‘ସମ୍ବାଦ’ ସଂପାଦକଙ୍କ ବିରୋଧରେ ରୁଜୁ ମାନହାନି ମକଦ୍ଦମା ଖାରଜ : ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ୩ ଲକ୍ଷ ଜରିମାନା

କୋରାପୁଟ : ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ବହିକୁ ନେଇ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ରୁଜୁ ହୋଇଥିବା ମାନହାନି ମକଦ୍ଦମା ଖାରଜ ହୋଇଛି। ମାମଲାରେ ପକ୍ଷଭୁକ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ୩ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁନାବେଡା ଏରୋନଟିକ୍ସ କଲେଜ ଅଧ୍ୟାପିକା ଡ. ସନ୍ଧ୍ୟାରାଣୀ ପଟ୍ଟନାୟକଙ୍କ ପକ୍ଷରୁ କରାଯାଇଥିବା ମାନାହାନି ମାମଲାର ଶୁଣାଣି କରି କୋରାପୁଟ ସିଭିଲ ଜଜ୍‌ (ସିନିୟର ଡିଭିଜନ) ଏହି ରାୟ ଶୁଣାଇଛନ୍ତି।

ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ରେ ଗତ ୨୦୧୩ମସିହା ଏପ୍ରିଲ ୭ତାରିଖରେ ପ୍ରକାଶିତ ଖବର ‘ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ବହିକୁ ନେଇ ବିବାଦ’କୁ ନେଇ ଆପତ୍ତି ଉଠାଇଥିଲେ ସୁନାବେଡା ଏରୋନଟିକ୍ସ କଲେଜର ଅଧ୍ୟାପିକା ଡ. ସନ୍ଧ୍ୟାରାଣୀ ପଟ୍ଟନାୟକ। ଏହି ଖବରରେ ତାଙ୍କର ମାନହାନି ହୋଇଥିବା ଦର୍ଶାଇ ସେ ଅଦାଲତଙ୍କ ଆଶ୍ରୟ ନେଇଥିଲେ। ଏହି ମାମଲାରେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ଓ ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ପକ୍ଷଭୁକ୍ତ କରିଥିଲେ। ମାମଲାର ବିଚାର କୋରାପୁଟ ସିଭିଲ ଜଜ(ସିନିୟର ଡିଭିଜନ) ଦେବଶିଷ ପଣ୍ଡାଙ୍କ ଅଦାଲତରେ ଚାଲିଥିଲା। ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଅଦାଲତ ଏହି ମାମଲାରେ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ଦଣ୍ଡିତ କରିଛନ୍ତି। ଅଭିଯୋଗକାରୀଙ୍କ ମାନହାନି ହୋଇଥିବାରୁ ତାଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସମ୍ବାଦର ସଂପାଦକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ କୌଣସି ସତ୍ୟତା ନଥିବା ଦର୍ଶାଇ ଅଦାଲତ ମାମଲାକୁ ଖାରଜ କରି ଦେଇଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକ ‘ସାରସ୍ୱତ ସାଧିକା ସୀତା ଦେବୀ’କୁ ନେଇ ୨୦୧୩ମସିହାରେ ବିବାଦ ସୃଷ୍ଟି ହୋଇଥିଲା। ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକର ଲେଖକୀୟ କୃତିତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ ଅଧ୍ୟାପିକା ସନ୍ଧ୍ୟାରାଣୀ ପଟ୍ଟନାୟକ। ଏପରିକି ତାଙ୍କ ଥେସିସକୁ ନେଇ ତାହାର ଭାଷା ସାମାନ୍ୟ ଅଦଳବଦଳ କରି ଏହି ପୁସ୍ତକ ଲେଖାଯାଇଥିବା ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଥିଲେ। ତେବେ ଏହାକୁ ଗ୍ରହଣ କରି ନ ଥିଲେ ପ୍ରଫେସର ପ୍ରଧାନ। ଏସବୁ ନେଇ ସମ୍ବାଦରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ରିପୋର୍ଟ ଆଧାରରେ ପ୍ରଫେସର ପ୍ରଧାନ ଓ ‘ସମ୍ବାଦ’ର ସଂପାଦକ ଶ୍ରୀ ପଟ୍ଟନାୟକଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରାଯାଇଥିଲା।

ସମ୍ବନ୍ଧିତ ଖବର