ରାଜ୍ୟର ଦ୍ବିତୀୟ କେନ୍ଦ୍ର ଭାବେ ଭୁବନେଶ୍ବର ଏମ୍‌ସରେ ଆରମ୍ଭ ହେଲା କରୋନା ନମୁନା ପରୀକ୍ଷା

ଭୁବନେଶ୍ବର : ରାଜ୍ୟରେ ଦ୍ବିତୀୟ ପରୀକ୍ଷା କେନ୍ଦ୍ର ଭାବେ ଭୁବନେଶ୍ବର ଏମ୍‌ସରେ କରୋନା(କୋଭିଡ-୧୯) ନମୁନା ପରୀକ୍ଷା ଆଜିଠାରୁ  ଆରମ୍ଭ ହୋଇଛି। ଏମ୍‌ସ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ବୁଧବାର ଏଠାରେ ୩ଟି ନମୁନା ପରୀକ୍ଷା ହୋଇଛି ଏବଂ ୩ଟି ଯାକ ନ‌େଗେଟିଭ ବୋଲି ଜଣାପଡ଼ିଛି। ପୂର୍ବରୁ ଯଦି ସରକାରଙ୍କ ପକ୍ଷରୁ କୋଭିଡ୍‌-୧୯ ପରୀକ୍ଷା ପାଇଁ ଅନୁମତି ଦିଆଯିବ, ତା’ ହେଲେ ଆସନ୍ତା ବୁଧବାରଠାରୁ ଏମ୍‌ସ ଭୁବନେଶ୍ବରରେ ଏହି ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ ନିର୍ଦ୍ଦେଶିକା ଡା. ଗୀତାଞ୍ଜଳି ବି.। ଉଲ୍ଲେଖଯୋଗ୍ୟ, ଏଯାବତ୍ ରାଜ୍ୟରେ ୧୩୩ଟି ନମୁନା ପରୀକ୍ଷା ହୋଇଛି ଓ ସେଥିମଧ୍ୟରୁ ୧୨୯ଟି ନେଗେଟିଭ୍ ବାହାରିଛି।

ଅପରପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣକୁ ନଜରରେ ରଖି ଏମ୍‌ସକୁ ନିୟମିତ ଓପିଡି ବା ବର୍ହିବିଭାଗକୁ ନିୟମିତ ଚିକିତ୍ସା ପାଇଁ ନ ଆସିବା ଲାଗି ଏମ୍‌ସ କର୍ତୃପକ୍ଷ ରୋଗୀଙ୍କୁ ଅନୁରୋଧ କରିଛନ୍ତି। ଏବେ ଏମ୍‌ସରେ କେବଳ ଜରୁରୀକାଳୀନ ଶଲ୍ୟ ଚିକିତ୍ସା ବା ଏମର୍ଜେନ୍ସି ଚିକିତ୍ସା କରାଯାଉଥିବା କର୍ତୃପକ୍ଷ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଏବେ ରାଜ୍ୟରେ କେବଳ ଆରଏମ୍‌ଆରସିରେ କରୋନା ପରୀକ୍ଷା କରାଯାଉଥିଲା । ବୁଧବାର ଏମ୍‌ସ ଭୁବନେଶ୍ବରରେ  କରୋନା ପରୀକ୍ଷା ଆରମ୍ଭ ହେବା ପରେ  ଆରଏମ୍‌ଆରସି ଉପରେ ହେଉଥିବା ଚାପ କିଛି ମାତ୍ରରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର