ମୃତ୍ୟୁ ପରେ କରୋନା ପଜିଟିଭ୍‌ ଘଟଣା : ପରିବାରର ୮ଜଣଙ୍କ ସ୍ବାବ୍‌ ନମୁନା ସଂଗ୍ରହ, ଏକାଧିକ ସଂକ୍ରମଣ ଆଶଙ୍କା

ବାଲେଶ୍ବର : ବାଲେଶ୍ବର ସଦର ଥାନା ହିଞ୍ଜଳା ଅଞ୍ଚଳର ଜଣେ ବୃଦ୍ଧଙ୍କର ୨୫ ତାରିଖ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିବା ଏବଂ ପରେ ତାଙ୍କର ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିବା ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। କୋଭିଡ଼୍‌ ଟେଷ୍ଟ ରିପୋର୍ଟ ପଜିଟିଭ ଜାଣିବା ସତ୍ତ୍ବେ ମୃତକଙ୍କ ପରିବାର ଲୋକଙ୍କ ସ୍ବାବ୍ ଟେଷ୍ଟ ଓ ସଙ୍ଗରୋଧରେ ରହିବା ବ୍ୟବସ୍ଥା କରିନଥିଲା ପ୍ରଶାସନ। ଯାହାକୁ ନେଇ ହିଞ୍ଜଳା ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ନେଇ ‘ସମ୍ବାଦ’ ପକ୍ଷରୁ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପରତା ଦେଖାଇଛି। ମୃତକଙ୍କ ପରିବାରର ୮ ଜଣଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଛି।

ଗୁରୁବାର ସକାଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତକଙ୍କ ଘରକୁ ଦୁଇଟି ଆମ୍ବୁଲାନ୍ସ ପଠାଯାଇଥିଲା। ସେଥିରେ ତାଙ୍କ ପତ୍ନୀ, ପୁଅବୋହୂ, ଝିଅଜ୍ବାଇଁ, ନାତିଙ୍କୁ ମିଶାଇ ପରିବାରର ୮ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ସ୍ବାବ ନମୁନା ସଂଗ୍ରହ ପରେ ଅପରାହ୍ନ ୫ଟାରେ ଘରେ ଛାଡ଼ି ଦିଆଯାଇଛି। ପରିବାର ଲୋକଙ୍କୁ ୧୪ ଦିନିଆ ସ୍ବସଂଗରୋଧରେ ରଖାଯିବ ବୋଲି ସ୍ଥାନୀୟ ସରପଞ୍ଚ ଜଳଧର ବିଶ୍ବାଳ କହିଛନ୍ତି। ଏଥିପାଇଁ ଆସନ୍ତାକାଲି ଘର ସମ୍ମୁଖରେ ଷ୍ଟିକର ଲଗାଯିବ ବୋଲି ସରପଞ୍ଚ ଶ୍ରୀ ବିଶ୍ବାଳ କହିଛନ୍ତି।

ଅନ୍ୟପଟେ ସ୍ଥାନୀୟ ଲୋକମାନେ ଏବେବି ଆତଙ୍କିତ ଅବସ୍ଥାରେ ଅଛନ୍ତି। କାରଣ କରୋନା ପଜିଟିଭ୍‌ ଜଣାପଡ଼ିବାର ୩ ଦିନ ପର୍ଯ୍ୟନ୍ତ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା। ତେଣୁ ପରିବାର ଲୋକଙ୍କ ସହ ଅନେକ ସଂସ୍ପର୍ଶରେ ଆସିଥାଇପାରନ୍ତି। ସଂକ୍ରମଣର ଉତ୍ସ ସମ୍ପର୍କରେ କିଛି ତଥ୍ୟ ମିଳିନଥିବାରୁ ଏହା ମଧ୍ୟ ଚିନ୍ତାର ଅନ୍ୟ ଏକ କାରଣ। ପୂର୍ବରୁ କରୋନା ସଂକ୍ରମିତ ଚିହ୍ନଟ ହେଲେ ତୁରନ୍ତ ତାଙ୍କର କଣ୍ଟାକ୍ଟ ଟ୍ରେସିଂ, ଟ୍ରାଭେଲ୍‌ ହିଷ୍ଟ୍ରି ଉପରେ ଗୁରୁତ୍ବ ଦିଆଯାଉଥିଲା। ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରି କରୋନା ମୁକାବିଲା ପାଇଁ ଅନେକ ପଦକ୍ଷେପ ନିଆଯାଉଥିଲା। ହେଲେ ସ୍ଥାନୀୟ ଅଞ୍ଚଳରେ କୌଣସି କଟକଣା ଜାରି କରିବା ତ ଦୂର କଥା, ଏପର୍ଯ୍ୟନ୍ତ ଅଞ୍ଚଳକୁ ସାନିଟାଜ୍‌ କରାଯାଇନଥିବା ଗ୍ରାମବାସୀ କହିଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏ ପର୍ଯ୍ୟନ୍ତ ବୃଦ୍ଧଙ୍କ ମୃତ୍ୟୁ କାରଣ ସ୍ପଷ୍ଟ କରିନାହିଁ ପ୍ରଶାସନ। ଯଦିଓ ତାଙ୍କର ସ୍ବାବ୍ ଟେଷ୍ଟ ରିପୋର୍ଟ ପଜିଟିଭ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସ୍ବୀକାର କରିସାରିଛନ୍ତି।

ସମ୍ବନ୍ଧିତ ଖବର