ଦୁଇ କାର୍‌ ମୁହାଁମୁହିଁ ଧକ୍କା : ପତ୍ନୀଙ୍କ ସହ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ମୃତ

ଭାପୁର : ପୁରୁଣା କଟକ-ସମ୍ବଲପୁର ରାସ୍ତାର ଢେଙ୍କାନାଳ ସଦର ଥାନା ଜରିପାଳ ନିକଟରେ ଆଜି ଅପରାହ୍ଣରେ ଦୁଇଟି କାର୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଓ ତାଙ୍କ ପତ୍ନୀ ପ୍ରାଣ ହରାଇଛନ୍ତି। ଏଥିସହ ଅନ୍ୟ କାର୍‌ର ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ବର ପାତ୍ରପଡ଼ା ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ପ୍ରତାପ ଚନ୍ଦ୍ର ପଟ୍ଟନାୟକ(୭୩) ପତ୍ନୀ ଲୀଳାବତୀ ପଟ୍ଟନାୟକଙ୍କ ସହ ଆଜି ଅପରାହ୍ଣରେ ଏକ କାର୍‌ ଚଳାଇ ଭୁବନେଶ୍ବରୁ ଅନୁଗୁଳସ୍ଥିତ ସଂପର୍କୀୟଙ୍କ ଘରକୁ ଯାଉଥିଲେ। ଅପରାହ୍ଣ ପ୍ରାୟ ୪ଟାବେଳେ ଢେଙ୍କାନାଳ ସଦର ଥାନା ଜରିପାଳ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର୍‌ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ କାର୍‌ ଭାଙ୍ଗିରୁଜି ଯାଇଥିଲାବେଳେ ଘଟଣାସ୍ଥଳରେ ଶ୍ରୀ ପଟ୍ଟନାୟକ ଓ ତାଙ୍କ ପତ୍ନୀ ପ୍ରାଣ ହରାଇଥିଲେ। ଅନ୍ୟ କାର୍‌ରେ ଥିବା ସଦର ଥାନା ଗୋବିନ୍ଦ ପ୍ରସାଦ ଗାଁର ବାସନ୍ତୀ ମହାପାତ୍ର(୫୫), ଗୁଗୁଲ ମହାପାତ୍ର(୨୮), ନୀତିଶ ମହାପାତ୍ର(୧୦) ଓ ଆରତି ମହାପାତ୍ର(୮) ଗୁରୁତର ଆହତ ହୋଇଛନ୍ତି।

ଦୁର୍ଘଟଣା ପରେ ରାସ୍ତାର ଉଭୟ ପାର୍ଶ୍ବରେ ପ୍ରାୟ ୧ ଘଣ୍ଟା ଧରି ବହୁ ଗାଡ଼ି ଅଟକି ରହିଥିଲା। ଭାପୁର ଫାଣ୍ଡି ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍‌ ଦୁଇଟି ସହ ମୃତ ଦଂପତିଙ୍କ ଶବ ଜବତ କରିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ କରିଥିଲା।

ସମ୍ବନ୍ଧିତ ଖବର