ନବରଙ୍ଗପୁର/ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଗ୍ରୀନ୍ ଜୋନରେ ଥିବା ବେଳେ ଆଜି ଜଣେ କରୋନା ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଘୋଷଣା କରିଛି। ସଂକ୍ରମିତ ହୋଇଥିବା ଯୁବକ ଜଣଙ୍କ ଚନ୍ଦାହାଣ୍ଡି ବ୍ଲକର ବନ୍ଧକୋନା ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ରହିଥିଲେ। ଏବେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରର ସରପଞ୍ଚ, ପିଇଓ ଓ ୪ ଜଣ ରୋଷେୟାଙ୍କୁ ସଙ୍ଗରୋଧରେ ରଖାଯାଇଥିବା ସୂଚନା ମିଳିଛି। ସଂକ୍ରମିତ ହୋଇଥିବା ଯୁବକ ଜଣକ ହେଲେ ଡାବୁଗାଁ ବ୍ଲକର ଜଣେ ୨୦ ବର୍ଷୀୟ ଯୁବକ । ଉକ୍ତ ଯୁବକଙ୍କ ସହିତ ୪୬ ଜଣ ପ୍ରବାସୀ ଶ୍ରମିକ ଏକ ବସ ଯୋଗେ ଗତ ୧୪ ତାରିଖ ଦିନ ଆନ୍ଧ୍ରର ବିଜୟୱାଡାରୁ ନବରଙ୍ଗପୁର କୁ ଫେରିଥିଲେ। ଫେରନ୍ତାଙ୍କ ମଧ୍ୟରେ ଅଧିକ ପ୍ରବାସୀ ଚନ୍ଦାହାଣ୍ଡି ବ୍ଲକର ହୋଇଥିବାରୁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରବାସୀଙ୍କୁ ଚନ୍ଦାହାଣ୍ଡି ବ୍ଲକର ପାଟଖଲିଆ ପଞ୍ଚାୟତର ବନ୍ଧକୋନା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା।

Advertisment

ଚଳିତ ମାସ ୨୦ ତାରିଖରେ ସମସ୍ତ ପ୍ରବାସୀଙ୍କ ସ୍ବାବ୍ ପରୀକ୍ଷା ପାଇଁ ନିଆଯାଇ ଭୂବନେଶ୍ବରସ୍ଥିତ ଆରଏମଆରସିରେ ପରୀକ୍ଷା ପାଇଁ ପଠାଯାଇଥିଲା। ଗତ କାଲି ୪୫ ଜଣଙ୍କ ନେଗେଟିଭ୍ ରିପୋର୍ଟ ଆସିଥିବା ବେଳେ ଜଣକଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଅନ୍ୟ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି। ଗତ କାଲି ରିପୋର୍ଟ ହସ୍ତଗତ ହେବା ପରେ ସଂକ୍ରମିତ ବ୍ୟକ୍ତିଙ୍କୁ ଉନ୍ନତ ମାନର ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଗାଡିରେ ଭୂବନେଶ୍ବର ସ୍ଥିତ ସମ୍ ହସପିଟାଲ ପଠାଯାଇଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ସାଧାରଣ ଲୋକେ ଭୟଭିତ ହେବାର ଆବଶ୍ୟକତା ନାହିଁ। ଏବେ ସୁଦ୍ଧା ଜିଲ୍ଲା କିମ୍ବା ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଅନ୍ୟପଟେ ବର୍ତମାନ ସୁଦ୍ଧା ନବରଙ୍ଗପୁର ଜିଲ୍ଲାରୁ ୨୩୧୬ ଜଣ ଙ୍କ ନମୁନା ଟେଷ୍ଟ ପାଇଁ ଯାଇ ଥିବା ବେଳେ ୨୧୨୪ ଙ୍କ ନମୁନା ନେଗେଟିଭ ଆସିଥିବା ବେଳେ ୧୯୨ ଜଣଙ୍କ ରିପୋର୍ଟ ହସ୍ତଗତ ହୋଇନାହିଁ ବୋଲି ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର ସୁଚନା ଦେଇଛନ୍ତି ।

ଗୋଟିଏ ପଜିଟିଭ୍ ଚିହ୍ନଟ ପରେ ବନ୍ଧକନା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରର ୧୦୦ ମିଟର ପରିଧୀ ପର୍ଯ୍ୟନ୍ତ ଅଞ୍ଚଳକୁ ଆଜି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ପାଇଁ କଣ୍ଟେଇନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଘୋଷଣା ହୋଇଥିବା ଏହି ଜୋନ୍ ମଧ୍ୟରେ ବାହାର ଅଞ୍ଚଳର କୌଣସି ବ୍ୟକ୍ତି ବିଶେଷ ଚଳାଚଳ କରିବା ଉପରେ ନିଷେଧ କରାଯାଇଛି। କଣ୍ଟେଇନ ମେଣ୍ଟ ଅଞ୍ଚଳ ପରିଧି ମଧ୍ୟରେ ଥିବା ସମସ୍ତ ଦୋକାନ, ବଜାର , ପ୍ରତିଷ୍ଠାନ ଆଦି ବନ୍ଦ କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି। କୋଭିଡ୍ ସଂକ୍ରାନ୍ତିୟ ନିୟୋଜିତ ସରକାରୀ କର୍ମଚାରୀ ମାନେ ପରିଚୟ ପତ୍ର ଦେଖାଇ ଯାଇପାରିବେ।

ସେହିପରି ଭାବେ ବନ୍ଧକୋନା ଗାଁକୁ ବଫର ଜୋନ୍ ଭାବେ ଆସନ୍ତା ଏକ ସପ୍ତାହ ପାଇଁ ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ଘରକୁ ଘର ବୁଲି ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସଂକ୍ରମଣ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ। ଯଦି କୌଣସି ବ୍ୟକ୍ତି ସଂକ୍ରମଣ ବ୍ୟକ୍ତିର ସମ୍ପର୍ଷରେ ଆସିଛନ୍ତି ସେ ସଂକ୍ରାନ୍ତରେ ମେଡିକାଲ ଅଧିକାରୀ, ଏଏନଏମ୍ ଓ ଆଶା କର୍ମଚାରୀ ମାନେ କାର୍ଯ୍ୟକରିବେ। ଉପଜିଲ୍ଲାପାଳ ଭାଷ୍କର ରଇତଙ୍କ ପ୍ରତକ୍ଷ ତତ୍ତ୍ବାବଧାନରେ କଣ୍ଟେଇନମେଣ୍ଟ ଜୋନରେ ୪ ଜଣ ନୋଡାଲ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝୀଙ୍କୁ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅତି ଆବଶ୍ୟକ ଜିନିଷ ଯୋଗାଣ ଦାୟିତ୍ବ ମିଳିଥିବା ବେଳେ ତହସିଲଦାର ହୃଦାନନ୍ଦ ସିଂ ମାଝୀଙ୍କୁ ସେନିଟେସନ୍, ସ୍ବାସ୍ଥ୍ୟ ପାଇଁ ଡା.କଳ୍ପେଶ ସୁନା ଓ ସଂକ୍ରମଣ ବ୍ୟକ୍ତିଙ୍କ ସଂଷ୍ପର୍ଷରେ ଆସିଥିବା ବ୍ୟକ୍ତିଙ୍କ ସଂକ୍ରାନ୍ତରେ ତଥ୍ୟ ବାହାର କରିବା ପାଇଁ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଦାୟିତ୍ବ ଦିଆଯାଇଛି। ଜିଲ୍ଲା କିମ୍ବା ରାଜ୍ୟ ପ୍ରଶାସନ ପକ୍ଷରୁ ପଜିଟିଭ୍ ନେଇ ସୂଚନା ଦିଆଯାଇନଥିବା ବେଳେ ଗତକାଲି ସଂଧ୍ୟା ସମୟ ଠାରୁ ହିଁ ଏହି ଖବର ପ୍ରଚାର ହୋଇଯାଇଥିଲା। ପ୍ରଚାର ହେବା ମାତ୍ରେ ଚନ୍ଦାହାଣ୍ଡିରେ କୋକୁଆ ଭୟ ଦେଖାଦେଇଥିଲା। ଚନ୍ଦାହାଣ୍ଡିରେ ସଂଧ୍ୟା ବେଳେ ରାସ୍ତା ଘାଟ ଶୁନଶାନ୍ ହୋଇଯାଇଥିବା ବେଳେ ଲୋକେ ଘରୁ ପଦାକୁ ବାହାରିନଥିବା ଦେଖାଦେଇଥିଲା ।