ବାଲେଶ୍ୱର ବଡ଼ ଡାକ୍ତରଖାନାରେ କରୋନା ସନ୍ଦିଗ୍ଧ, ଚୀନ ଫେରନ୍ତା ଯୁବକଙ୍କୁ ଫେରାଇଦେଲେ ମେଡିକାଲ କର୍ତ୍ତୃପକ୍ଷ

ବାଲେଶ୍ୱର: କରୋନା ମୁକାବିଲା ନେଇ ଘନଘନ ବୈଠକ ବସୁଛି। ବାରମ୍ବାର ସଜାଗ ରହିବାକୁ ପରାମର୍ଶ ଦିଆଯାଉଛି। ହେଲେ ସରକାରଙ୍କ ଏହି ପରାମର୍ଶକୁ ବାଲେଶ୍ୱର ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ହେୟ ମନେ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। କୁହାଯାଉଛି ଯେ, ବାଲେଶ୍ୱର ବଡ଼ ଡାକ୍ତରଖାନାକୁ ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହେବା ପାଇଁ ଆସିଥିଲେ। ଚୀନରୁ ଫେରିଥିବା ଏହି ଯୁବକଙ୍କୁ ମେଡିକାଲ କର୍ତ୍ତୃପକ୍ଷ ଘରକୁ ଫେରାଇ ଦେଇଥିବା ଜଣାଯାଇଛି।

ସୂଚନା ଅନୁସାରେ ଚୀନରୁ ଫେରନ୍ତା କରୋନା ସନ୍ଦିଗ୍ଧ ଆଜି ବାଲେଶ୍ୱର ବଡ଼ ଡାକ୍ତରଖାନାରେ ପହଞ୍ଚିଥିଲେ। ମାତ୍ର ତାଙ୍କୁ ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାନଯାଇ ଡାକ୍ତରଖାନା କର୍ତ୍ତୃପକ୍ଷ ତରବରିଆ ଭାବେ ଏକ ତିନିଜଣିଆ ଚିକିତ୍ସା ବିଶେଷଜ୍ଞ ଦଳଙ୍କ ସହ ଘରକୁ ପଠାଇ ଦିଆଯାଇଛି।

ବଡ଼ ଡାକ୍ତରଖାନାରେ କରୋନା ପ୍ରତିଷେଧକ ଚିକିତ୍ସା ପାଇଁ ଗଠନ ହୋଇଥିବା ବିଶେଷଜ୍ଞ ଦଳର ଜଣେ ବରିଷ୍ଠ ଡାକ୍ତରଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଚୀନରୁ ଫେରିଥିବା କରୋନା ସନ୍ଦିଗ୍ଧ ଯୁବକ ଜଣକ ହେଲେ ଖଇରା ବ୍ଲକ ଅଞ୍ଚଳର। ସେ ଗତ ୨୦ ତାରିଖରେ ଫେରିଥିଲେ। ଦିଲ୍ଲୀରେ ପହଞ୍ଚିବା ପରେ ସେଠାରେ ପ୍ରଥମେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ ଆଜି ପୂର୍ବାହ୍‌ଣରେ ସମ୍ପୃକ୍ତ ଯୁବକଜଣକ ବାଲେଶ୍ୱର ଡାକ୍ତରଖାନାରେ ପହଞ୍ଚି ସେ ଚୀନରୁ ଫେରିଥିବା କହି ଏହି ରୋଗ ଓ ତାର ଲକ୍ଷଣ ସମ୍ପର୍କରେ ଡାକ୍ତରଙ୍କ ଠାରୁ ଜାଣିବାକୁ ଚାହିଁଥିଲେ। ତେବେ ତାଙ୍କଠାରେ କରୋନା ରୋଗର ସେପରି କେଣସି ଲକ୍ଷଣ ଦେଖାଯାଇ ନଥିଲା। ତେଣୁ ଆଗକୁ କାଳେ ଲକ୍ଷଣ ଜଣାପଡ଼ିବ ସେଥିଲାଗି ଏକ ତିନିଜଣିଆ ଚିକିତ୍ସା ବିଶେଷଜ୍ଞ ଦଳଙ୍କ ସହ ସନ୍ଦିଗ୍ଧ ଯୁବକଙ୍କୁ ତାଙ୍କ ଘରକୁ ପଠାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର