ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଜାମିନ

ଟିବିରେ ଆକ୍ରାନ୍ତ, ଚିକିତ୍ସା ପାଇଁ ଯିବେ ଦିଲ୍ଲୀ

କଟକ: ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଆଜି ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଦୁଇ ମାସ ପୂର୍ବରୁ ତାଙ୍କୁ ଦିଆଯାଇଥିବା ଅନ୍ତରୀଣ ଜାମିନ୍‌ର ସର୍ତ୍ତ ପୂରଣ କରି ସେ ନିୟମିତ ଜାମିନରେ ଯାଇ ପାରିବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୨୫ ତାରିଖରେ ହାଇକୋର୍ଟ ଶ୍ରୀ ବିଶ୍ୱାଳଙ୍କୁ ଦୁଇ ମାସ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ୨୦ ଲକ୍ଷ ଟଙ୍କା ନିମ୍ନ ଅଦାଲତରେ ଜମା କରିବା ସହିତ ୫ ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଆଜି ହାଇକୋର୍ଟର ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠରେ ଶ୍ରୀ ବିଶ୍ୱାଳଙ୍କ ନିୟମିତ ଜାମିନ ଆବେଦନର ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ହୋଇଥିଲା। ମାମଲାର ଶୁଣାଣି କରି ଖଣ୍ଡପୀଠ ଶ୍ରୀ ବିଶ୍ୱାଳଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା, ଆଇନଜୀବୀ ବିଜ୍ଞାନ ଶର୍ମା ଓ ପ୍ରଣୟ କୁମାର ଦାଶ ପରିଚାଳନା କରୁଥିଲେ। ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ ଜାମିନ ମିଳିଥିଲେ ବି ସର୍ତ୍ତ ପୂରଣ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ଏବେ ପୂର୍ବଭଳି କଟକ ବଡ ମେଡିକାଲରେ ରହିଛନ୍ତି। ତାଙ୍କୁ ଟିବି ହୋଇଥିବା ବେଳେ ସେ ମେରୁଦଣ୍ଡ ଆଘାତ ଜନିତ ସମସ୍ୟାରେ ପୀଡିତ ଥିବାରୁ ଉଚ୍ଚତର ଚିକିତ୍ସା ପାଇଁ ତାଙ୍କୁ ନୂଆଦିଲ୍ଲୀ ଏଆଇଆଇଏମ୍‌ଏସ୍‌ ଯିବାକୁ ପରାମର୍ଶ ଦିଆଯାଇଛି।

ସୂଚନା ଯୋଗ୍ୟ ଯେ ସିସୋର ମାମଲାରେ ୨୦୧୭, ସେପ୍ଟେମ୍ବର ୧୯ରେ ଶ୍ରୀ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଥିଲା। ଗିରଫ ହେବା ପରେ ଶ୍ରୀ ବିଶ୍ୱାଳ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ପରେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ୨୦୧୭, ଡିସେମ୍ବର ୧ ତାରିଖରେ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ବିଶ୍ୱାଳଙ୍କ ନିୟମିତ ଜାମିନ ଆବେଦନ ଖାରଜ କରିଥିଲେ। ସିବିିଆଇ ତାଙ୍କ ବିରୋଧରେ ଅଦାଲତରେ ଚାର୍ଜସିଟ ଦାଖଲ କରିବା ପରେ ପୁଣି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ହାଇକୋର୍ଟ ଦୁଇ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଆଜି ଜାମିନ୍‌ ପାଇବା ପରେ ବିଧାୟକ ଶ୍ରୀ ବିଶ୍ୱାଳ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ଆସ୍ଥା ରହିଛି। ହାଇକୋର୍ଟଙ୍କ ରାୟକୁ ସେ ସ୍ୱାଗତ କରୁଛନ୍ତି। ସତ୍ୟର ନିଶ୍ଚିତ ଜୟ ହେବ। ଏହି ସମୟରେ ତାଙ୍କୁ ମାନସିକ ତଥା ନୈତିକ ସମର୍ଥନ ଦେଇ ଆସିଥିବା ଚୌଦ୍ୱାର-କଟକ ଏବଂ ଅନ୍ୟ ଅଞ୍ଚଳର ସମସ୍ତ ଜନସାଧାରଣଙ୍କୁ ସେ କୃତଜ୍ଞତା ଜଣାଉଛନ୍ତି।

ସମ୍ବନ୍ଧିତ ଖବର