କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସ୍ବାବ୍ ଦେଇଥିଲେ, ନୀଳିଆବାଗ୍ ଆବଦ୍ଧାଞ୍ଚଳର ସମସ୍ତ ନମୁନା ନେଗେଟିଭ
ବାଲେଶ୍ବର: କରୋନା ସଂକ୍ରମଣ ମୁକାବିଲା ପାଇଁ ବାଲେଶ୍ବର ସହର ସମେତ ଜିଲ୍ଲାର ୬ଟି ବ୍ଲକରେ ଆବଦ୍ଧାଞ୍ଚଳ ହୋଇଛି। ଜିଲ୍ଲାକୁ ଏବେ ରେଡ୍ଜୋନ୍ ତାଲିକାରେ ରଖାଯାଇଛି। ଲକ୍ଡାଉନ କୋହଳ ହେବା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଫେରିବାକୁ ନେଇ ସମସ୍ତେ ଚିନ୍ତାରେ। ଏପରି ସ୍ଥିତିରେ ଜିଲ୍ଲାବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ମିଳିଛି। ଖବରଟି ହେଉଛି ଜିଲ୍ଲାର ସୁପରସ୍ପ୍ରେଡର କୁହାଯାଉଥିବା ନୀଳିଆବାଗ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ ସ୍ବାବ୍ ନମୁନା ରିପୋର୍ଟ ଆଜି ନେଗେଟିଭ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲା କୋଭିଡ-୧୯ ପାଇଁ ନୋଡାଲ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନୀଳିଆବାଗ ଆବଦ୍ଧାଞ୍ଚଳରୁ ୧୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୪୭୯ ଜଣଙ୍କଠାରୁ ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ସେଗୁଡ଼ିକ ସବୁ ଆଜି ନେଗେଟିଭ୍ ଆସିଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ନୀଳଗିରି ବରହମ୍ପୁର ଥାନା ବାଉଁଶପାଳ ରିଗିଡ଼ି ଅଞ୍ଚଳରୁ କରୋନା ଆକ୍ରାନ୍ତ ହୋଇଥିବା ୨ବର୍ଷର ଉକ୍ତ ଶିଶୁକନ୍ୟା ମଧ୍ୟ ସୁସ୍ଥ ହୋଇ ଫେରିଥିବା ଜଣାଯାଇଛି।
ପ୍ରକାଶଥାଉ କି, ବାଲେଶ୍ବର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଛୁଇଁଛି। ସେଥିରେ କେବଳ ବାଲେଶ୍ବର ସହର ନୀଳିଆବାଗ୍ ଅଞ୍ଚଳରୁ ୧୩ ଜଣ, ନୀଳଗିରି ରାଜବରହମପୁର ଥାନା ବାଉଁଶପାଳ ଅଞ୍ଚଳରୁ ଜଣେ, ଭାସ୍କରଗଂଜ ରେଲୱେ କଲୋନିରୁ ଜଣେ, ବାହାନଗା ବ୍ଲକ ବିଷ୍ଣୁପୁର ଅଞ୍ଚଳରୁ ଜଣେ, ସୋର ବ୍ଲକ ତଳନଗର ଅଞ୍ଚଳରୁ ୨ ଜଣ, ଖଇରା ବ୍ଲକ ଅନ୍ତରା ଅଞ୍ଚଳରୁ ଦୁଇଜଣ, ଭୋଗରାଇ ବ୍ଲକରୁ ଜଣେ ଆକ୍ରାନ୍ତ ହୋଇଛନ୍ତି।