ଅଧିକାଂଶ ପଞ୍ଚାୟତରେ ଏବେ ବି ଖୋଲିନି ସଙ୍ଗରୋଧ ଗୃହ : ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତି ଗାଁରେ ବୁଲୁଛନ୍ତି

କେନ୍ଦୁଝର : କରୋନା ସଂକ୍ରମଣକୁ ରୋକିବାକୁ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ମାତ୍ର ତୃଣମୂଳସ୍ତରରେ ଏହାକୁ ଯେଭଳି କାର୍ଯ୍ୟକାରୀ କରାଯିବା କଥା ତାହା କରାଯାଉନାହିଁ। ବିଭିନ୍ନ ପଞ୍ଚାୟତରେ ରାଜ୍ୟ ବାହାରୁ ଆସୁଥିବା ଶ୍ରମିକ କିମ୍ବା ବ୍ୟକ୍ତିବିଶେଷଙ୍କ ପାଇଁ ସଂଗରୋଧ ଗୃହ ପ୍ରସ୍ତୁତ କରିବାକୁ ସମସ୍ତ ପଞ୍ଚାୟତକୁ ନିର୍ଦେଶ ଦିଆଯାଇଥିଲେ ବି ୯୫ ପ୍ରତିଶତ ପଞ୍ଚାୟତରେ ଖୋଲାଯାଇ ନାହିଁ।

କେନ୍ଦୁଝର ଜିଲ୍ଲାରେ ମାର୍ଚ୍ଚ ୨୩ ତାରିଖ ସୁଦ୍ଧା ବିଭିନ୍ନ ରାଜ୍ୟରୁ ପ୍ରାୟ ୧୩୦୦ ବ୍ୟକ୍ତି କେନ୍ଦୁଝର ଜିଲ୍ଲାକୁ ଆସିଛନ୍ତି। ଇତିମଧ୍ୟରେ ତିନିଦିନ ବିତିଯାଇଥିଲେ ସୁଦ୍ଧା ସରକାରୀସ୍ତରରେ ଗତ ୨୩ ତାରିଖରୁ ଆଉ ରାଜ୍ୟ ବାହାରୁ ଫେରୁଥିବା ବ୍ୟକ୍ତିଙ୍କ ତଥ୍ୟ ଦିଆଯାଉନାହିଁ। ତେଣୁ ଏହି ସଂଖ୍ୟା ପ୍ରାୟ ୨ହଜାରରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ଏଭଳିସ୍ଥଳେ ଜିଲ୍ଲାର ସବୁ ପଞ୍ଚାୟତରେ କିଛି କିଛି ରାଜ୍ୟ ବାହାର ଫେରନ୍ତା ପହଞ୍ଚିଛନ୍ତି। ସେମାନଙ୍କୁ ସଂଗରୋଧରେ ରଖି ସ୍ବାସ୍ଥ୍ୟ ପ୍ରତି ନଜର ରଖିବାକୁ ନିର୍ଦେଶ ଥିଲା। ଏହାପରେ ଗତ ୧୬ ତାରିଖରେ ବିଡିଓ ସମସ୍ତ ପଞ୍ଚାୟତକୁ ଚିଠି କରି ସଙ୍ଗରୋଧ ଗୃହ ପ୍ରସ୍ତୁତ କରିବାକୁ କହିଥିଲେ। ଇତିମଧ୍ୟରେ ୧୦ ଦିନ ବିତିଲାଣି। କୌଣସି ପଞ୍ଚାୟତରେ ସଙ୍ଗରୋଧ ଗୃହ ପୂର୍ଣ୍ଣମାତ୍ରାରେ ପ୍ରସ୍ତୁତ ହୋଇନାହିଁ। ଏମିତିକି ୯୫ ପ୍ରତିଶତ ପଞ୍ଚାୟତରେ ଚିହ୍ନଟ ହୋଇଥିବା ସ୍ଥାନରେ ଏହି ଗୃହର ତାଲା ବି ଖୋଲା ହୋଇନାହିଁ। କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍‌ର ଉଦାହରଣ ନିଆଯାଉ। ବ୍ଲକର ୨୫ଟି ପଞ୍ଚାୟତରେ ସଂଗରୋଧ ଗୃହ ପ୍ରସ୍ତୁତ କରିବାକୁ ବିଡିଓ ଜଗନ୍ନାଥ ହନୁମାନ ସବୁ ପଞ୍ଚାୟତକୁ ଚିଠି କରିଥିଲେ। ପ୍ରତି ପଞ୍ଚାୟତରେ ନିର୍ଦିଷ୍ଟ ଭାବେ ପାଣି ଓ ବିଜୁଳି ସୁବିଧା ଥିବା ସରକାରୀ ଗୃହରେ ସଂଗରୋଧ କେନ୍ଦ୍ର ପ୍ରସ୍ତୁତ ହେବ।

ତଦନୁଯାୟୀ ବରଦାପାଳ ପଞ୍ଚାୟତର କୁସୁମିତା ୟୁଜିୟୁପି ସ୍କୁଲ, ବାଉରିପଦା ପଞ୍ଚାୟତରେ କେମ୍ପସଡ଼ା ନୋଡାଲ ୟୁପି ସ୍କୁଲ, ବୋଦାପଳସା ପଞ୍ଚାୟତରେ ଚନ୍ଦ୍ରଶେଖର ହାଇସ୍କୁଲ, ଡିମ୍ବୋ ପଞ୍ଚାୟତରେ ଜନମଙ୍ଗଳ ହାଇସ୍କୁଲ, ଗୋବର୍ଦ୍ଧନ ପଞ୍ଚାୟତରେ ସେଣ୍ଡକାପ ନୋଡାଲ ୟୁପି ସ୍କୁଲ, ଗୋପୀନାଥପୁର ପଞ୍ଚାୟତରେ ସିଲିସୁଆଁ ନୋଡାଲ ୟୁପି ସ୍କୁଲ, ହାଣ୍ଡିଭଙ୍ଗା ପଞ୍ଚାୟତରେ ଆମଣି ପଞ୍ଚସଖା ସରକାରୀ ହାଇସ୍କୁଲ, ଜନାର୍ଦ୍ଦନପୁର ପଞ୍ଚାୟତରେ ସରକାରୀ ହାଇସ୍କୁଲ, କଣ୍ଡରାପଶି ପଞ୍ଚାୟତରେ ସିଲିସୁଆଁଠାରେ ଏହି ସଂଗରୋଧ ଗୃହ ପ୍ରସ୍ତୁତ କରାଯିବା କଥା। ସେହିପରି କାଠବାରି ପଞ୍ଚାୟତରେ ଜଗନ୍ନାଥପୁର, କାଉଁରିକଳା ପଞ୍ଚାୟତରେ ଗ୍ରାମପଞ୍ଚାୟତ ହାଇସ୍କୁଲ, ମହାଦେଇଯୋଡ଼ା ପଞ୍ଚାୟତରେ ଲକ୍ଷ୍ମୀନାରାୟଣ ହାଇସ୍କୁଲ, ମଇଦାନକେଲ ପଞ୍ଚାୟତରେ ପ୍ରଗତି ହାଇସ୍କୁଲ, ମଣ୍ଡୁଆ ପଞ୍ଚାୟତରେ ଗୁମୁରା ପ୍ରୋଜେକ୍ଟ ୟୁପି ସ୍କୁଲ, ନରଣପୁର ପଞ୍ଚାୟତରେ ନରଣପୁର ଏମ୍‌ଇ ସ୍କୁଲ, ନେଲୁଙ୍ଗ ପଞ୍ଚାୟତରେ ନେଲୁଙ୍ଗ ପ୍ରାଇମେରୀ ସ୍କୁଲ, ନୂଆଗାଁ ପଞ୍ଚାୟତରେ ନୂଆଗଁ ଏମ୍‌ଇ ସ୍କୁଲ, ପଦ୍ମପୁର ପଞ୍ଚାୟତରେ ମା ଲକ୍ଷ୍ମୀ ହାଇସ୍କୁଲ, ପଳାଶପଙ୍ଗା ପଞ୍ଚାୟତରେ ନୋଡାଲ ୟୁପି ସ୍କୁଲ, ପର୍ଜ୍ଜନପୁର ପଞ୍ଚାୟତରେ ଜଗନ୍ନାଥପୁର, ରଘୁନାଥପୁର ପଞ୍ଚାୟତରେ ଗୋପାଳପୁର, ରାଇକଳା ପଞ୍ଚାୟତରେ ଜିବି ହାଇସ୍କୁଲ, ରାଇସୁଆଁ ପଞ୍ଚାୟତରେ ରାଇସୁଆଁ ହାଇସ୍କୁଲ, ଶଙ୍କିରି ପଞ୍ଚାୟତରେ ତେରଣ୍ଟି ଏମ୍‌ଇ ସ୍କୁଲ, ଶିରିଶପାଳ ପଞ୍ଚାୟତରେ ଶିରିଶପାଳ ୟୁପି ସ୍କୁଲରେ ସଂଗରୋଧ ଗୃହ ପ୍ରସ୍ତୁତ ପାଇଁ ନିର୍ଦେଶ ଦିଆଯାଇଥିଲା।

ଆଜି ସମ୍ବାଦର ଅନୁସନ୍ଧାନ ଟିମ୍‌ ‌ସଦର ବ୍ଲକ୍‌ର ବରଦାପାଳ ପଞ୍ଚାୟତ, ଶିରିଶପାଳ ପଞ୍ଚାୟତ, ମହାଦେଇଯୋଡ଼ା ପଞ୍ଚାୟତ, ରାଇସୁଆଁ ପଞ୍ଚାୟତ, ନେଲୁଙ୍ଗ ପଞ୍ଚାୟତ, ମଣ୍ଡୁଆ ପଞ୍ଚାୟତ, ଡିମ୍ବୋ ପଞ୍ଚାୟତକୁ ଯାଇ ଅନୁଧ୍ୟାନ କରିଥିଲେ। ଏଥିମଧ୍ୟରୁ ନେଲୁଙ୍ଗ ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହ ପୂର୍ବବତ୍‌ ତାଲା ପଡ଼ି ରହିଥିଲା। ସେହିପରି ମହାଦେଇଯୋଡ଼ା ପଞ୍ଚାୟତର ଲକ୍ଷ୍ମୀନାରାଣ ବିଦ୍ୟାଳୟରେ ମଧ୍ୟ ସଂଗରୋଧ ଗୃହ ଖୋଲି ନ ଥିଲା। ବରଦାପାଳ ପଞ୍ଚାୟତର କୁସୁମିତା ୟୁଜିୟୁପି ସ୍କୁଲରେ ଏହି ସଂଗରୋଧ ‌ଗୃହ ପ୍ରସ୍ତୁତ ଥିଲା। ସେହିପରି ବୋଦାପଳସା ପଞ୍ଚାୟତର ଚନ୍ଦ୍ରଶେଖର ହାଇସ୍କୁଲରେ ହଷ୍ଟେଲ ଗୃହ ଥିଲେ ବି ଏହା କାର୍ଯ୍ୟକ୍ଷମ ହୋଇନାହିଁ। ଡିମ୍ବୋ ପଞ୍ଚାୟତରେ ଥିବା ଜନମଙ୍ଗଳ ହାଇସ୍କୁଲରେ ବେଡ୍‌ ପଡ଼ିବା ସହିତ ହାତ ଧୋଇବା ପାଇଁ ଟ୍ୟାପ୍‌ ସହିତ ସମସ୍ତ ପ୍ରକାର ଅନୁଷଙ୍ଗିକ ବ୍ୟବସ୍ଥା ସରିଥିଲା। ମାତ୍ର କୌଣସି ବ୍ୟକ୍ତି ସଂଗରୋଧ‌ରେ ନ ଥିଲେ। ଅନ୍ୟ ଏକ ଉଦାହରଣ ଯଦି ନେବା ଡିମ୍ବୋ ପଞ୍ଚାୟତରେ ୧୨ ଜଣ ବ୍ୟକ୍ତି ବିଭିନ୍ନ ରାଜ୍ୟରୁ ଗତ କିଛି ଦିନ ମଧ୍ୟରେ ଗାଁକୁ ଫେରିଛନ୍ତି। ସେମାନେ କେହି ଏପର୍ଯ୍ୟନ୍ତ ସଂଗରୋଧ ଗୃହର ରହିନାହାନ୍ତି। ସେହିପରି ନେଲୁଙ୍ଗ ପଞ୍ଚାୟତରେ ଗତ କିଛି ଦିନ ମଧ୍ୟରେ ୮ ଜଣ ବ୍ୟକ୍ତି ବିଭିନ୍ନ ରାଜ୍ୟରୁ ଫେରିଛନ୍ତି। ଏହି ପଞ୍ଚାୟତରେ ସଂଗରୋଧ ଗୃହ ପ୍ରସ୍ତୁତ ହୋଇ ନାହିଁ କି ଏମାନେ ସଂଗରୋଧରେ ନାହାନ୍ତି। ଏ ସଂପର୍କରେ ଆମେ ସଦର ବିଡିଓ ଜଗନ୍ନାଥ ହନୁମାନଙ୍କୁ ପଚାରିଥିଲୁ। ସେ କହିଥିଲେ, ଆମେ ସବୁ ପଞ୍ଚାୟତକୁ ସଂଗରୋଧ ଗୃହ ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛୁ। ଯେଉଁ‌ଠାରେ ହୋଇନାହିଁ, ଖୁବ୍‌ଶୀଘ୍ର ସେଠାରେ ପ୍ରସ୍ତୁତ କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର