କରୋନା ପାଇଁ ନିରବୀ ଯାଇଛି କମାରଶାଳରୁ ଠକଠାକ୍ ସ୍ୱର : ଚାଷ ପାଇଁ ଲଙ୍ଗଳ ଓ କୋଦାଳର ବରାଦ ନାହିଁ, ଚିନ୍ତାରେ କନ୍ଧମାଳର ୫୦୦ ପରିବାର

ଫୁଲବାଣୀ : କରୋନା ପାଇଁ ନିରବୀ ଯାଇଛି କମାରଶାଳ। ଆଉ ଶୁଭୁନି ଠକଠାକ୍ ସ୍ୱର। ଚାଷ କାର୍ଯ୍ୟ ଅବ୍ୟବହିତ ପୂର୍ବରୁ ଲଙ୍ଗଳ, କୋଦାଳ ସହ ଅନ୍ୟାନ୍ୟ ଚାଷ ଉପକରଣ ପାଇଁ କାରିଗରଙ୍କ ପାଖରୁ ବରାଦ ଆସିଥାଏ। ଏମିତି କି ଏଥି ନିମନ୍ତେ ଅଗ୍ରୀମ ଟଙ୍କା ମଧ୍ୟ ମିଳିଥାଏ। ହେଲେ ଏଥର କରୋନା ପାଇଁ ନାଁ ଆସୁଛି ବରାଦ କାମ ନାଁ ଚାଲୁଛି କମାରଶାଳ। ଏହାକୁ ନେଇ ଲୌହ କାରିଗର ପରିବାରର ଚିନ୍ତା ବଢାଇ ଦେଇଛି। କନ୍ଧମାଳରେ ୨୦ ବର୍ଷ ପୂର୍ବେ ୫୦୦ରୁ ୬୦୦ କମାରଶାଳ ଚାଲୁଥିଲା। ହେଲେ ଆଧୁନିକ ଜ୍ଞାନକୌଶଳରେ ଚାଷ କାର୍ଯ୍ୟ ହେବା ପରେ ଧୀରେ କମାରଶାଳ ବନ୍ଦ ହେବାକୁ ବସିଲା। ତାସତ୍ତ୍ବେ ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୦ରୁ ୮୦ କମାରଶାଳ ଚାଲିଛି। ଅଳ୍ପ କାମ ବରାଦ ହେଉଥିଲେ ବି ଏସବୁ କମାରଶାଳ ବର୍ଷତମାମ ଚାଲେ। ହେଲେ ଚାଷ କାର୍ଯ୍ୟ ବହୁ ଅବ୍ୟବହିତ ପୂର୍ବରୁ କାରିଗରଙ୍କୁ ବେଶ ଦିପଇସା ମିଳିଥାଏ। ଏଥିରେ ରୋଜଗାର ବେଶୀ ନ ଥିଲେ ବି ବର୍ଷର ୪-୫ ମାସ ଘର ଚଳିବାରେ ସହାୟକ ହୋଇଥାଏ। ଏମିତି କହିବାକୁ ଗଲେ ଜିଲ୍ଲାରେ କମାରଶାଳ ଉପରେ ପାଖାପାଖି ୫୦୦ ପରିବାର ନିର୍ଭର କରିଥାନ୍ତି।

କମାରଶାଳରେ ଲୁହା ଜିନିଷ ସାମଗ୍ରୀ ତିଆରି ହୁଏ। ଛୋଟ ଜିନିଷ ସାମଗ୍ରୀ ତିଆରି କରାଯାଇ ହାଟ ଓ ବଜାରରେ ବିକ୍ରି କରାଯାଏ। ଚାଷ ଦିନରେ ଲୌହ କାରିଗରଙ୍କୁ ବେଶୀ କାମ ମିଳିଥାଏ। କାରଣ ଚାଷ କାର୍ଯ୍ୟ ପାଇଁ ବ୍ୟବହୃତ ଲଙ୍ଗଳ, ଫାଳ, କୋଦାଳ,ଶାବଳ ଏମିତି ଅନ୍ୟାନ୍ୟ ଲୌହ ଉପକରଣ ନିର୍ମାଣ ପାଇଁ ବହୁ ଅଗ୍ରଣୀ ଚାଷୀଙ୍କର ବରାଦ ଥାଏ। ଏମିତି କି ଏଥି ନିମନ୍ତେ ଅଗ୍ରୀମ ଆକାରରେ ଟଙ୍କା ମିଳିଥାଏ ବୋଲି କହନ୍ତି ଗୁଦାରିର ବିଦେଶୀ ମାଝି। ହେଲେ କରୋନା କଟକଣା ପାଇଁ କେହି ବରାଦ ଦେବାକୁ ଆସି ନାହାନ୍ତି କି କମାରଶାଳ ଖୋଲୁନି ବୋଲି ସେ କହିଛନ୍ତି। ତିଆରି ହୋଇଥିବା ଛୋଟଛୋଟ ଜିନିଷ ସାମଗ୍ରୀ ଘରେ ରହିଛି। ସେସବୁକୁ ବିକ୍ରି କରିବାକୁ ହାଟ ଓ ବଜାରକୁ ଯାଇ ପାରୁ ନାହୁଁ କି କେହି ବି କିଣିିବାକୁ ଘରକୁ ଆସୁ ନାହାନ୍ତି। କରୋନା କଟକଣା ଯୋଗୁଁ ଏସବୁ ବିକ୍ରି ହୋଇ ପାରୁ ନାହିଁ କି ବରାଦ କିଛି ଆସୁ ନାହିଁ ବୋଲି କହନ୍ତି ଗୋଛାପଡାର ରବୀନ୍ଦ୍ର ବିନ୍ଧାଣି ଓ ତାଙ୍କ କମାରଶାଳରେ କାମ କରୁଥିବା ମୋହିନୀ ବିନ୍ଧାଣି। କରୋନା ଲକ୍ ଡାଉନ ମେ ୩ ତାରିଖ ପର୍ଯ୍ୟନ୍ତ ରହିଛି। ପରିସ୍ଥିତିକୁ ଦେଖି ଲକ୍ ଡାଉନ ଆହୁରି ଯେ ବୃଦ୍ଧି ନ ହେବ କହିବା ଅସମ୍ଭବ। ଏଭଳି ସ୍ଥଳେ ଚାଷ କାର୍ଯ୍ୟ ବିଳମ୍ବ ହେବା ସୁନିଶ୍ଚିତ। ତେଣୁ ଚଳିତ ଚାଷ କାର୍ଯ୍ୟ ପୂର୍ବରୁ କମାରଶାଳକୁ ଲଙ୍ଗଳ,ଫାଳ,କୋଦାଳ ଓ ଶାବଳ ତିଆରି ପାଇଁ ବରାଦ ଆସିବା ଆଶା କମ। ଏହାକୁ ନେଇ କମାରଶାଳ ଉପରେ ନିର୍ଭର କରୁଥିବା ୫୦୦ ପରିବାର ଚିନ୍ତାରେ ପଡି ଯାଇଛନ୍ତି। ସେମାନଙ୍କୁ କରୋନା ସହାୟତା ଯୋଗାଇ ଦେବାକୁ କାରିଗର ଦୀନବନ୍ଧୁ ବିନ୍ଧାଣି ଓ ମଳୟ ଓଝା ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର