ବାଲେଶ୍ୱର : କରୋନା ପାଇଁ ସଙ୍କଟରେ ଗତି କରୁଛି ବାଲେଶ୍ୱର ଜିଲ୍ଲା ରକ୍ତ ଭଣ୍ଡାର। ଗୋଟିଏ ପଟେ ଶିବିର ରକ୍ତ ସଂଗ୍ରହ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିବା ବେଳେ ଅନ୍ୟପଟେ ରକ୍ତଭଣ୍ତାରରେ ରହିଥିବା ରକ୍ତର ପରିମାଣ ଧୀରେ ଧୀରେ କମିକମି ଯାଉଛି। ନିକଟ ଭବିଷ୍ୟତରେ ଏହା ସରିଯିବାର ଆଶଙ୍କା ବି ଦେଖାଦେଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
ବାଲେଶ୍ୱର ଜିଲ୍ଲା ସମଗ୍ର ରାଜ୍ୟରେ ସବୁଠୁ ଅଧିକ ରକ୍ତ ସଂଗ୍ରହ କରୁଥିବା ଜିଲ୍ଲା ଅଟେ। ପ୍ରତିମାସ ଜିଲ୍ଲାରୁ ପ୍ରାୟ ୧୫ଶହରୁ ୧୬ଶହ ରକ୍ତ ସଂଗ୍ରହ କରାଯାଇଥାଏ। ସମ୍ବାଦ-ଆମ ଓଡ଼ିଶା, ଜୀବନ ବିନ୍ଦୁ ରକ୍ତ ସଂଗ୍ରହ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ବେଳେ ଏକାଧିକ ଅନୁଷ୍ଠାନ ଠାରୁ ଶିବିର ଜରିଆରେ ରକ୍ତସଂଗ୍ରହ କରି ଜିଲ୍ଲା ରକ୍ତଭଣ୍ଡାରକୁ ପ୍ରଦାନ କରିଥାନ୍ତି। ତେବେ ମାସଯାକ ସେହି ରକ୍ତରେ ରୋଗୀଙ୍କ ଆବଶ୍ୟକତା ପୂରଣ ହୋଇଥାଏ। ସବୁଠୁ ବଡ଼ କଥା ହେଲା ଜିଲ୍ଲାରେ ଥିବା ପ୍ରାୟ ୮୦୦ଥାଲାସେମିଆ ରୋଗୀଙ୍କ ପାଇଁ ମାସକୁ ଥରେ ଆବଶ୍ୟକତା ଥିବା ରକ୍ତ ଏହି ରକ୍ତଭଣ୍ଡାର ପୂରଣ କରିଥାଏ। ସେହିପରି ପ୍ରାୟ ୧୨୦୦ଶହରୁ ଅଧିକ ପ୍ରାୟ ୧୨ଶହରୁ ଅଧିକ ପ୍ରସୂତି, ଦୁର୍ଘଟଣାଜନିତ ରୋଗୀ ଓ ଅନ୍ୟାନ୍ୟ କାରଣ ପାଇଁ ରୋଗୀଙ୍କର ରକ୍ତ ଦରକାର ପଡ଼ିଥାଏ।
ତେବେ କରୋନା ପାଇଁ ସାମାଜିକ ମିଳାମିଶାକୁ ବାରଣ କରାଯାଇଥିବାରୁ ଏବେ ଜିଲ୍ଲା ରକ୍ତ ଭଣ୍ଡାର ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ବନ୍ଦ କରିଛି। ଖରା ଦିନରେ ରକ୍ତ ସଂଗ୍ରହର ପରିମାଣ ସାଧାରଣତଃ କମ୍ ରହିଥିବା ବେଳେ ଏବେ କରୋନା କଟକଣା ସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି। ଫଳରେ ରକ୍ତ ପାଇଁ ଆଉ କମ୍ ଦିନ ମଧ୍ୟରେ ସଙ୍କଟମୟ ସ୍ଥିତି ଦେଖାଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏପରି ସ୍ଥିତିକୁ ମୁକାବିଲା କରିବାକୁ ଜିଲ୍ଲା ରକ୍ତ ଭଣ୍ଡାର ପକ୍ଷରୁ ପଦକ୍ଷେପ ନିଆଯାଇଥିବା ବିବିଓ(ରକ୍ତ ଭଣ୍ଡାର ଅଧିକାରୀ) ଡା. ବସନ୍ତ କୁମାର ଉପାଧ୍ୟାୟ କହିଛନ୍ତି। ତାଙ୍କ କହିବା ଅନୁସାରେ, ଏବେଠୁ ଷ୍ଟକ ରହିଥିବା ରକ୍ତ କମିବାରେ ଲାଗିଛି। ତେଣୁ ଘରୋଇ ଡାକ୍ତରଖାନାର ଆବଶ୍ୟକତା ସମୟରେ ଯେଉଁ ରକ୍ତ ପ୍ରଦାନ କରାଯାଉଥିଲା ଏବେ ସେଗୁଡ଼ିକୁ ବନ୍ଦ କରାଯାଇଛି। ରୋଗୀଙ୍କୁ ରକ୍ତ ମାଗଣାରେ ଯୋଗାଇ ଦିଆଯାଉଛି। କିନ୍ତୁ ଆବଶ୍ୟକ ପଡ଼ିଲେ, ଏବେ ଯେଉଁ ରୋଗୀଙ୍କ ପାଇଁ ରକ୍ତ ଆବଶ୍ୟକ ପଡ଼ିବ ସେମାନଙ୍କ ସମ୍ପର୍କୀୟଙ୍କଠାରୁ ଆଗ ରକ୍ତ ସଂଗ୍ରହ କଲେ ତା’ ପରେ ରକ୍ତ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯିବ। ସେହିପରି ରକ୍ତର ଅଭାବ ଦୂର କରିବା ପାଇଁ ଏବେ ଛୋଟ ଶିବିର ଆୟୋଜନ କରାଯିବ। ଯେଉଁଥିରେ ମାତ୍ର ୫ରୁ ୬ ଜଣ ଥିବେ। ଯେଉଁମାନେ ରକ୍ତ ଦାନ କରିବେ ସେମାନେ ରକ୍ତ ଭଣ୍ଡାରକୁ ଆସି ନିଜର ରକ୍ତ ଦେଇପାରିବେ। ଏଭଳି ସଙ୍କଟମୟ ସ୍ଥିତିରେ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ଡା. ଉପାଧ୍ୟାୟ ନିବେଦନ କରିଛନ୍ତି।