ବିଧାନସଭାରେ ନୂଆ ଇତିହାସ ସୃଷ୍ଟି କରାଇଲା କରୋନା, ଲୋକସେବା ଭବନରେ ବସିବ ବିଧାନସଭା ବୈଠକ

୩୦ରେ ସମ୍ମେଳନ କକ୍ଷରେ ଅର୍ଥ ବିଲ୍ ପାରିତ ହେବ, ସମସ୍ତଙ୍କୁ ସଙ୍ଗରୋଧରେ ରହିବାକୁ ବାଚସ୍ପତିଙ୍କ ନିର୍ଦେଶ

ଭୁବନେଶ୍ବର: ଗୁରୁବାର ରାତି ପର୍ଯ୍ୟନ୍ତ ସବୁ ଠିକ୍ ଠାକ୍ ଥିଲା। ରାତିରେ ଓଡ଼ିଶାରେ ତୃତୀୟ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ପରେ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ସବୁ ସ୍ତରରେ ସମସ୍ତଙ୍କ ଅକଲ୍‌ ଗୁଡୁମ୍ ହୋଇଯାଇଛି। କାରଣ, ତୃତୀୟ ବ୍ୟକ୍ତି ଜଣକ ଦିଲ୍ଲୀରୁ ଆସିଥିବା ପରିପ୍ରେକ୍ଷୀରେ ସରକାର ତାଙ୍କୁ ଷ୍ଟେଜ୍‌ ଥ୍ରିପାଇଁ ସଙ୍କେତ ବୋଲି ବିଚାର କରିବା ସହିତ ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି। ସେପଟେ ସଂପୃକ୍ତ ଆକ୍ରାନ୍ତ ବ୍ୟକ୍ତି ବିଧାନସଭାର ଜଣେ ଅଧିକାରୀଙ୍କ ସହିତ ସଂସ୍ପର୍ଶରେ ଆସିଥିବା କାରଣରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ଘଟଣାରେ ଏକାଥରକେ ତିନି ତିନିଟି ବଡ଼ ଧରଣର ନିଷ୍ପତ୍ତି ନେଇଛନ୍ତି। ଆଜି ବାଚସ୍ପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ୩୦ ତାରିଖରେ ବିଧାନସଭା ବସିବ ଓ ବ୍ୟୟ ମଞ୍ଜୁରି ବିଲ୍ ଆଗତ ହୋଇ ପାରିତ ହେବ। କିନ୍ତୁ ବିଧାନସଭାରେ ଏହି ବୈଠକ ବସିବ ନାହିଁ। ବରଂ ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ସଚିବାଳୟ ଅର୍ଥାତ୍ ବର୍ତମାନର ଲୋକସେବା ଭବନ ସମ୍ମେଳନ କକ୍ଷରେ ହିଁ ବିଧାନସଭାର ସେଦିନ ଅସମାପ୍ତ ବଜେଟ୍ ଅଧିବେଶନ ବୈଠକ ବସିବ। ବିଧାୟକମାନେ ୨ ମିଟର ବ୍ୟବଧାନରେ ବସିବେ। କରୋନାକୁ ଦୃଷ୍ଟିରେ ରଖି ସବୁ ବିଧାୟକ ଦଳର ନେତାଙ୍କୁ ୩୦ ପ୍ରତିଶତ ସଦସ୍ୟଙ୍କ ଉପସ୍ଥାନ ପାଇଁ କୁହାଯାଇଛି। ସେହିଭଳି ବିଧାୟକମାନେ ଆସିବା ବେଳେ ଯେମିତି କୌଣସି ଅସୁବିଧା ନ ହୁଏ, ସେମାନଙ୍କୁ କେହି ନ ଅଟକାନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦେଶ ଦିଆଯାଇଛି।

୩୦% ବିଧାୟକଙ୍କୁ ଆଣିବାକୁ କୁହାଯାଇଛି, ଗଣମାଧ୍ୟମକୁ ମନା
କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ବିଧାନସଭା କର୍ମଚାରୀ
ବିଶୋଧନ ହେବ ପୂରା ବିଧାନସଭା କୋଠା

ବାଚସ୍ପତି ଆହୁରି କହିଛନ୍ତି ଯେ ଗୁରୁବାର ରାତିରେ ଆମେ ଜାଣିବାକୁ ପାଇଲୁ ଯେ ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ରୋଗୀ ସଂସ୍ପର୍ଶରେ ଆସିଛନ୍ତି। ତେଣୁ ସମସ୍ତ କର୍ମଚାରୀଙ୍କୁ କ୍ବାରାଣ୍ଟିନ୍ ବା ସଙ୍ଗରୋଧରେ ରହିବା ପାଇଁ କୁହାଯାଇଛି। ତା’ସହିତ ବିଧାନସଭା କୋଠାକୁ ବିଶୋଧନ କରିବା ଲାଗି ମଧ୍ୟ ଆବଶ୍ୟକ ନିର୍ଦେଶ ଦିଆଯାଇଛି। ତେବେ ୩୦ ତାରିଖରେ େଲାକସେବା ଭବନ ସମ୍ମେଳନ କକ୍ଷରେ ହେବାକୁ ଥିବା ଅଧିବେଶନରେ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ବୈଠକସ୍ଥଳୀକୁ ଛଡ଼ାଯିବ ନାହିଁ କିମ୍ବା ପାସ୍ ଦିଆଯିବ ନାହିଁ। ସାମାଜିକ ଦୂରତା ବଢ଼ାଇବା ପାଇଁ ଏହା ଅପରିହାର୍ଯ୍ୟ। ଏ ସଂକ୍ରାନ୍ତ ନିର୍ଦେଶନାମା ଦିଆଯାଇଛି। ବର୍ତମାନର ବିଧାନସଭା କୋଠା ନିର୍ମାଣ ପରେ ନିୟମିତ ଭାବେ ବିଧାନସଭା ଅଧିବେଶନ ସେହିଠାରେ ହିଁ ବସୁଥିଲା। ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ବତନ୍ତ୍ର ବୈଠକ ପୁରୁଣା ବିଧାନସୌଧ ବା ସର୍ଦାର ବଲ୍ଲଭ ଭାଇ ପଟେଲ୍ ହଲ୍‌ରେ କରାଯାଇଥିଲା। କିନ୍ତୁ କେବେ ବି ବିଧାନସଭାର ନିୟମିତ ବୈଠକ ସଚିବ ଏବଂ ମନ୍ତ୍ରୀମାନେ ବସୁଥିବା ପୁରୁଣା ସଚିବାଳୟ କିମ୍ବା ବର୍ତମାନର ଲୋକସେବା ଭବନରେ ହେବାର ନଜିର ନଥିବା କୁହାଯାଇଛି।

ସମ୍ବନ୍ଧିତ ଖବର