କପାଚାଷୀଙ୍କ ଆତ୍ମହତ୍ୟା

ଭବାନୀପାଟଣା :  ପୁଣି ପଶ୍ଚିମ ଓଡ଼ିଶାରେ ଚାଷୀ ଆତ୍ମହତ୍ୟା। କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ସଦର ବ୍ଳକ ମାଦିଗୁଡ଼ା ଗ୍ରାମର କପାଚାଷୀ ବାହାଦୁର ରଣା(୪୦) ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଫସଲହାନି ସାଙ୍ଗକୁ ଋଣବୋଝଜନିତ ଦୁଶ୍ଚିନ୍ତା ଯୋଗୁଁ  ସେ ବିଷ ପିଇଥିବା ପରିବାର ଲୋକେ କହିଛନ୍ତି। ବାହାଦୁର ରଣା ନିଜର ପ୍ରାୟ ୫ ଏକର ଜମିରେ ଚାଷ କରି ଗୁଜୁରାଣ ମେଣ୍ଟାଉଥିଲେ। ଏଥର ଚାଷ ପାଇଁ ଭବାନୀପାଟଣା ୟୁକୋ ବ୍ୟାଙ୍କ ଶାଖାରୁ ୪୦ ହଜାର, ବୋର୍ଡା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ୩୦ ହଜାର, ମାଇକ୍ରୋ ଫାଇନାନ୍ସରୁ ୩୦ ହଜାର, ହାତ ଉଧାରି ୧୫ ହଜାର ଟଙ୍କା ଋଣ କରିଥିଲେ। ଏଥିରେ ପ୍ରାୟ ଚାରି ଏକର ଜମିରେ କପା ଓ ଏକ ଏକର ଜମିରେ ପନିପରିବା ଓ ଧାନ ଚାଷ କରିଥିଲେ। ତେବେ ଗତ ଗତ ବର୍ଷାରେ ଏହି ଚାଷ ଉଜୁଡି ଗଲା।

ଫଳରେ ଋଣ ପରିଶୋଧ ପାଇଁ ବାହାଦୁରଙ୍କ ମୁଣ୍ଡରେ ଦୁଃଶ୍ଚିନ୍ତା ଘାରିଥିଲା। ପ୍ରତି ମାସର ୫ ତାରିଖରେ ମାଇକ୍ରୋଫାଇନାନ୍ସର ଋଣ କିସ୍ତି ପରିଶୋଧ ତାରିଖ ଥିବାରୁ ସେ ପ୍ରବଳ ଚାପରେ ରହୁଥିଲେ।

ପରିବାର ଲୋକଙ୍କ କହିବା କଥା, ଗତକାଲି ଅପରାହ୍ନ ସାଢେ ଚାରିଟାରେ ବାହାଦୁର ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ଚାଷ ଜମିକୁ ଯାଇଥିଲେ। ତେବେ ସଂନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ସ୍ତ୍ରୀ ସବ୍ୟା ଓ ବଡ଼ଝିଅ ପିଙ୍କି ଜମିକୁ ଖୋଜିବାକୁ ଯାଇଥିଲେ। ସେଠାରେ  ବାହାଦୁର ଅଚେତ ଅବସ୍ଥାରେ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ସର୍ମ୍ପକୀୟଙ୍କୁ ଡାକି ସେଠାରୁ ଦଶ କିଲୋମିଟର ଦୂର ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ନେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ଦଶଟାରେ ବାହାଦୁରଙ୍କ ମୃତ୍ୟୁ ହୋଇଥିଲା।

ଋଣ ବୋଝ ସହ୍ୟ କରିନପାରି ବାହାଦୁରଙ୍କ ମୃତ୍ୟୁ ଘଟଣା ଜିଲ୍ଳାର ଚାଷୀ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି। ପ୍ରଥମେ ସ୍ୱଳ୍ପବୃଷ୍ଟି ଓ ପରେ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ କପା ଫସଲ ଉଜୁଡ଼ି ଯାଇଥିବାରୁ ଜିଲ୍ଲାରେ ଅନେକ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ସରକାର ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଓ ବାହାଦୁରଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି ।

ସମ୍ବନ୍ଧିତ ଖବର