କନ୍ଧମାଳକୁ ବାହାର ଫେରନ୍ତାଙ୍କ ପାଇଁ ପ୍ରଶାସନର ଚିନ୍ତା ବଢୁଛି : ୪ହଜାର ୭୭୭ ଜଣ ଆସିଲେଣି, ଆହୁରି ଆସୁଛନ୍ତି; ଖୋଲିଲା ୭ ଅସ୍ଥାୟୀ ଚିକିତ୍ସାଳୟ ଓ ୭ ଆସୋଲେସନ କେନ୍ଦ୍ର

ଫୁଲବାଣୀ : ରାଜ୍ୟ ବାହାରେ ଓ ବାହାର ଦେଶରେ ରହୁଥିବା କନ୍ଧମାଳର ଲୋକମାନେ ନିଜ ନିଜ ଘରକୁ ଆସୁଛନ୍ତି। ଆଜି ସୁଦ୍ଧା ସମୁଦାୟ ୪ହଜାର ୭୭୭ ଜଣ ଆସିଲେଣି। ସେଥି ମଧ୍ୟରୁ ୪ହଜାର ୭୭୪ ଜଣ ବିଭିନ୍ନ ରାଜ୍ୟରୁ ଆସିଥିବା ବେଳେ ବିଦେଶରୁ ୩ ଜଣ ଆସିଛନ୍ତି। ଫେରନ୍ତାଙ୍କ ସଂଖ୍ୟା ବଢି ଚାଲିଥିବାରୁ ଏହାକୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢି ଯାଇଛି। ଫେରନ୍ତା ୪ହଜାର ୭୭୭ ମଧ୍ୟରୁ ୪ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବେଳେ ବାକି ସମସ୍ତେ ହୋମ କ୍ବାରେଣ୍ଟାଇନରେ ଅଛନ୍ତି। କରୋନାକୁ ପ୍ରତିହତ କରିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶମତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ୭ଟି ଅସ୍ଥାୟୀ ଚିକିତ୍ସାଳୟ ଓ ୭ଟି ଆସୋଲେସନ କେନ୍ଦ୍ର ଖୋଲା ଯାଇଛି।

ଫୁଲବାଣୀ ଅନ୍ବେଷା ହଷ୍ଟେଲ, ଶଙ୍କରଖୋଲ ସରକାରୀ ବାଳିକା ହାଇସ୍କୁଲ, କୋଟଗଡ ସରକାରୀ ହାଇସ୍କୁଲ, ଦାରିଙ୍ଗବାଡି ଉଚ୍ଚମାଧ୍ୟମିକ ସ୍କୁଲ ଓ ସରକାରୀ ହାଇସ୍କୁଲ, ରାଇକିଆ ସରକାରୀ ବାଳିକା ହାଇସ୍କୁଲ ଓ ବଡଗାଁ ସରକାରୀ ବାଳିକା ହାଇସ୍କୁଲକୁ ଅସ୍ଥାୟୀ ଚିକିତ୍ସାଳୟ କରାଯାଇଛି। ସେହିଭଳି ଫୁଲବାଣୀ ବିଜୁ ସ୍ମୃତି କଲ୍ୟାଣ ମଣ୍ଡପ, ବସଷ୍ଟାଣ୍ଡ ଓ ପିଅନପଡା ପ୍ରାଥମିକ ସ୍କୁଲ, ବାଲିଗୁଡା ଟାଉନ ହଲ ଓ କଲ୍ୟାଣ ମଣ୍ଡପ ଏବଂ ଜି.ଉଦୟଗିରି ଟାଉନ ହଲ ଓ କଲ୍ୟାଣ ମଣ୍ଡପକୁ ଆସୋଲେସନର କେନ୍ଦ୍ର କରାଯାଇଛି। ଏହି ସବୁ କେନ୍ଦ୍ରରେ ଜଣେ ବି କରୋନା ଆକାନ୍ତ ନଥିବା ଜଣା ପଡିଛି। ଗରୀବ ଓ ଅସହାୟଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଏଥି ସହ ସହରାଞ୍ଚଳରେ ଯେ କେହି ଫୋନ କଲେ ଘରେ ରନ୍ଧା ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି। ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରିବଟା ନିମନ୍ତେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଆଳୁ ଓ ପିଆଜ ହୋମ ଡେଲିଭରି ପାଇଁ ୨ଟି ସ୍ବୟଂସହାୟକ ଗୋଷ୍ଠୀକୁ ଦାୟିତ୍ବ ଦିଆଯାଇଥିବା ପ୍ରଶାସନ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ ଜଣା ଯାଇଛି।

ସମ୍ବନ୍ଧିତ ଖବର