କରୋନା କବ୍‌ଜାରେ ପୂରା ପଶ୍ଚିମ ଓଡ଼ିଶା

ସୁବର୍ଣ୍ଣପୁରକୁ ଛୁଇଁଲା, ଦେବଗଡ଼ରେ ଦିନକରେ ୨୨, ଆକ୍ରାନ୍ତ ମଧ୍ୟରେ ଶିକ୍ଷକ, ଆଶାକର୍ମୀ ଓ ରାଜନେତା

ସୋନପୁର/ଦେବଗଡ଼/ବଲାଙ୍ଗୀର : ସମଗ୍ର ପଶ୍ଚିମ ଓଡ଼ିଶା ଏବେ କୋରାନା କବ୍‌ଜାରେ। ପୂର୍ବରୁ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲା କରୋନା କବଳିତ ହୋଇସାରିଥିବାବେଳେ ଶେଷରେ ସୁବର୍ଣ୍ଣପୁର ଜିଲ୍ଲାରେ ବି ଆଜି ପ୍ରଥମ କରି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଦେବଗଡ଼ ଜିଲ୍ଲାରେ ଆ‌ଜି ଗୋଟିଏ ଦିନରେ ୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଚିନ୍ତାର ବିଷୟ ହେଲା, ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧ କେନ୍ଦ୍ର ଦାୟିତ୍ବରେ ଥିବା ଆଶାକର୍ମୀ, ଶିକ୍ଷକ ଓ ର‌ାଜନେତା ମଧ୍ୟ ରହିଛନ୍ତି। ତେଣୁ ଏହା ଗୋଷ୍ଠୀ ସଂକ୍ରମଣର ସଂକେତ ଦେଉଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ୍‌ ଗଜବନ୍ଧ ସଙ୍ଗରୋଧ କେନ୍ଦ୍ରରେ ଗତ ୧୭ ତାରିଖରୁ ଥିବା ଜଣେ ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଏବଂ ସେ ସୁରଟ୍‌ ଫେରନ୍ତା ବୋଲି ସିଡିଏମ୍‌ଓ ଡା.ଦିଲ୍ଲୀପ ପଣ୍ତା ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କ ସହିତ ମିଳାମଶା କରିଥବା ବ୍ୟକ୍ତିଙ୍କୁ ଚିହ୍ନଟ ପକ୍ରିୟା ଆରମ୍ଭ ହୋଇଛି। ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ମଧ୍ୟ ସ୍ବାବ୍ ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ଦିଆଯାଇଛି। ମଙ୍ଗଳବାର ଆକ୍ରାନ୍ତଙ୍କୁ ସୋନପୁର କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯିବ ଏବଂ ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ କ୍ରମେ ସ୍ଥାନାନ୍ତର କରାଯିବ ବୋଲି ସିଡିଏମ୍‌ଓ ଡା. ପଣ୍ତା ସୂଚନା କହିଛନ୍ତି।

ଦେବଗଡ଼ ଜିଲ୍ଲାରେ ପୂର୍ବରୁ ୨ଜଣ କରୋନା ଆକ୍ରାନ୍ତ ଥିବାବେଳେ ଏହି ସଂଖ୍ୟା ୨୪ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରେ ତିଲେଇବଣି ବ୍ଲକ୍‌ ଅନ୍ତର୍ଗତ ସଡୋ ସରକାରୀ ସଙ୍ଗରୋଧ କେନ୍ଦ୍ର କରୋନା ଦାୟିତ୍ବରେ ଥିବା ଜଣେ ଆଶାକର୍ମୀ ଓ ଶିକ୍ଷକ ରହିଛନ୍ତି। ସେହିପରି ସଂପୃକ୍ତ ଅଂଚଳର ଜଣେ ରାଜନେତାଙ୍କ ସହିତ ଜଣେ ପ୍ରବାସୀ ମହିଳାଙ୍କ ଠାରେ ମଧ୍ୟ କରୋନା ପଜିଟିଭ୍‌ ବାହାରିଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ସଡୋ ସଙ୍ଗରୋଧ କେନ୍ଦ୍ରର ୧୧ଜଣ ଓ ରିଆମାଳ ବ୍ଲକ ଅନ୍ତର୍ଗତ ଉଟୁଣିଆ ଗ୍ରାମର ସଙ୍ଗରୋଧ କେନ୍ଦ୍ରର ୮ଜଣ ଅଛନ୍ତି। ତନ୍ମଧ୍ୟରୁ ୧୬ ଜଣ ତାମିଲନାଡ଼ୁ ଓ ୩ ଜଣ ଆନ୍ଧ୍ରପ୍ରଦେଶ ‌ଫେରନ୍ତା ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥି ସହ ଜଣେ ୪୬ ବର୍ଷୀୟା ଆଶାକର୍ମୀ, ୩୮ ବର୍ଷୀୟ ଶିକ୍ଷକ ଓ ଜଣେ ନେତା ଅଛନ୍ତି। ସେମାନଙ୍କୁ ଦେବଗଡ଼ ପଲିଟେନିକସ୍ଥିତ କୋଭିଡ-୧୯ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପ୍ରଯତ୍ନ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଚିହ୍ନଟ ହୋଇଥିବା ୧୯ ଜଣ ପ୍ରବାସୀ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରୁ କିଛି ଦିନ ତଳେ ଜିଲ୍ଲାକୁ ଫେରିଥିଲେ। ସେମାନଙ୍କୁ ସଂପୃକ୍ତ ଦୁଇଟି ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ୨୦ ତାରିଖ ଦିନ ୨୨ଜଣଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ବରକୁ ପଠାଯାଇଥିଲା। ରାଜ୍ୟସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାରେ ୨୨ଟି ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୋମବାର ସକାଳେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା। ସେହିପରି ସ‌ଡୋ ସଙ୍ଗରୋଧ କେନ୍ଦ୍ରରେ କାର୍ଯ୍ୟ କରୁଥିବା ୪୬ ବର୍ଷୀୟ ଆଶାକର୍ମୀ ଏବଂ ୩୮ ବର୍ଷୀୟ ଜଣେ ଶିକ୍ଷକ ପ୍ରବାସୀମାନଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି। ସେମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ‌ନେଇ ଜିଲ୍ଲା ପ୍ରଶାସନ ଏବଂ ସ୍ବା‌ସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଏତଦ୍‌ବ୍ୟତୀତ ତିଲେଇବଣି ବ୍ଲକ୍‌ ଅନ୍ତର୍ଗତ କଂସର ଅଂଚଳରେ ୫୪ ବର୍ଷୀୟ ରାଜନେତାଙ୍କ ପୁଅ କିଛି ଦିନ ‌ତଳେ ମହାରାଷ୍ଟରୁ ଫେରିଥିଲେ ଏବଂ ଗୃହାବଦ୍ଧରେ ଥିଲେ। ତେବେ, ତାଙ୍କ ପୁଅ ଏବଂ ପରିବାର ସଦସ୍ୟଙ୍କ ରିପୋର୍ଟ ନେଗେ‌ଟିଭ୍‌ ଆସିଥିବା ବେଳେ ସଂପୃକ୍ତ ରାଜନେତାଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ ବହୁ ‌ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ତାହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି। ତାଙ୍କର କଣ୍ଟାକ୍ଟ ଟ୍ରେସିଂଙ୍କୁ ନେଇ ମଧ୍ୟ ଜିଲ୍ଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଏହା ସହିତ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲାସ୍ଥିତ ହାଇଟେକ୍‌ କୋଭିଡ ମେଡିକାଲକୁ ସ୍ଥାନାନ୍ତରିତ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମନୋଜ ଉପାଧ୍ୟାୟ ସୂଚନା ‌ଦେଇଛନ୍ତି।

ସେହିପରି ବଲାଙ୍ଗୀର ଜିଲ୍ଲାରେ ୨୪ରେ ପହଞ୍ଚିଛି କରୋନା ପଜିଟିଭ ସଂଖ୍ୟା। ପୂର୍ବରୁ ୧୬ ଜଣ ଚିହ୍ନଟ ହୋଇଥିବା ବେଳେ ସୋମବାର ପୁଣି ୮ ଜଣଙ୍କ ପଜିଟିଭ ବାହାରିଛି। ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ, ଗୁଜୁରାଟରୁ ଫେରିଥିବା ସଇନ୍ତଳା ବ୍ଲକ୍‌ ଡେଙ୍ଗ ପଂଚାୟତର ଜଣେ, ମୁମ୍ବାଇ ଫେରନ୍ତା ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ପଂଚାୟତର ଦୁଇଜଣ, ବିରିପାଲି ପଂଚାୟତର ଜଣେ, ରାୟପୁରରୁ ଫେରିଥିବା ତଲିଉଡ଼ାର ପଂଚାୟତର ଜଣଙ୍କ ପଜିଟିଭ ବାହାରିଛି। ଏମାନେ ସବୁ ପ୍ରଶାସନ ପକ୍ଷରୁ କରାଯାଇଥିବା ସଂଗରୋଧ କେନ୍ଦ୍ରରେ ଥିଲେ। ଏହାସହ ବଲାଙ୍ଗୀର ପୌରାଞ୍ଚଳର ପୁନେରୁ ଫେରିଥିବା ଦୁଇଜଣଙ୍କ ମଧ୍ୟ କରୋନା ପଜିଟିଭ ବାହାରିଛି। କୋଟାରୁ ଫେରିଥିବା ଟିଟିଲାଗଡ଼ କୁରସୁଡ଼ ପଂଚାୟତର ଜଣେ ଛାତ୍ରଙ୍କ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର କିମ୍ସକୁ ପଠାଯାଇଥିବା ସୂଚନା ମିଳିଛି। ବଲାଙ୍ଗୀର ଜିଲ୍ଲାରେ ଗୁଡ଼ଭେଲା ବ୍ଲକ୍‌ ଲିଖିରିଆ ଗାଁର ପ୍ରଥମ ଦୁଇ କରୋନା ପଜିଟିଭ ଏବେ ସୁସ୍ଥ ହୋଇ ଫେରିଛନ୍ତି। ୨୪ରୁ ଏବେ ବି ୨୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ସମ୍ବନ୍ଧିତ ଖବର