ନେଇ ଚିନ୍ତା ବଢିଛି। ରାଜ୍ୟ ଓ କେନ୍ଦ୍ର ସରକାର ଲକ୍‌ ଡାଉନ୍ ଘୋଷଣା କରିଛନ୍ତି। ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ଲାଗି ଜନସାଧାରଣଙ୍କୁ ସଚେତନ କରାଯାଉଛି। ବାହାରକୁ ନ ବାହାରିବା ଲାଗି ବାରମ୍ବାର ପରାମର୍ଶ ଦିଆଯାଉଛି। ସ୍ଥିତି ଅନୁଧ୍ୟାନ କଲେ ଗଞ୍ଜାମ ଜିଲ୍ଲାର ସହର ତୁଳନା ଗ୍ରାମାଞ୍ଚଳ ଲୋକେ ଅଧିକ ସଚେତନ ଥିବା ନଜରକୁ ଆସିଛି।

ରାଜ୍ୟର ଅନ୍ୟତମ ପ୍ରମୁଖ ଜିଲ୍ଲା ଗଞ୍ଜାମ। ଏହି ଜିଲ୍ଲାରେ ରହିଛି ରାଜ୍ୟ ସର୍ବାଧିକ ୧୮ଟି ସହରାଞ୍ଚଳ ଓ ୫୦୩ ପଞ୍ଚାୟତରେ ୬ ହଜାରରୁ ଉର୍ଦ୍ଧ୍ବ ଗ୍ରାମ। ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ପ୍ରାଣକେନ୍ଦ୍ର ତଥା ଜିଲ୍ଲାର ପ୍ରମୁଖ ସହର ବ୍ରହ୍ମପୁର। ସହରର ଲୋକସଂଖ୍ୟା ପ୍ରାୟ ୬ଲକ୍ଷ। ସାକ୍ଷାରତା ହାର ୯୦.୪ ପ୍ରତିଶତ। ସହରର ସ୍ଥିତି ପରଖିଲେ ସହରବାସୀ ସାମାଜିକ ଦୂରତ୍ବ ଅବଲମ୍ବନ କଲାଭଳି ମନେ ହେଉନାହିଁ। ଲୋକେ ବାହାରେ ବୁଲୁଥିବା ଲକ୍ଷ୍ୟ କରାଯାଉଛି। ପୁଲିସ ଓ ପ୍ରଶାସନର ବାରମ୍ବାର ତାଗିଦ୍‌ ପରେ ବି ମାନିବାକୁ ନାରାଜ୍‌। ବ୍ରହ୍ମପୁର ସହର ଗେଟ୍‌ବଜାର ପରିବା ଓ ମାଛ ମାର୍କେଟ, ବଡ଼ବଜାର ପରିବା ମାର୍କେଟ, ମର୍ଦ୍ଦରାଜ ଭେଣ୍ଡିଂଜୋନ୍‌ ସ୍ଥିତି ଦେଖିଲେ ସହରବାସୀ କରୋନାକୁ ନେଇ କେତେ ଖାମଖିଆଲି ମନୋଭାବ ପୋଷଣ କରୁଛନ୍ତି ତାହା ସ୍ପଷ୍ଟ ଜଣାପଡ଼ୁଛି। କେବଳ ବ୍ରହ୍ମପୁର ସହର ନୁହଁ ଜିଲ୍ଲାର ସବୁ ସହରାଞ୍ଚଳରେ ସ୍ଥିତି ସମାନ। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ସହରାଞ୍ଚଳର ବିଭିନ୍ନ ଦୋକାନ ଗୁଡ଼ିକରେ ଜମୁଥିବା ଗହଳିକୁ ଲକ୍ଷ୍ୟ କରି ବର୍ତ୍ତମାନ ଦୋକାନ ସମ୍ମୁଖରେ ମୁଣ୍ଡୁଳା କାଟି ‌ସାମାଜିକ ଦ୍ବରୁତ୍ବ ରକ୍ଷା ଉପରେ ସଚେତନ କରାଉଛି। ସହରାଞ୍ଚଳ ତୁଳନାରେ ଗାଁ ଗୁଡ଼ିକରେ ସ୍ଥିତି ଭିନ୍ନ। ଜିଲ୍ଲାର ଦୁଇଟି ଗ୍ରାମକୁ ଉଦାହରଣ ଭାବେ ନିଆ ଯାଇପାରେ।

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ର ରାମେୟାପଟଣା ଗାଁ। ଗ୍ରାମର ଲୋକସଂଖ୍ୟା ୨ହଜାର। ଅଧିକାଂଶ ନିରକ୍ଷର ଓ ସାମୁଦ୍ରିକ ମତ୍ସ୍ୟଜୀବୀ। ପ୍ରତ୍ୟହ ମାଛ ମାରିଲେ ପରିବାର ଚଳେ। କିନ୍ତୁ କରୋନାକୁ ନେଇ ଏହି ଗାଁ ଅଧିକ ସଚେତନ। ରା‌ମେୟାପାଟଣା ଗ୍ରାମର ନାଇଡ଼ୁ ଟି.ରାମାରାଓ କହିଛନ୍ତି, କରେନାକୁ ନେଇ ଗତକାଲି ରାତିରେ ଆମ ଗ୍ରାମରେ ଏକ ଜରୁରୀ ବୈଠକ ବସିଥିଲା। ଗାଁର କୌଣସି ଲୋକ ଅନ୍ୟ ଗ୍ରାମକୁ ନ ଯିବାକୁ ସ୍ଥିର ହୋଇଛି। ଅନ୍ୟ କୌଣସି ଗ୍ରାମବାସୀ ଆମ ଗ୍ରାମକୁ ଆସିବେ ନାହିଁ। ଏହା ଉଲ୍ଲଂଘନ କଲେ ୧ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି କୁହାଯାଇଛି। ଗାଁ ଲୋକମାନେ ମେଳିବାନ୍ଧି ବସିପାରିବେ ନାହିଁ। କଥା ହେଲା ବେଳେ ଦୂରରେ ରହି କଥାବାର୍ତ୍ତା କରିବେ। କାଶ, ଥଣ୍ଡା ଓ ଜ୍ବର ହେଲେ ଡାକ୍ତରଙ୍କୁ ପରାମର୍ଶ କରିବାକୁ କୁହାଯାଉଛି। ଗାଁକୁ ସଫାସୁତରା ରଖିବାକୁ ଆଲୋଚନା ହୋଇଛି। କରୋନା ନ ହଟିବା ପର୍ଯ୍ୟନ୍ତ ଗାଁରେ ଆଉ କୌଣସି ମିଟିଂ ହେବ ନାହିଁ ‌ବୋଲି ସ୍ଥିର ହୋଇଛି। ନିୟମିତ ବ୍ୟବଧାନରେ ହାତ ଧୋଉଥିବା ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ଆଜକୁ ୫ଦିନ ହେଲା ଗ୍ରାମବାସୀ ଆଉ ମାଛ ଧରିବାକୁ ସମୁଦ୍ରକୁ ଯାଉ ନାହାନ୍ତି। ସମସ୍ତ ଡଙ୍ଗା କୂଳ‌ରେ ଲାଗିଛି।

ସେହିପରି ଜିଲ୍ଲାର ଆଉ ଏକ ଗ୍ରାମ ହେଲା ରଙ୍ଗେଇଲୁଣ୍ଡା ବ୍ଲକ୍‌ର ଖଜୁରିଆ ଗ୍ରାମ। ଗ୍ରାମର ଯୁବକମାନେ ଗ୍ରାମବାସୀଙ୍କୁ ସଚେତନ କରିବା ସହ ଗାଁ ମୁଣ୍ଡରେ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରିଛନ୍ତି। ଗାଁକୁ ବାହାର ଗ୍ରାମର ଲୋକ ଆସିବାକୁ ବାରଣ କରିଛନ୍ତି। ଗାଁର କୌଣସି ଲୋକ ଯଦି ଜରୁରୀ କାର୍ଯ୍ୟରେ ବାହାରକୁ ଯାଉଛନ୍ତି ତେବେ ଗାଁକୁ ଫେରିବା ବେଳେ ଗାଁ ମୁଣ୍ଡରେ ହାତଗୋଡ଼ ଧୋଇ ଗାଁକୁ ପଶିବେ। ଗାଁ ମୁଣ୍ଡରେ ଥିବା ବୋରିଂ ନିକଟରେ ଏଥିଲାଗି ହ୍ୟାଣ୍ଡ୍‌ୱାସ୍‌ ରଖାଯାଇଥିବା କହିଛନ୍ତି ଖଜୁରିଆର ଯୁବକ ସନ୍ତୋଷ ସାହୁ। ଏହି ଦୁଇ ଗ୍ରାମବାସୀଙ୍କ ପକ୍ଷରୁ ନିଆ ଯାଇଥିବା ପଦକ୍ଷେପ ଅନ୍ୟ ଗ୍ରାମମାନେ ଅନୁସରଣ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର