କଞ୍ଚା ଆଙ୍କୁଡିରେ ଆମ୍ବ ତୋଳିବା କାଳ ହେଲା, ୧୧ କେଭିରେ ଲାଖି ଦମ୍ପତି ମୃତ

ଫୁଲବାଣୀ : କଞ୍ଚା ବାଉଁଶ ଆଙ୍କୁଡ଼ିରେ ଆମ୍ବ ତୋଳିବା କାଳ ହେଲା। ଆଉ ଗଛ ପାଖ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନିମିଷକରେ ପତି-ପତ୍ନୀଙ୍କ ଜୀବନ ଦୀପ ଲିଭିଗଲା। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ବନ୍ଧଗଡ଼ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଆଜି ଆଲୋଡ଼ନ ସୃଷ୍ଟି କରିଛି। ମୃତ ଦମ୍ପତି ହେଲେ ଦଶରଥ ଭୁକ୍ତା (୫୦) ଓ ସରୋଜିନୀ। ଆଜି ସକାଳେ ଦଶରଥ ଓ ସରୋଜିନୀ ଏକ କଞ୍ଚା ବାଉଁଶ ଆଙ୍କୁଡି ଧରି ଗାଁ ପାଖ ତୋଟାକୁ ଆମ୍ବ ତୋଳିବାକୁ ଯାଇଥିଲେ। ଏହି ସମୟରେ ଗଛ ଦେଇ ଯାଇଥିବା ୧୧ କେଭି ତାରରେ ଆଙ୍କୁଡ଼ିଟି ଲାଖି ଯାଇଥିଲା। ବିଦ୍ୟୁତ ପ୍ରବାହିତ ଉଚ୍ଚ ଶକ୍ତିସଂପନ୍ନ ତାର ସଂସ୍ପର୍ଶରେ ଆସି ସରୋଜିନୀ ତଳେ କଚାଡ଼ି ହୋଇ ପଡ଼ି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଦଶରଥ ପାଖକୁ ଦୌଡ଼ିଥିବା ବେଳେ ସେ ମଧ୍ୟ ବିଦ୍ୟୁତ୍ ଆଘାତରେ ଟଳି ପଡ଼ିଥିଲେ। ନିମିଷକ ମଧ୍ୟରେ ପତି-ପତ୍ନୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଖବର ପ୍ରଘଟ ହେବା କ୍ଷଣି ଘଟଣାସ୍ଥଳ ଲୋକାରଣ୍ୟ ହୋଇ ଯାଇଥିଲା। ଫିରିଙ୍ଗିଆ ପୁଲିସ ପହଞ୍ଚି ତଦନ୍ତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା।

ଏହି ଘଟଣା ପରେ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଉଭୟ ଦିନ ମଜୁରିଆ ଭାବେ ପରିବାର ପ୍ରତିପୋଷଣ କରୁଥିବା ବେଳେ ଗ୍ରୀଷ୍ମ ସମୟରେ ଆମ୍ବ ବେପାର କରୁଥିଲେ। ସପ୍ତାହେ ହେଲା ଆମ୍ବ ତୋଳି ବଜାରକୁ ନେଇ ବିକୁଥିବା ବେଳେ ଶେଷରେ ଏହି ଜୀବିକା ହିଁ ସେମାନଙ୍କ ପାଇଁ କାଳ ଡାକି ଆଣିଲା। ଉଭୟଙ୍କ ମୃତ୍ୟୁ ପରେ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅନାଥ ଏବଂ ବେସାହାରା ହୋଇ ଯାଇଛନ୍ତି। ତୁରନ୍ତ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ପ୍ରଦାନ ଦାବି ହୋଇଛି।

ସମ୍ବନ୍ଧିତ ଖବର