ରାୟଗଡ଼ା, (ନବୀନ ଚନ୍ଦ୍ର ସାହୁ): ଶୁଣ, ଶୁଣ..। ଏହି ଘଣ୍ଟ ମାଧ୍ୟମରେ ସମସ୍ତଙ୍କୁ ସୂଚାଇ ଦିଆଯାଉଛି, କରୋନା କବଳରୁ ବର୍ତ୍ତିବା ପାଇଁ ସମସ୍ତେ ଘରେ ରୁହନ୍ତୁ। ସାମାଜିକ ଦୂରତା ବଜାଇ ରଖନ୍ତୁ। ଜ୍ବର, କାଶ, ଛିଙ୍କ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ…।
ରାତି ପାହିବା କ୍ଷଣି ରାୟଗଡ଼ା ଜିଲ୍ଲାର ଦୁର୍ଗମ, ପାହାଡ଼ିଆ ଗ୍ରାମାଞ୍ଚଳରେ ଶୁଣିବାକୁ ମିଳିଛୁ ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ଏପରି ସ୍ବର। ନିଜ ଜୀବନକୁ ବାଜି ଲଗାଇ ଦୁର୍ଗମ ଅଞ୍ଚଳରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଆଶା, ଅଙ୍ଗନବାଡ଼ିକର୍ମୀ। କିଏ ଘଣ୍ଟ ପିଟି ଲୋକଙ୍କୁ ସଚେତନ କରୁଛି ତ, କିଏ ପୋଷ୍ଟର ଲଗାଇ କରୋନାର ଭୟବହତାକୁ ଲୋକଙ୍କୁ ବୁଝାଉଛି। କୁଇ, ଆଦିବାସୀ, ତେଲୁଗୁ ଏବଂ ଓଡ଼ିଆ ଭାଷାରେ ଆଶା, ଅଙ୍ଗନବାଡ଼ି କର୍ମୀ ସଚେତନ କରିବା ସହିତ ୨୧ ଦିନ ସଂପୂର୍ଣ ଭାବେ ଗୃହାବଦ୍ଧ ହୋଇ ରହିବାକୁ କହୁଛନ୍ତି। ଏଥି ସହିତ ମାସ୍କ ନଚେତ୍ ମୁହଁରେ ରୁମାଲ୍ ବାନ୍ଧିବାକୁ ଯାତାୟତ କରିବାକୁ ପରାମର୍ଶ ଦେଉଛନ୍ତି। ଏପରି ବିପଦ ସମୟରେ ସରକାର ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଥିବା ବେଳେ ଆଶା, ଅଙ୍ଗନବାଡ଼ି କର୍ମୀ ନିଜ ଜୀବନକୁ ପାଣି ଛଡ଼ାଇ ତୁଲାଉଥିବା ଦାୟିତ୍ବକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
/sambad/media/post_attachments/wp-content/uploads/2020/03/rayagada3f-300x225.jpg)
ରାୟଗଡ଼ା ବ୍ଲକର ଧୁମାଗୁଡ଼ାଠୁ ଆରମ୍ଭ କରି ଚନ୍ଦ୍ରପୁର ବ୍ଲକର ବୁଡୁବାଲି, କାଶୀପୁର ବ୍ଲକର ତଳଝିରି ସମେତ ଜିଲ୍ଲାର ସମସ୍ତ ଗ୍ରାମରେ ସମାନ୍ ଚିତ୍ର। ସରକାରଙ୍କ ନିର୍ଦେଶକୁ ପାଳନ କରି ପରିବାରକୁ ଛାଡ଼ି ଉପାନ୍ତ ଗାଁରେ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି ଆଶା, ଅଙ୍ଗନବାଡ଼ି କର୍ମୀ। ଗାଁରେ ପୋଷ୍ଟର ମଧ୍ୟ ଲଗାଉଛନ୍ତି। ସହରରେ ପୁଲିସ୍ ଦ୍ବାରା ନାକାବନ୍ଦୀ ଲାଗିଥିବା ବେଳେ ଗାଁରେ ସ୍ବାସ୍ଥ୍ୟସେବା ଓ ସୁରକ୍ଷା ଦାୟିତ୍ବକୁ ହାତକୁ ନେଇଛନ୍ତି ଏମାନେ। ଜିଲ୍ଲାରେ ମୋଟ ୧୯୪୭ ଅଙ୍ଗନବାଡ଼ି କର୍ମୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଘରକୁ ଘର ବୁଲି ଛତୁଆ, ଅଣ୍ଡା ମଧ୍ୟ ବଣ୍ଟନ କରୁଛନ୍ତି। ମାର୍ଚ୍ଚ ମାସର ୧୪ ଦିନର ଛତୁଆ, ଅଣ୍ଡା ବଣ୍ଟନ ସରିଥିବା ବେଳେ ଏପ୍ରିଲ୍ ମାସର ୨୫ ଦିନର ଖାଦ୍ୟ ବଣ୍ଟନ କରାଯିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାନ୍ତଲାଲ ଦୀପ। ସେହିପରି ୧୮୨୭ ଆଶା କର୍ମୀ କରୋନା ସଚେତନତା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲିଥିବା କ୍ବାରାଣ୍ଟାଇନ୍ କେନ୍ଦ୍ରରେ ୬୪୦ ଗାଁର ୧୯୯୫ ଜଣ ଥିବା ବେଳେ ସ୍ବାସ୍ଥ୍ୟସେବା ଯୋଗାଇବା ସହ ଟୀକାକରଣ କାର୍ଯ୍ୟ ବି ସ୍ବାସ୍ଥ୍ୟକର୍ମୀ ହାତକୁ ନେଇଥିବା କହିଛନ୍ତି ଜାତୀୟ ସ୍ବାସ୍ଥ୍ୟ ମିଶନ୍ ଜିଲ୍ଲା ପ୍ରକଳ୍ପ ପରିଚାଳକ ରାଜେଶ୍ବର ପଟ୍ଟନାୟକ। କେରଳ, କର୍ଣ୍ଣାଟକ, ବିହାର, ଉତ୍ତରପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ଦାଦନ ଖଟିବାକୁ ଯାଇଥିବା ୨୦ ହଜାରରୁ ଉର୍ଧ୍ବ ଶ୍ରମିକ ଏବେ ଗାଁ ମୁହାଁ ହୋଇଥିବାରୁ ସମସ୍ତଙ୍କ ଉପରେ ନଜର ରଖିଛନ୍ତି ସ୍ବାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀ। ସରପଞ୍ଚ, ୱାର୍ଡମେମ୍ବର, ଜିଆରଏସ୍, ବିଡ଼ିଓଙ୍କ ମାଧ୍ୟମରେ ଦାଦନ ଫେରନ୍ତାଙ୍କୁ ଚିହ୍ନଟ କରି ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଯାହା ଜିଲ୍ଲା ପ୍ରଶାସନ ପାଇଁ ଆର୍ଶୀବାଦ ସଦୃଶ୍ୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/rayagada-f-1.jpg)