ଅନୁଗୁଳରେ ମାନିଲେନି କଟକଣା : ଥାନାକୁ ଆଣିଲେ, ନୋଟିସ୍ ଦେଇ ଛାଡ଼ିଲେ

ଅନୁଗୁଳ : ପୂର୍ବରୁ କରୋନା ସଂକ୍ରାନ୍ତରେ ମିଥ୍ୟା ପ୍ରଚାର କରି ଅନୁଗୁଳ ଜିଲ୍ଲାର ୨ ଜଣ ବ୍ୟକ୍ତି ଗିରଫ ହୋଇଥିବା ବେଳେ ସରକାରୀ ନିର୍ଦ୍ଦେଶର ଉଲ୍ଲଘନ କରିବା ଅଭିଯୋଗରେ ଆଜି ଏକ ମନ୍ଦିରର ଭୋଗ ଦାୟିତ୍ବରେ ଥିବା ମ୍ୟାନେଜର ଗଣେଶ୍ବର ପ୍ରଧାନଙ୍କ ବି‌େରାଧରେ ମାମଲା ରୁଜୁ କରାଯାଇଛି।

କରୋନା ସଂକ୍ରମଣକୁ ରୋକିବା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଛି। ଜିଲ୍ଲାପାଳ ମନୋଜ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ବାସୁଦେବ ଶତପଥୀଙ୍କ ନେତୃତ୍ୱରେ ଅନୁଗୁଳ ଏସଡିପିଓ ଅଶ୍ବିନୀ ସାହୁ, ଥାନା ଅଧିକାରୀ ରମେଶ ବିଶୋଇ, ପୌର ନିର୍ବାହୀ ଅଧିକାରୀ ବିନୋଦ ପଣ୍ଡା ପ୍ରମୁଖ ପୁଲିସ ଓ ପୌର କର୍ମଚାରୀମାନଙ୍କ ସହିତ ଆଜି ସକାଳୁ ଦୋକାନ ବଜାର ବନ୍ଦ ରଖିବାକୁ ପରାମର୍ଶ ଦେଇଥିଲେ। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରେତାକୁ ଏଥିରୁ ବାଦ୍ ଦିଆଯାଇଥିଲା। ପୌରାଂଚଳରେ ଭିଡ଼ ହେଉଥିବା ଚା ଦୋକାନ, ପାନ ଦୋକାନଠାରୁ ଆରମ୍ଭ କରି ବିଭିନ୍ନ ଦୋକାନ ବନ୍ଦ ରହିଥିଲା। ଅନୁଗୁଳ ବଜାରର ଦୋକାନଗୁଡ଼ିକ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ଅନୁଗୁଳ ଅଧିଷ୍ଠାତ୍ରୀ ଦେବୀ ବୁଢ଼ୀ ଠାକୁରାଣୀ, ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ବିଭିନ୍ନ ଧର୍ମାନୁଷ୍ଠାନ‌ ଶ୍ରଦ୍ଧାଳୁଙ୍କ ବନ୍ଦ ରହିଥିଲା। ତେବେ ରାଜ୍‌ ହୋଟେଲ ଛକରେ ଥିବା ଆଖଣ୍ଡଳମଣି ମନ୍ଦିରରେ ଖୋଲା ରହିବା ସାଂଗକୁ ବହୁ ଲୋକ ଏକାଠି ପ୍ରସାଦ ସେବନ କରୁଥିବା ଖବର ପାଇଁ ପ୍ରଶାସନର ଉକ୍ତ ଟିମ୍ ଚଢ଼ଉ କରିଥିଲେ। ସରକାରୀ କଟକଣା ଉଲ୍ଲଂଘନ ଅଭିଯୋଗରେ ମନ୍ଦିର ଭୋଗ ଦାୟିତ୍ବରେ ମ୍ୟାନେଜର ଗଣେଶ୍ବର ପ୍ରଧାନଙ୍କୁ ଥାନାକୁ ଧରି ଆଣି ଅଟକ ରଖିଥିଲେ। ତାଙ୍କ ବିରୋଧରେ ଆଇପିସିର ଧାରା ୧୮୮, ୨୬୯ ଓ ୨୭୦ରେ ମାମଲା ରୁଜୁ କରାଯାଇଛି। ଆଗାମୀ ଦିନରେ ଏଭଳି ନକରିବା ପାଇଁ ନୋଟିସ୍‌ ଦେଇ ଛାଡ଼ି ଦିଆଯାଇଥିବା ଏସ୍‌ଡିପିଓ ଅଶ୍ବିନୀ ସାହୁ ସୂଚନା ଦେଇଛନ୍ତି। ସେହିପରି ଏକ ସପିଂ ମଲ୍ ଓ ଏକ ସୁନା ଦୋକାନ ବନ୍ଦ କରିବାରେ ବିଳମ୍ବ କରିବା କାରଣରୁ ଏହାର ମାଲିକଙ୍କୁ ଥାନାକୁ ଧରି ଆଣିଥିଲେ। ଅବଶ୍ୟ ପରେ ସେମାନଙ୍କୁ ଥାନାକୁ ଛାଡ଼ି ଦିଆଯାଇଥିଲା। ଅପରପକ୍ଷରେ ଆସନ୍ତା ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ‌ପ୍ରାୟ ସଂପୂର୍ଣ୍ଣ ଅନୁଗୁଳ ଜିଲ୍ଲା ବନ୍ଦ ଘୋଷଣା ପରେ ସନ୍ଧ୍ୟାରେ କିରାନା ସାମଗ୍ରୀ, ପନିପରିବା ଆଣିବା ପାଇଁ ଦୋକାନକୁ ଲୋକେ ଦୌଡ଼ିଥିଲେ। ଡେଲି ମାର୍କେଟ ସହିତ ସହରର ବିଭିନ୍ନ ସ୍ଥାନରେ ଥିବା ପରିବା ପସରାଗୁଡ଼ିକରେ ଲୋକଙ୍କ ଭିଡ଼ ହୋଇଥିଲା। ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଭିତରେ ଚାଲୁଥିବା ସମସ୍ତ ଲୋକାଲ୍ ବସ୍, ‌ଟେକ୍ସି, ଅଟୋରିକ୍ସା ସେବା ବନ୍ଦ ରଖାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର