ଓସ୍କାର ନିର୍ଦ୍ଦେଶକ କୀର୍ତ୍ତି ବସ୍ତିଆଙ୍କ ଜାମିନ ଖାରଜ

କଟକ : ଓସ୍କାର ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ର ଅନ୍ୟତମ ନିର୍ଦ୍ଦେଶକ କୀର୍ତ୍ତି ବସ୍ତିଆଙ୍କ ଜାମିନ କଟକ ସ୍ୱତନ୍ତ୍ର ଅଦାଲତ ଖାରଜ କରିଛନ୍ତି। ପୂର୍ବରୁ ମଧ୍ୟ ଅଦାଲତ ତାଙ୍କ ଜାମିନ ଖାରଜ କରିଥିବା ବେଳେ ସେ ଏଥି ପାଇଁ ସାନି ଆବେଦନ ଦାୟର କରିଥିଲେ। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍‌ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସୂଚନା ଯୋଗ୍ୟ ଯେ ଓସ୍କାର ଠକେଇ ମାମଲାରେ ନିର୍ଦ୍ଦେଶକ ମୁନାପାତ୍ର ୨୦୧୫ରେ ଗିରଫ୍‌ ହୋଇଥିବା ବେଳେ ସଂସ୍ଥାର ମୁଖ୍ୟ ପ୍ରଭାସ ରାଉତଙ୍କୁ ୨୦୧୬, ଜୁନ୍‌ ୧୦ରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ନୂଆ ଦିଲ୍ଲୀରୁ ଗିରଫ କରିଥିଲା। ଅନ୍ୟ ନିର୍ଦ୍ଦେଶକ ତାରା ପ୍ରସାଦ ହୋତା, କୀର୍ତ୍ତିି ବସ୍ତିଆ ଓ ଅବନି ପଟ୍ଟନାୟକଙ୍କୁ ୨୦୧୬ ଜୁନ ମାସରେ ଗିରଫ କରାଯାଇଥିଲା। ପ୍ରଭାସ ଓ ମୁନା ଓ କୀର୍ତ୍ତିଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଓଡ଼ିଶା, ଗୁଜରାଟ, ମହାରାଷ୍ଟ୍ର ପୁଲିସ ରିିମାଣ୍ଡରେ ନେଇ ପଚରା ଉଚୁରା କରିଥିଲା। ଜନସାଧାରଣଙ୍କ ନିକଟରୁ ପ୍ରାୟ ୨୩୦ କୋଟି ଟଙ୍କା ଓସ୍କାର ଠକିଥିବା ଜଣା ପଡିଥିଲା। ଶ୍ରୀ ରାଉତ ୪ଟି ଓଡିଆ ଚଳଚ୍ଚିତ୍ର ମଧ୍ୟ ଜମାକାରୀଙ୍କ ଟଙ୍କାରେ ନିର୍ମାଣ କରିଥିବା ତଦନ୍ତ ସମୟରେ ସ୍ପଷ୍ଟ ହୋଇଥିଲା।

କଳାକାହ୍ନ ସଂସ୍ଥା ନିର୍ଦ୍ଦେଶିକାଙ୍କ ଜାମିନ ନାମଞ୍ଜୁର

କଟକ : କଳାକାହ୍ନ ଆଡ୍‌ଭଟାଇଜର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥାର ନିର୍ଦ୍ଦେଶିକା ମୋନାଲିସା ସେନାପତିଙ୍କ ଜାମିନ ଆବେଦନ ସ୍ୱତନ୍ତ୍ର ଅଦାଲତ ଖାରଜ କରିଛନ୍ତି। ଏହି ସଂସ୍ଥା ଭୁବନେଶ୍ୱର ପଟିଆରେ ମୁଖ୍ୟ କାର୍ଯ୍ୟାଳୟ ଖୋଲି ବିଭିନ୍ନ ଯୋଜନାରେ ଜମାକାରୀଙ୍କ ନିକଟରୁ ପ୍ରାୟ ୪୫ଲକ୍ଷ ଟଙ୍କା ଠକି ନେଇଥିଲା ବୋଲି ଅଭିଯୋଗ ହୋଇଥିଲା। ସଂସ୍ଥା ବିରୋଧରେ ଅଭିଯୋଗ ମିଳିବା ପରେ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ମାମଲା ରୁଜୁ ହୋଇଥିଲା। ଘଟଣାର ତଦନ୍ତ କରି ଅର୍ଥନୈତିକ ଅପରାଧ ଶାଖା ସଂସ୍ଥାର ମୁଖ୍ୟ କଳାକାହ୍ନ ବିଶୋଇ ଓ ତାଙ୍କ ପତ୍ନୀ ମୋନାଲିସା ସେନାପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର