ଟ୍ରକ ଧକ୍କାରେ ଦମ୍ପତି ମୃତ

ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଉଥିବା ବେଳେ ଦୁର୍ଘଟଣା

ବୌଦ୍ଧ/ଚାରିଛକ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ଏନ୍‌ଏଚ୍‌ ନଂ ୫୭ର ନୂଆପଡ଼ା କେନ୍ଦୁପତ୍ର ଫଡି ନିକଟରେ ଶନିବାର ସକାଳେ ଏକ ଟ୍ରକ ଦୁର୍ଘଟଣାରେ ବଲାଙ୍ଗୀର ସାଲେପାଲିପଡ଼ାର ଜୟକୃଷ୍ଣ ସାହୁ (୬୦)ଓ ତାଙ୍କ ସ୍ତ୍ରୀ ପାର୍ବତୀ ସାହୁଙ୍କ ମୃତ୍ୟୁ ଘଟିଛି।

ଜୟକୃଷ୍ଣଙ୍କ ଶ୍ୱଶୁୁରଙ୍କ ଶୁଦ୍ଧିକ୍ରିୟା କଟକ ଜିଲ୍ଲା ବଡ଼ମ୍ବାରେ ଶନିବାର ହେବାର ଥିଲା। ତେଣୁ ସେ ସ୍ତ୍ରୀ ପାର୍ବତୀଙ୍କ ସହ ଶୁକ୍ରବାର ଆସି ବୌଦ୍ଧର ଜଣେ ସଂପର୍କୀୟଙ୍କ ଘରେ ଥିଲେ। ଶନିବାର ସକାଳେ ଉଭୟେ ଏକ ସ୍କୁଟିରେ ବୌଦ୍ଧରୁ ବାହାରି ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଦେଇ କଟକ ଜିଲ୍ଲା ବଡ଼ମ୍ବାକୁ ଯାଉଥିଲେ। ସକାଳ ପ୍ରାୟ ସାଢ଼େ ୯ଟାରେ ନୂଆପଡ଼ା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ (ଓଡି-୦୨ ଏଏଫ୍‌ ୭୫୦୬) ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସ୍ୱାମୀ ଜୟକୃଷ୍ଣଙ୍କ ମୃତ୍ୟୁ ଘଟିଥିଲା। ସ୍ତ୍ରୀ ପାର୍ବତୀ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ପାର୍ବତୀଙ୍କୁ ବୌଦ୍ଧ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପାର୍ବତୀଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଟ୍ରକଟି ଦ୍ରୁତ ଗତିରେ ଫେରାର୍‌ ହୋଇଯାଇଥିଲା। ପୁଲିସ ପିଛା କରି ଟ୍ରକ୍‌କୁ ବୁଟୁପାଲି ଚେକ୍‌ଗେଟ୍‌ଠାରେ ଧରିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ବହୁ ସମୟ ଧରି ରାସ୍ତା ଅବରୋଧ କରିଥିଲେ। ପୁଲିସ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ବୌଦ୍ଧ ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର