‘ଉତ୍କଳ ସାହିତ୍ୟ ସମାଜ’ର କର୍ମକର୍ତ୍ତାଙ୍କୁ ଅଦାଲତ ସମନ

କଟକ : ‘ଉତ୍କଳ ସାହିତ୍ୟ ସମାଜ’ରେ ଜାଲିଆତି ଅଭିଯୋଗ କରି ଦାୟର କଂପ୍ଲେନ୍‌ କେସ୍‌କୁ ବିଚାର ପାଇଁ ଗ୍ରହଣ କରି କଟକ ସଦର ଏସଡିଜେଏମ୍‌ ଅନୁଷ୍ଠାନର ବର୍ତ୍ତମାନର ସଭାପତି ଡକ୍ଟର ବିଜୟାନନ୍ଦ ସିଂହ, ସାଧାରଣ ସମ୍ପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ପୂର୍ବତନ ସାଧାରଣ ସମ୍ପାଦକ ମନୋଜ ପଟ୍ଟନାୟକଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଗୋବିନ୍ଦ ଭୂୟାଁ ଓ ରମେଶ ଚନ୍ଦ୍ର ଭୂୟାଁଙ୍କ ପକ୍ଷରୁ ଦାୟର କଂପ୍ଲେନ୍‌ କେସ୍‌ରେ ପ୍ରଫେସର ଡକ୍ଟର ନଟବର ଶତପଥୀ, ‘ଉତ୍କଳ ସାହିତ୍ୟ ସମାଜ’ର ପୂର୍ବତନ କାର୍ଯ୍ୟନିର୍ବାହୀ ସଦସ୍ୟ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ, ସୁବ୍ରତ ପ୍ରିୟବ୍ରତ ମହାନ୍ତି ପ୍ରମୁଖ ଅଦାଲତରେ ସାକ୍ଷ୍ୟ ପ୍ରଦାନ କରିଥିଲେ। ଅଦାଲତ ଦାୟର ଅଭିଯୋଗ, ସାକ୍ଷୀମାନଙ୍କ ଜମାନବନ୍ଦୀ ଓ କୋର୍ଟରେ ଦାଖଲ କରାଯାଇଥିବା ତଥ୍ୟପ୍ରମାଣକୁ ବିଚାରକୁ ନେଇ ଆଇପିସିର ଧାରା ୪୦୬ (ବିଶ୍ୱାସଘାତକତା), ଧାରା ୪୨୦ (ଜାଲିଆତି), ଧାରା ୪୬୮ (ଜାଲିଆତି ପାଇଁ ଚଞ୍ଚକତା), ଧାରା ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର) ଓ ଧାରା ୩୪ରେ କଗ୍ନିଜେନ୍ସ ଗ୍ରହଣ କରି ପ୍ରତିପକ୍ଷଙ୍କୁ ଅକ୍ଟୋବର ୧ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଦାୟର କଂପ୍ଲେନ୍‌ କେସ୍‌ରେ ଉଲ୍ଲେଖ କରାଯାଇଛି ଯେ ‘ଉତ୍କଳ ସାହିତ୍ୟ ସମାଜ’ର ସମ୍ବିଧାନ ଅନୁଯାୟୀ କୌଣସି ସଭ୍ୟ ଏକାଦିକ୍ରମେ ଦୁଇଥରରୁ ଅଧିକ ଥର କର୍ମକର୍ତ୍ତା ରହିପାରିବେ ନାହିଁ। ପୂର୍ବରୁ କ୍ରମାଗତ ଭାବେ ଦୁଇଥର ଡକ୍ଟର ବିଜୟାନନ୍ଦ ସିଂହ ଅନୁଷ୍ଠାନର ଉପସଭାପତି ଓ ସଭାପତି ଭାବେ ଏବଂ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ତିନିଥର କର୍ମକର୍ତ୍ତା ଥିଲେ ମଧ୍ୟ ୨୦୧୬ ମସିହାରେ ସଭ୍ୟ, କାର୍ଯ୍ୟନିର୍ବାହୀ ସମିତି ଓ ସାଧାରଣ ପରିଷଦଙ୍କ ଅଗୋଚରରେ ସମ୍ବିଧାନରେ ଜାଲିଆତି କରି ନିର୍ବାଚନ ଲଢ଼ିଥିଲେ। ୨୦୧୬ ମାର୍ଚ୍ଚ ମାସରୁ ସଭ୍ୟମାନଙ୍କ ଦାବି ସତ୍ତ୍ୱେ ସମ୍ବିଧାନ ଯୋଗାଇ ନଥିଲେ। ମୂଳ ସମ୍ବିଧାନର ବିଭିନ୍ନ ଧାରା ଓ ଉପଧାରାକୁ ପରିବର୍ତ୍ତନ କରାଯାଇଥିଲା ଓ କେତେକ ଧାରାକୁ ଉଠାଇଦିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ଅଭିଯୋଗକାରୀ ପ୍ରଥମେ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ କୌଣସି ପଦକ୍ଷେପ ନିଆ ନ ଯିବାରୁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ଭରତ ଚନ୍ଦ୍ର ଜାଲି, ଅଶୋକ ପରିଡ଼ା ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି।

ଅନ୍ୟପଟେ ଏ ସଂପର୍କରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ବିଜୟାନନ୍ଦ ସିଂହ କହିଛନ୍ତି ଯେ ଆଇନ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। ଅଦାଲତରେ ସେ ତାଙ୍କର ପକ୍ଷ ରଖିବେ।

ସମ୍ବନ୍ଧିତ ଖବର