ଦମ୍ପତିଙ୍କୁ ବାସନ୍ଦ କରି ଗାଁରୁ ତଡ଼ିଦେଲେ : ଗାଁକୁ ଫେରିଲେ ମୃତ୍ୟୁଦଣ୍ଡ ଚେତାବନୀ

ବାପାମାଆ ବିରୋଧରେ ପୁଅ ନେଲା ନିଷ୍ପତ୍ତି

କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ଥାନା ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ନାତୋର ଗାଁ ସାନ୍ତାଳ ସାହିରେ ଆଜି ଏକ ଅଭାବନୀୟ କାଣ୍ଡ ଘଟିଛି। ଗାଁର ଜଣେ ବ୍ୟକ୍ତି କର୍କଟ ରୋଗରେ ଆକ୍ରାନ୍ତ ହେବା ପଛରେ ଗୁଣି ଗାରେଡ଼ି ହିଁ ପ୍ରମୁଖ କାରଣ ବୋଲି ଗାଁରେ ଅନୁଷ୍ଠିତ ସଭାରେ ରାୟ ଦିଆଯାଇଛି। ଗୋଟିଏ ଦମ୍ପତିଙ୍କୁ ଏଥିପାଇଁ ଦାୟୀ କରାଯାଇ ଗାଁରୁ ବାସନ୍ଦ କରି ତଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଗାଁକୁ ଫେରିଲେ ମୃତ୍ୟୁଦଣ୍ଡ ମିଳିବ ବୋଲି ଚେତାବନୀ ଦିଆଯାଇଛି।

ଘଟଣା ଅନୁସାରେ, ନାତୋର ଗାଁର ରବି ସୋରେନ(୪୬) ଏବେ ମୁଖ ଗହ୍ବର କର୍କଟ ରୋଗରେ ଆକ୍ରାନ୍ତ ଅଛନ୍ତି। ପୂର୍ବରୁ ଗୁଟ୍‌କା, ଗୁଣ୍ଡି ଓ ଖଇନି ଆଦି ବ୍ୟବହାର କାରଣରୁ ରବିଙ୍କ ମୁହଁର ଘାଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ତାଙ୍କ ସାହିର ପୁନ୍ତା ଓ ଠାକୁରା ମୁର୍ମୁ ଗୁଣିଗାରେଡ଼ି କରି ଏହି ଦଶା କରାଇଛନ୍ତି ବୋଲି ରବି ଅଭିଯୋଗ କରିଆସୁଛନ୍ତି। ଏଥିସହ ତାଙ୍କ ବସ୍ତିରେ ଯାହାର ବି ଦେହ ଖରାପ ହେଲା ସେଥିପାଇଁ ପୁନ୍ତା ଓ ଠାକୁରା ଦାୟୀ ବୋଲି ସେ ଅପପ୍ରଚାର କରୁଥିଲେ। ଏହା ପଛରେ ବାପମାଆଙ୍କଠୁ ଅଲଗା ରହୁଥିବା ତାଙ୍କ ବଡ଼ପୁଅ ହାଡ଼ିବନ୍ଧୁ ମୁର୍ମୁ ଓ ବୋହୂ ବି ସାମିଲହୋଇ ନିଆଁରେ ଘିଅ ଢାଳୁଥିଲେ। ଅଯଥା ଆରୋପ ଓ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଏହି ଦମ୍ପତି ଗତ ୬ ମାସ ତଳେ ଗାଁ ଛାଡ଼ି ସୁକିନ୍ଦା ଅଶୋକଝର ଇଲାକାରେ ଆଶ୍ରୟ ନେଇ ଗତ ସସ୍ତାହ ଗାଁକୁ ଫେରିଥିଲେ। ପୁନ୍ତା ଓ ଠାକୁରାଙ୍କ ଗାଁ ଫେରିବା ଦେଖି ଆଜି ସକାଳ ଗାଁ କମିଟି ପକ୍ଷରୁ ରାମଦାସ ମାରାଣ୍ଡି, ହାଡ଼ିବନ୍ଧୁ ମୁର୍ମୁ, ଯଦୁ ହାଁସ୍ଦା, ଶ୍ୟାମ ମାରାଣ୍ଡି, ଶରତ ମାରାଣ୍ଡି, ଚୁନା ସୋରେନ, ଭାଗିରଥି ସୋରେନଙ୍କ ଉପସ୍ଥିତିରେ ଜରୁରୀ ବୈଠକ ବସିଥିଲା। ଗାଁ ନିଶାପରେ ଏହି ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ଦଣ୍ଡ ଘୋଷଣା କରାଯାଇଥିଲା। ଗାଁକୁ ଫେରିଲେ ଦୁଇଜଣଙ୍କୁ ଏକାଠି ବାନ୍ଧି ଜଳନ୍ତା ନିଆଁରେ ଫିଙ୍ଗି ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲ। ଉକ୍ତ ଘଟଣାବଳୀ ଏବେ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର