ପତି-ପତ୍ନୀ କଳି ଉଭୟଙ୍କ ଆତ୍ମହତ୍ୟା

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର କେ.ବଲାଙ୍ଗ ଥାନା ଅନ୍ତର୍ଗତ ସୋୟମ୍ବା କୁଚେଇକୁଦର ଗାଁରେ ପତି ଓ ପତ୍ନୀଙ୍କ ମଧ୍ୟରେ କଳହର ଦୁଃଖଦ ପରିସମାପ୍ତି ଘଟିଛି। ଉଭୟ ବେକରେ ଫାଶି ଦେଇ ଆତ୍ମହତ୍ୟା କରିଛନ୍ତି।

କୁଚେଇକୁଦର ଗ୍ରାମର ଗଣେଶ ସିଂହ (୩୦) ଓ ତାଙ୍କ ପତ୍ନୀ ରଜନୀ ସିଂହ (୨୪)ଙ୍କ ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ଘରୋଇ ସମସ୍ୟାକୁ ନେଇ କଳହ ହୋଇଥିଲା। ଭୋର୍‌ ସମୟରେ ଗଣେଶ ଘରୁ ବାହାରି ଯାଇ ଗାଁରୁ ପ୍ରାୟ ୧ କିଲୋମିଟର ଦୂରରେ ଥିବା ଏକ ମହୁଲ ଗଛରେ ନିଜ ଗାମୁଛାକୁ ବେକରେ ଲଗାଇ ଆତ୍ମହତ୍ୟା କରିଥିଲେ। ସକାଳେ ଏ ସମ୍ପର୍କରେ ପ୍ରଚାର ହେବା ପରେ ଖବର ପାଇ ପତ୍ନୀ ରଜନୀ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପତିଙ୍କ ମୃତ୍ୟୁ ପାଇଁ ନିଜକୁ ଦାୟୀ କରି ରଜନୀ ଘଟଣାସ୍ଥଳ ଠାରୁ ପ୍ରାୟ ୧ କିଲୋମିଟର ଦୂର ଜଙ୍ଗଲକୁ ଯାଇ ଏକ ଆମ୍ବଗଛରେ ନିଜର ପିନ୍ଧା ଲୁଗାକୁ ବେକରେ ଲଗାଇ ଆତ୍ମହତ୍ୟା କରିଥିଲେ। ପୁଲିସ ପତି ପତ୍ନୀଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର