ରାଜ୍ୟରେ ଏପ୍ରିଲ ୩୦ ଯାଏ ବଢ଼ିଲା ଲକ୍‌ଡାଉନ୍

ଜୁନ୍ ୧୭ ଯାଏ ସ୍କୁଲ, କଲେଜ ଛୁଟି

ବିମାନ ଓ ରେଳ ଚଳାଚଳ ବନ୍ଦ ଲାଗି କେନ୍ଦ୍ରକୁ ଜଣାଇଲା ଓଡ଼ିଶା
ସାମାଜିକ ଦୂରତ୍ବ ରଖି ରାଜ୍ୟରେ କୃଷି ଓ ମନରେଗା କାର୍ଯ୍ୟ ଚାଲିବ
ଅର୍ଥନୀତି ନୁହେଁ, ମଣିଷ ଜୀବନ ଗୁରୁତ୍ବପୂର୍ଣ୍ଣ : ନବୀନ

ଭୁବନେଶ୍ବର : ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଲକ୍‌ଡାଉନ୍ ଅବଧିକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ଏ ସଂକ୍ରାନ୍ତରେ ବିଚାର ଲାଗି କେନ୍ଦ୍ର ସରକାରଙ୍କୁ ଓଡ଼ିଶା ପ୍ରସ୍ତାବ ଦେଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ କରୋନା ସଂକ୍ରମଣରେ ଓଡ଼ିଶାର ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମଧ୍ୟ ଘୋଷଣା କରିଛନ୍ତି।

ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂରେ ହୋଇଥିବା କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଏକ ଭିଡିଓ ବାର୍ତ୍ତା ଜାରି କରି ସମ୍ବୋଧନ କରିଥିଲେ। କହିଥିଲେ, ”ରାଜ୍ୟବାସୀ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଯେଭଳି ସହଯୋଗ ଓ ସମର୍ଥନ ଜଣାଇଥିଲେ, ସେଥିଲାଗି ମୁଁ ଧନ୍ୟବାଦ ଜଣାଉଛି। ମୁଁ ଜାଣେ, ଏଥିପାଇଁ ବହୁତ କଷ୍ଟ ସହିବାକୁ ପଡୁଛି। ଅନେକ ତ୍ୟାଗ କରିବାକୁ ପଡୁଛି। କିନ୍ତୁ ପରିସ୍ଥିତିର ମୁକାବିଲା କରିବା ପାଇଁ ଏହା ହିଁ ଏକମାତ୍ର ବାଟ।”

ଆମେରିକାର ଉଦାହରଣ ଦେଇ ନବୀନ କହିଥିଲେ, ”ଏହି ସମୟ ମଧ୍ୟରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ କରୋନା ମାମଲା ୩ହଜାରରୁ ଆସି ୪ଲକ୍ଷରେ ପହଞ୍ଚିଛି। ୯/୧୧ର ଆତଙ୍କବାଦୀ ଆକ୍ରମଣଠାରୁ ଆରମ୍ଭ କରି ବିଭିନ୍ନ ଯୁଦ୍ଧରେ ଆମେରିକାର ଯେତେ ଲୋକ ପ୍ରାଣବଳୀ ଦେଇଥିଲେ ତା’ ଠାରୁ ଅଧିକ ଲୋକ କରୋନାର ଶିକାର ହୋଇଛନ୍ତି। ତଥାପି ଆମେରିକା ସମ୍ପୂର୍ଣ୍ଣ ଭାବେ ଲକ୍‌ଡାଉନ୍ ଘୋଷଣା କରିନାହିଁ।”

ମୁଖ୍ୟମନ୍ତ୍ରୀ କହିଥିଲେ, ଏହି କଠିନ ପରିସ୍ଥିତିରେ ମଣିଷ ଜୀବନ ଓ ଅର୍ଥନୀତି ମଧ୍ୟରେ ନିଷ୍ପତ୍ତି ନେବାକୁ ପଡ଼ିବ। ଏହି ସମୟରେ ମଣିଷ ଜୀବନକୁ ହିଁ ଅଧିକ ଗୁରୁତ୍ବପୂର୍ଣ୍ଣ ଭାବି ଆମେ ନିଷ୍ପତ୍ତି ନେଇଛୁ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଲକ୍‌ଡାଉନ୍ ସମୟସୀମା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଲାଗି ନିଷ୍ପତ୍ତି ନେଇଛୁ। ରାଜ୍ୟ କ୍ୟାବିନେଟ୍ ଆଜି ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ବି ସୁପାରିସ କରିଛି। ସେହିପରି ଏପ୍ରିଲ ୩୦ ତାରିଖ ଯାଏ ରେଳ ଓ ବିମାନ ସେବା ବନ୍ଦ ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି।

ଓଡ଼ିଶା ବାହାରେ ଥିବା ବିଭିନ୍ନ ଶ୍ରମିକଙ୍କ ସଂପର୍କରେ ସୂଚନା ଦେଇ ନବୀନ କହିଥିଲେ, ସେମାନଙ୍କ ଯତ୍ନ ଓ ସୁରକ୍ଷା ପାଇଁ ସଂପୃକ୍ତ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି। ଓଡ଼ିଶା ସରକାର ମଧ୍ୟ ଏଠାରେ ରହିଯାଇଥିବା ଅନ୍ୟ ଶ୍ରମିକମାନଙ୍କର ଯତ୍ନ ନେଉଛନ୍ତି। ତେବେ ଏହି ଲକ୍‌ଡାଉନ୍ ସମୟରେ କୃଷି କାର୍ଯ୍ୟ ଜାରି ରହିବ। ଗରିବ ଲୋକମାନଙ୍କୁ ରୋଜଗାର ଦେବା ପାଇଁ ମନରେଗା କାର୍ଯ୍ୟକ୍ରମ ଚାଲୁ ରହିବ। ଏସବୁ କାମରେ ସାମାଜିକ ଦୂରତ୍ବ କଡ଼ାକଡ଼ି ଭାବେ ପାଳନ କରାଯିବ। ଲୋକଙ୍କ ଖାଦ୍ୟ ନିରାପତ୍ତା ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତେଣୁ ଲକ୍‌ଡାଉନ୍ ସମୟରେ ଯେପରି ମାଲ୍‌ ପରିବହନରେ କୌଣସି ସମସ୍ୟା ସୃଷ୍ଟି ନହୁଏ, ସେଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି।

ରାଜ୍ୟରେ କୋଭିଡ୍ ପରୀକ୍ଷା ପାଇଁ ସରକାର ସବୁ ପଦକ୍ଷେପ ନେଉଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଖୁବ୍ ଶୀଘ୍ର ରାଜ୍ୟରେ ୧ଲକ୍ଷ ରାପିଡ୍ ଟେଷ୍ଟିଂ ସୁବିଧା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ େଯ ରାଜ୍ୟର ସମସ୍ତ ସ୍କୁଲ କଲେଜ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।

କରୋନା ଗତ ଶତାବ୍ଦୀ ମଧ୍ୟରେ ମାନବ ସଭ୍ୟତାର ସବୁଠାରୁ ବଡ଼ ଶତ୍ରୁ ଭାବେ ଉଭା ହୋଇଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଜୀବନଯାତ୍ରା ଆଉ ଆଗଭଳି ହୋଇ ରହିନାହିଁ। ଆମେ ସମସ୍ତେ ବୁଝିବା ଦରକାର ଓ ସାହସର ସହିତ ମୁକାବିଲା ପାଇଁ କାମ କରିବା ଉଚିତ। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆମ ସମସ୍ତଙ୍କ ତ୍ୟାଗ ହିଁ ଏ କଠିନ ପରିସ୍ଥିତିରୁ ଆମକୁ ମୁକୁଳାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର