ପଶ୍ଚିମ ଓଡ଼ିଶା ରୋଗୀଙ୍କୁ ଭଗବାନ ଭରସା : କରୋନା ପାଇଁ ମାତ୍ର ୯ ଭେଣ୍ଟିଲେଟର

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ଯଦି କରୋନା ପ୍ରକୋପ ବୃଦ୍ଧି ପାଏ, ତେବେ କେମିତି ହେବ ରୋଗୀଙ୍କ ଚିକିତ୍ସା? ଗୁରୁତର କରୋନା ଆକ୍ରାନ୍ତଙ୍କ ପାଇଁ ଭେଣ୍ଟିଲେଟର ଅତି ଆବଶ୍ୟକ ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ସ୍ବାସ୍ଥ୍ୟସେବାର ସବୁଠାରୁ ବଡ଼ ପ୍ରତିଷ୍ଠାନ ବୁର୍ଲା ଭିମ୍‌ସାରରେ ଏଥିଲାଗି ମାତ୍ର ୯ଟି ଭେଣ୍ଟିଲେଟର ରହିଥିବା ଜଣାପଡ଼ିଛି। ଅର୍ଥାତ ଏକ ସମୟରେ ଅତିବେଶିରେ ୯ ଜଣ ଗୁରୁତର ଆକ୍ରାନ୍ତଙ୍କୁ ହିଁ ଚିକିତ୍ସା ଯୋଗାଇ ଦିଆଯାଇପାରିବ। ଅନ୍ୟମାନଙ୍କୁ ଭଗବାନ ଭରସା। କାରଣ ବିଭିନ୍ନ ଜିଲ୍ଲା ଡାକ୍ତରଖାନାରେ ଭେଣ୍ଟିଲେଟର ନାହିଁ। ମାତ୍ର ୪ଟି ଘରୋଇ ନର୍ସିଂହୋମ୍‌ରେ ଭେଣ୍ଟିଲେଟର ବ୍ୟବସ୍ଥା ଥିଲେ ବି ଏଠାରେ କରୋନା ରୋଗୀଙ୍କୁ ଚିକିତ୍ସା କରାଯାଇପାରିବ ନାହିଁ।

ଏହାକୁ ଦୃଷ୍ଟିରେ ରଖି ଭିମ୍‌ସାରକୁ ପ୍ରଥମ ପର୍ଯ୍ୟାୟରେ ୧୦ ଏବଂ ପରବର୍ତ୍ତୀ ସମୟରେ ଅଧିକ ସଂଖ୍ୟାରେ ଭେଣ୍ଟିଲେଟର ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ସୂଚନା ମିଳିଛି। ମାତ୍ର ଏ ପର୍ଯ୍ୟନ୍ତ ଏ ନେଇ କିଛି ପ୍ରତିଶ୍ରୁତି କି ଉତ୍ତର ମିଳିନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ଯୋଗାଇ ଦିଆଯିବ କି ନା ତାହା ମଧ୍ୟ ସ୍ପଷ୍ଟ ହୋଇନି।

ବିଶେଷଜ୍ଞ ଅନୁସାରେ, ସମୁଦାୟ କରୋନା ରୋଗୀଙ୍କ ମଧ୍ୟରୁ ପ୍ରାୟ ୨୦ ପ୍ରତିଶତଙ୍କ ପାଇଁ ଭେଣ୍ଟିଲେଟରର ଆବଶ୍ୟକତା ରହୁଥିବା ଦେଖାଯାଉଛି। ଯେଉଁମାନଙ୍କ ନିଶ୍ବାସ ନେବାରେ ସମସ୍ୟା ହୁଏ,ଭେଣ୍ଟିଲେଟର ଜରିଆରେ ସେମାନଙ୍କ ଜୀବନ ବଞ୍ଚାଯାଉଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଭିମସାରରେ ୫୦୦ ଶଯ୍ୟାର ଯୋଜନା ରହିଛି। ଏଥିରେ ୩୦୦ ଭେଣ୍ଟିଲେଟର ରହିବା ଉଚିତ ବୋଲି କୁହାଯାଉଛି। ସରକାରୀ ସୂତ୍ରରେ ଏହାକୁ ସ୍ପଷ୍ଟ କରାଯାଉ ନାହିଁ। ଭିମସାରରେ ମୋଟ ୩୦ଟି ଭେଣ୍ଟିଲେଟର ବ୍ୟବସ୍ଥା ଥିଲେ ମଧ୍ୟ କରୋନା ଆକ୍ରାନ୍ତଙ୍କ ପାଇଁ ୯ଟିକୁ ସଂରକ୍ଷିତ ରଖାଯାଇଛି।

ସମ୍ବନ୍ଧିତ ଖବର