ବେଆଇନ ବାଣ କାରଖାନାରେ ଭୟଙ୍କର ବି‌‌ସ୍ଫୋରଣ : ଦମ୍ପତି ମୃତ

କମିସନରେଟ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ

ଭୁବନେଶ୍ବର/ବାଲିପାଟଣା : ଦୀପାବଳି ପୂର୍ବରୁ ରାଜଧାନୀ ଉପକଣ୍ଠରେ ଚାଲୁଥିବା ଏକ ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ବାଣ ଭିଡ଼ୁଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ, ଜ୍ଞାନେନ୍ଦ୍ର ମିଶ୍ର ଓ ଲକ୍ଷ୍ମୀପ୍ରିୟା ମିଶ୍ର। ବିସ୍ଫୋରଣ ଏତେ ସଂଘାତିକ ଥିଲା ଯେ ଜ୍ଞାନେନ୍ଦ୍ରଙ୍କ ୩ଟି ଘରର ଛାତ, କଂକ୍ରିଟ ଓ କାନ୍ଥ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଉଡ଼ି ଯାଇଥିଲା। ଦୁଆର ମୁହଁରେ ପୋତା ଯାଇଥିବା କଦଳୀ ଗଛ ଉପୁଡ଼ି ଉଡ଼ି ଉଡ଼ି ଯାଇ ପଡ଼ିଥିଲା ଶହେ ମିଟର ଦୂରରେ। ଦମ୍ପତିଙ୍କ ଶରୀରର ମାଂସ ପିଣ୍ଡୁଳା, ହାତ, ଗୋଡ଼, ପେଟ ଶହେରୁ ଦୁଇ ଶହ ମିଟର ଦୂରରେ ଛିଟିକି ପଡ଼ିଥିଲା। ଦୁହିଁଙ୍କ ଶରୀରର କୌଣସି ଚିହ୍ନବର୍ଣ୍ଣ ମିଳି ନାହିଁ। ବି‌ସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ମୃତ ଜ୍ଞାନେନ୍ଦ୍ରଙ୍କ ପଡ଼ୋଶୀଙ୍କ ଘରଦ୍ବାର ମଧ୍ୟ ଭାଙ୍ଗିରୁଜି ଯାଇଛି। ଖବର ପାଇ ଭୁବନେଶ୍ବର ଉପଜିଲ୍ଲାପାଳ, ବାଲିପାଟଣା ଥାନା ପୁଲିସ, ସାଇଣ୍ଟିଫିକ ଟିମ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି। ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସମୟ ପାଖାପାଖି ୧୨ଟା ୫ ମିନିଟ୍। ବାଲିପାଟଣା ଥାନା ଅଧୀନ ବନମାଳିପୁର ନୂଆସାହି। ଦୀର୍ଘ ଦିନ ଧରି ଚାଲୁଥିବା ଜ୍ଞାନେନ୍ଦ୍ରଙ୍କ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଘଟିଥିଲା। କ୍ରମାଗତ ଭାବେ ବିସ୍ଫୋରଣ ଘଟି ଚାଲିଥିଲା। ବିସ୍ଫୋରଣର ଶବ୍ଦ ସମଗ୍ର ଗାଁକୁ ଥରାଇ ଦେଇଥିଲା। ପ୍ରଥମେ ଲୋକ ଭାବିଥିଲେ ଭୂମିକମ୍ପ ହେଉଛି ବୋଲି। ବିସ୍ଫୋରଣ ଶବ୍ଦ ୨/୩ କିଲୋମିଟର ପର୍ଯ୍ୟନ୍ତ ଶୁଭିଥିଲା। ଗାଈଗୋରୁ, କୁକୁର, ଛେଳି ବିକଳରେ ଏଣେ ତେଣେ ଦୌଡ଼ିବା ଆରମ୍ଭ କରିଥିଲେ। ଜ୍ଞାନେନ୍ଦ୍ରଙ୍କ ପଡ଼ିଶା ଲୋକ ଜୀବନ ବିକଳରେ ଏଣେତେଣେ ଧାଇଁଥିଲେ। ବି‌ସ୍ଫୋରଣ ବନ୍ଦ ହେବା ପରେ ସ୍ଥାନୀୟ କିଛି ଲୋକ ସାହସ କରି ଜ୍ଞାନେନ୍ଦ୍ରଙ୍କ ଘର ନିକଟକୁ ଯାଇଥିଲେ। ସେତେ‌ବେଳେକୁ ଜ୍ଞାନେନ୍ଦ୍ରଙ୍କ ଘର ଛିନଛତର୍‌ ହୋଇ ଯାଇଥିଲା। ଘରର ଛାତ, କାନ୍ଥ, ପିଲାର ମଧ୍ୟ ଉପୁଡ଼ି ଯାଇଥିଲା। ଦୁହିଁଙ୍କ ମୃତ ଶରୀରର ହାତ, ଗୋଡ଼ ଏଣେତେଣେ ବିଛାଡି ହୋଇ ପଡ଼ିଥିଲା। ପେଟ ମଧ୍ୟ ଫାଟି ଯାଇଥିଲା। କିନ୍ତୁ ସୌଭାଗ୍ୟବଶତଃ ଏହି ଅଘଟଣରୁ ତାଙ୍କର ଦୁଇ ଝିଅ ଅଳ୍ପକେ ବର୍ତି ଯାଇଛନ୍ତି। ବଡ଼ ଝିଅ ପ୍ରୀତି ସ୍କୁଲ ଯାଇଥିବାବେଳେ ସାନ ଝିଅ ମାଉସୀଙ୍କ ଘରକୁ ଯାଇଥିଲେ।

ବିସ୍ଫୋରଣରେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବା ପରେ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସେମାନେ ବାରମ୍ବାର ପୁଲିସ ଓ ଜିଲ୍ଲା ପ୍ରଶାସନ ନିକଟରେ ଏ ସଂପର୍କରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା। ଫଳରେ ଆଜି ଏଭଳି ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି।
ସ୍ଥାନୀୟ ଜଣେ ବାସିନ୍ଦାଙ୍କ କହିବା ଅନୁଯାୟୀ, ବାଲିପାଟଣାର ବନମାଳିପୁର ଅଞ୍ଚଳ ଏବେ ବାଣର କୁଟୀର ଶିଳ୍ପରେ ପରିଣତ ହୋଇଛି। ଘରେ ଘରେ ଏଠାରେ କୁମ୍ପି, ଘଡ଼ି, ହାବେଳି ଭଳି ମାରାତ୍ମକ ବାଣ ପ୍ରସ୍ତୁତ ହେଉଛି। କିନ୍ତୁ ଯେଉଁଭଳି ଭାବେ ଆଜି ଜ୍ଞାନେନ୍ଦ୍ରଙ୍କ ଛାତ ଫାଟିଗଲା, ତାହା ପାହାଡ଼ ଫଟାଇବା ପାଇଁ ବ୍ୟବହୃତ ହେଉଥିବା ‘ଜିଲୋଟିନ୍‌’ର କରାମତି ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏ ନେଇ ପୁଲିସ ଓ ପ୍ରଶାସନ ସବୁ ଜାଣିଥିଲେ ମଧ୍ୟ ଚୁପ୍ ହୋଇ ବସିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଜ୍ଞାନେନ୍ଦ୍ରଙ୍କ ଏହା କୌଳିକ ବୃତ୍ତିଥିଲା। ତାଙ୍କ ବଡ଼ ଭାଇଙ୍କର ମଧ୍ୟ କିଛି ବର୍ଷ ତଳେ ଏଭଳି ବାଣ ଭିଡ଼ିବା ବେଳେ ମୃତ୍ୟୁ ଘଟିଥିଲା।

ବେଆଇନ ବାଣ କାରଖାନା ଉପରେ ଚଢ଼ଉ ପାଇଁ ପୁଲିସ କମିସନରଙ୍କ ନି‌ର୍ଦେଶ:

ଏ ସମ୍ପର୍କରେ ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି କହିଛନ୍ତି, ବାଲିପାଟଣା ଥାନାରେ ଏକ୍ସପ୍ଲୋସିଭ୍ ଆକ୍ଟରେ ମାମଲା ରୁଜୁ କରାଯାଇଛି। କେଉଁ ପରିସ୍ଥିତିରେ ସେଠାରେ ବେଆଇନ ବାଣ କାରଖାନା ଖୋଲିଥିଲା, ପୁଲିସ ପାଖରେ ଏନେଇ ଖବର ଥିଲା ନା ନାହିଁ, ଯଦି ଥିଲା ପୁଲିସ କାହିଁକି ଚଢ଼ଉ କରୁ ନ ଥିଲା, ସେ ନେଇ ତଦନ୍ତ ହେବ। ଏହାଛଡ଼ା କମିସନରେଟ ପୁଲିସ ଅଞ୍ଚଳରେ ବେଆଇନ ଭାବେ ବାଣ କାରଖାନା ଉପରେ ଚଢ଼ଉ କରି ଆଇନଗତ କାର୍ଯ୍ୟାନୁଷ୍ଠାନ, ବାଣ ଜବତ, ବାଣ କାରଖାନା ଚଳାଉଥିବା ବ୍ୟକ୍ତିଙ୍କୁ ଗିରଫ କରିବାକୁ ନି‌ର୍ଦେଶ ହୋଇଛି ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି କହିଛନ୍ତି। ଏଥିପାଇଁ ଦୁଇଟି ଟିମ୍ ଗଠନ ହୋଇଛି। ଗୋଟିଏ ଟିମ୍ ପ୍ରଦୂଷଣ ବୋର୍ଡ ସଦସ୍ୟଙ୍କ ସହିତ ରହି ପ୍ରଦୂଷିତ କରୁଥିବା ବାଣ ଓ ଉଚ୍ଚ ଶବ୍ଦକାରୀ ବାଣ ଉପରେ ଚଢ଼ଉ କରିବେ। ଅନ୍ୟ ଏକ ଟିମ୍ ଚୋରାରେ ବାଣ ବିକ୍ରି କରୁଥିବା, ବାଣ କାରଖାନା ଚଳାଉଥିବା ଜାଗାରେ ଚଢ଼ଉ କରିବ। ଆଜି ଜଟଣୀ ଓ ୟୁନିଟ-୧ ମାର୍କେଟରେ ଚଢ଼ଉ କରି ପୁଲିସ ବିପୁଳ ପରିମାଣର ବାଣ ଜବତ କରିଛି ବୋଲି ପୁଲିସ କମିସନର୍‌ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ଏଠାରେ ପ୍ରକାଶଥାଉକି, କେବଳ ବାଲିପାଟଣା ନୁହେଁ, ରାଜଧାନୀ ଉପକଣ୍ଠ ଜଟଣୀ ଓ କଟକର ପଦ୍ମପୁରରେ ମଧ୍ୟ ମାଳମାଳ ବେଆଇନ ବାଣ କାରଖାନା ଖୋଲିଛି।

ସମ୍ବନ୍ଧିତ ଖବର