ଭୁବନେଶ୍ବର : କରୋନା ମୁକାବିଲା ଲାଗି ରାଜ୍ୟ ସରକାର ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି। ଓଡ଼ିଶା ରାଜ୍ୟ ଔଷଧ ନିଗମକୁ ଔଷଧ ଓ ମେଡିକାଲ ଯନ୍ତ୍ରାଂଶ ଯୋଗାଉଥିବା ସଂସ୍ଥାମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। ସପ୍ତାହକ ମଧ୍ୟରେ ଔଷଧ ଓ ମେଡିକାଲ ଯନ୍ତ୍ରାଂଶ ଯୋଗାଣ ପାଇଁ ୫୦ ପ୍ରତିଶତ, ୧୫ଦିନ ମଧ୍ୟରେ ଯୋଗାଣ ପାଇଁ ୨୫ ପ୍ରତିଶତ ଓ ୧ମାସ ଭିତରେ ଯୋଗାଣ ପାଇଁ ୧୦ ପ୍ରତିଶତ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଅନୁରୂପ ଭାବେ ଉପକରଣ ପରିବହନ ବାବଦରେ ସମସ୍ତ ଖର୍ଚ ସମେତ ପ୍ରାପ୍ୟ ୨୪ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ସୁନିଶ୍ଚିତ କରିଥିବା କହିଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।
ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ ଯେ ରାଜ୍ୟରେ କୋଭିଡ-୧୯କୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ସ୍ବରୂପ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩୦ଟି ଜିଲ୍ଲା ପାଇଁ ୪୪.୫୦ କୋଟି ଟଙ୍କା ପ୍ରତ୍ୟେକ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ପ୍ରଦାନ କରାଯାଇଛି। ଗଞ୍ଜାମ ଓ ମାଲକାନାଗିରି ଜିଲ୍ଲାକୁ ୩ କୋଟି ଲେଖାଏ, ବାଲେଶ୍ବର, ବରଗଡ଼, ବଲାଙ୍ଗୀର, କଟକ, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଧା, ନୟାଗଡ଼, ପୁରୀ ଓ ସମ୍ବଲପୁର ଜିଲ୍ଲାକୁ ୨ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ସେହିପରି ଅନୁଗୁଳ, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କୋରାପୁଟ, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ୧କୋଟି ଟଙ୍କା ଓ ଦେବଗଡ଼ ଜିଲ୍ଲାକୁ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। କୋଭିଡ-୧୯ ସଂକ୍ରମଣକୁ ପ୍ରତିରୋଧ କରିବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କୁ ଓଡ଼ିଶା ଖଣି ନିଗମ ୫ଶହ କୋଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ କରିଛି। ତେଣୁ ଓଡ଼ିଶାର ଶିଳ୍ପଦ୍ୟୋଗଗୁଡ଼ିକୁ ଆବଶ୍ୟକ ମେଡିକାଲ ଉପକରଣ ଯଥା ପୋର୍ଟେବୁଲ ଭେଣ୍ଟିଲେଟର, ମାସ୍କ ଓ ସାନିଟାଇଜର ଇତ୍ୟାଦି ପ୍ରଦାନ କରିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଇଫ୍କୋ ତରଫରୁ ଏ ଦିଗରେ ପ୍ରଥମ ପଦେକ୍ଷେପ ସ୍ବରୂପ ଆବଶ୍ୟକ ମେଡିକାଲ ଉପକରଣ ଯୋଗାଇ ଦିଆଯାଇଛି। ଲକ୍ ଡାଉନ ସମୟରେ ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ କରୁଥିବା ମାଲବାହୀ ଯାନବାହନଗୁଡ଼ିକର ଚଳାଚଳ ଅବ୍ୟାହତ ରହିବ। ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସୁରୁଖୁରୁରେ ବିନା ପ୍ରତିବନ୍ଧକରେ ଅବ୍ୟାହତ ରହିବ। ଏଥିପାଇଁ ଜନସାଧାରଣ ଆତଙ୍କିତ ହେବା ଉଚିତ୍ ନୁହେଁ ବୋଲି ଶ୍ରୀ ବାଗଚୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ଲୋକସଂପର୍କ ବିଭାଗର ସଚିବ ସଂଜୟ ସିଂହ ମଧ୍ୟ ଉପସ୍ଥିତ ଥିଲେ।