ଜଗନ୍ନାଥ ବଲ୍ଲଭରେ ବଡ଼ କେ‌ଳେଙ୍କାରୀ: ଉଭୟ ସରକାରଙ୍କ ଯୋଜନା ମୁହାଁମୁହିଁ, ରିପୋର୍ଟ ମାଗିଲେ ଏଜି

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପାର୍କିଂ ଓ ଅନ୍ୟାନ୍ୟ କେଳେଙ୍କାରୀ ବାବଦକୁ କୋଟିଏରୁ ଊର୍ଦ୍ଧ୍ବର ହିସାବ ମିଳୁନଥିବା ବେଳେ ଆଉ ଏକ ବିବାଦକୁ ନେଇ ମଠ ଚର୍ଚ୍ଚାକୁ ଆସିଛି। ଶ୍ରୀମନ୍ଦିର ପ୍ରଶାସନ ମଠର ଜମି ନେଇଯିବାକୁ ବସିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏକାଧିକ ଯୋଜନା ଏଠାରେ ମୁହାଁମୁହିଁ ହୋଇଛନ୍ତି। ଉଭୟ ଯୋଜନା କାର୍ଯ୍ୟକ୍ଷମ ହେଲେ ଯେ କୌଣସି ଗୋଟିଏ ଯୋଜନାରେ ହୋଇଥିବା ନିର୍ମାଣକୁ ଧ୍ବଂସ କରିବାକୁ ହେବ। ସରକାରଙ୍କ ସୁପାରିସ କ୍ରମେ ଶ୍ରୀଜଗନ୍ନାଥ ବଲ୍ଲଭ ମଠର ଅଡିଟ୍‌ ବେଳେ ଏଜି ଏଭଳି ପ୍ରମାଣ ପାଇ ସରକାରଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି।

୨୦୦୮ ମସିହାରେ ଏହି ମଠ ପରିସରରେ କେନ୍ଦ୍ର ସରକାର ୮କୋଟି ୪୦ ଲକ୍ଷ ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଥିଲେ। ୨୦୧୧ ମସିହାରୁ ଓଟିଡିସି କାମ ଆରମ୍ଭ କରିଥିଲା। ଅଦ୍ୟାବଧି ଓଟିଡିସି କେବଳ ‘ଟଏଲେଟ୍‌ ବ୍ଲକ’ ସମ୍ପୂର୍ଣ୍ଣ କରି ହସ୍ତାନ୍ତର କରିଛି। ଅଗଷ୍ଟ ୨୦୧୫ ପରଠାରୁ ଓଟିଡିସି ସହ ମଠ ନିର୍ବାହୀ ଅଧିକାରୀଙ୍କ ସହ କୌଣସି ପ୍ରକାରର ଯୋଗାଯୋଗ ହୋଇ ନାହିଁ। ତେବେ ଅଦ୍ୟାବଧି ଓଟିଡିସି ୧୦ଟି କାମ ସାରିଦେଇଛି। ଏଥିରେ ୩ଟି କ୍ରାଫ୍ଟ କମ୍ପ୍ଲେକ୍ସ, ପାଦଚଲା ବାଟ, ଟାଙ୍କି ନବୀକରଣ, ଖୋଲା ପିଣ୍ଡି, ପାର୍କିଂ ସ୍ଥାନ ରହିଛି। ଅନ୍ୟପଟେ ଠାକୁରଙ୍କ ଜମିରେ କୌଣସି ପ୍ରକାରର ନିର୍ମାଣ ହୋଇ ପାରିବ ନାହିଁ। ଓଡ଼ିଶା ହିନ୍ଦୁ ଧର୍ମ ଦେବୋତ୍ତର ଆଇନ(ଓଏଚ୍‌ଆରଇ) ସହ ହାଇକୋର୍ଟଙ୍କର ମଧ୍ୟ ଏଭଳି ଆଦେଶ ରହିଛି। ଏଣୁ ନିର୍ମାଣଗୁଡ଼ିକୁ ମଠକୁ ହସ୍ତାନ୍ତର କରାଯାଇ ନାହିଁ କିମ୍ବା ପ୍ରକଳ୍ପରୁ ହେଉଥିବା ଆୟ ମଠକୁ ଦିଆଯାଉ ନାହିଁ। ଏଣୁ ଓଟିଡିସି ଓ ପର୍ଯ୍ୟଟନ ବିଭାଗ ଓଏଚ୍‌ଆରଇ ଆଇନ ସହ ହାଇକୋର୍ଟ ଆଦେଶ ଅମାନ୍ୟ କରିଥିବା ଏଜି ପ୍ରଶ୍ନ ଉଠାଇଛନ୍ତି। କୌତୂହ​ଳର କଥା ହେଉଛି, ୨୦୧୫ରେ କେନ୍ଦ୍ର ସରକାର ଏଠାରେ ‘ହୃଦୟ ଯୋଜନା’ରେ ୪ଟି ପ୍ରକଳ୍ପ ମଞ୍ଜୁର କରିଥିଲେ। ୨୫ ଏକର ଜମି‌ରେ କ୍ରାଫ୍ଟ କମ୍ପ୍ଲେକ୍ସ, ମଲ୍ଟି ଲେବେଲ ପାର୍କିଂ, ବ୍ୟାଖ୍ୟାନ କେନ୍ଦ୍ର ଓ ତୁଳସୀ ବଗିଚା ନିର୍ମାଣ ଯୋଜନା ଥିଲା।

ପରେ ରାଜ୍ୟ ସରକାର ‘ଅଭଡ଼ା’ ଯୋଜନାରେ ୧୯୦ କୋଟିରେ ଶ୍ରୀ ସେତୁ ଓ ୧୮୦ କୋଟିର ଯାତ୍ରୀ କେନ୍ଦ୍ର ମଞ୍ଜୁର କରିଥିଲେ। ଶ୍ରୀ ସେତୁ ମଠ ପରିସରରୁ ଆରମ୍ଭ ହେଉଥିଲା। ଏଥିରେ ଯେଉଁ ‘ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍‌ ସେଣ୍ଟର’ ହେବାକୁ ଥିଲା ତାହା କେନ୍ଦ୍ର ସରକାରଙ୍କର ବ୍ୟାଖ୍ୟାନ କେନ୍ଦ୍ର ଜାଗାରେ ନିର୍ମାଣ ଯୋଜନା ଥିଲା। ଏଣୁ ଗୋଟିଏ ନିର୍ମ‌ାଣ ଭଙ୍ଗାହେବା ପରେ ଆଉ ଗୋଟିଏ ନିର୍ମାଣ ହୋଇଥାନ୍ତା। ଏହା ଛଡ଼ା ବ୍ୟାଖ୍ୟାନ କେନ୍ଦ୍ର, ରଥଖଳା, ପିଣ୍ଡି, କ୍ରାଫ୍ଟ କମ୍ପ୍ଲେକ୍ସ, ଷ୍ଟାଫ୍‌ କ୍ବାର୍ଟର୍ସ, ପାଥ୍‌ ୱେ ପ୍ରଭୃତି ଏହି ଶ୍ରୀ ସେତୁ ଓ ‘ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍‌ ସେଣ୍ଟର’ ଯୋଗୁ ପ୍ରଭାବିତ ହେଉଛି। ଏଣୁ କେନ୍ଦ୍ର ସରକାରଙ୍କର ହୃଦୟ ଯୋଜନାକୁ ରାଜ୍ୟ ସରକାରଙ୍କର ଅଭଡ଼ା ଯୋଜନା ବିଫଳ କରିବାକୁ ବସିଛି। ଏଥିପାଇଁ ଯୋଜନାର ବାସ୍ତବତାକୁ ନେଇ କମ୍ପ୍ଲାଇ କରିବା ପାଇଁ ଏଜି ସରକାରଙ୍କୁ ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର