ଥାଲାସେମିଆରେ ଝିଅ ପରେ ପୁଅର ମୃତ୍ୟୁ : ଶୋକରେ ଜୀବନ ହାରିଲେ ଦମ୍ପତି

ଯାଜପୁରସଦର/ବିଂଝାରପୁର : ଥାଲାସେମିଆ ରୋଗରେ ଆକ୍ରାନ୍ତ ପୁତ୍ରର ମୃତ୍ୟୁ ପରେ ବାପାମା’ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଘଟିଛି ବିଂଝାରପୁର ବ୍ଲକ ଉଡ୍ରଙ୍ଗ ପଞ୍ଚାୟତ କୁରିସାହି ଗାଁରେ।

ବିଂଝାରପୁର ଥାନା ଉଡ୍ରଙ୍ଗ ପଞ୍ଚାୟତ କୁରିସାହି ଗ୍ରାମର ପ୍ରଦୀପ ଓ ପ୍ରଭାତୀ ଜେନାଙ୍କର ଏକମାତ୍ର ପୁଅ ଓମ(୭)। ଜନ୍ମରୁ ପିଲାଟି ଥାଲାସେମିଆ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରତି ମାସରେ ପୁଅର ରକ୍ତ ବଦଳ କରାଯାଉଥିଲା। ଏଥିପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଥିଲା। କିନ୍ତୁ ୬ ଦିନ ତଳେ ପୁଅ ଓମ୍(୭)ରଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାକୁ କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ୨୩ ତାରିଖରେ ତା୍କର ମୃତ୍ୟୁ ଘଟିଥିଲା। ୬ ମାସ ତଳେ ତାଙ୍କର ୫ବର୍ଷର ଝିଅର ମଧ୍ୟ ସେହି ଥାଲାସେମିଆ ରୋଗରେ ମୃତ୍ୟୁ ଘଟିଥିଲା। ଥାଲେସେମିଆ ରୋଗରେ ଆଗ ଝିଅ ଏବଂ ଏବେ ପୁଅର ମୃତ୍ୟୁ ପରେ ପରିବାର ଲୋକେ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲେ। ଘରେ ୩ ଦିନ ହେବ ଚୁଲି ଜଳୁ ନଥିଲା। ତେବେ ପୁଅ ମୃତ୍ୟୁକୁ ସହ୍ୟ କରି ନପାରି ଆଜି ପ୍ରଦୀପ ଓ ତାଙ୍କ ପତ୍ନୀ ପ୍ରଭାତୀ ଶୋଇବା ଘର ଭିତରୁ କବାଟ ଦେଇ ବିଷ ପିଇ ଦେଇଥିଲେ। ସଂଧ୍ୟା ହେବାରୁ ପରିବାର ଲୋକ ସନ୍ଦେହ କରି ଗାଁଲୋକଙ୍କ ସହଯୋଗରେ କବାଟ ଭାଙ୍ଗି ଉଭୟଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନା କର୍ତୃପକ୍ଷ ଟାଉନ୍ ଥାନାକୁ ଜଣାଇବା ପରେ ‌ଟାଉନ ପୁଲିସ ବିଂଝାରପୁର ପୁଲିସକୁ ଖବର ଦେଇଥିଲେ। ଶବ ଦୁଇଟିକୁ ମେଡିକାଲଶ ଶବାଗାରରେ ରଖାଯାଇଛି। ଆସନ୍ତାକାଲି ବିଂଝାରପୁର ପୁଲିସ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଟା‌ଉନ ଥାନା ଅଧିକାରୀ ମାନସରଂଜନ ଚକ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର