ପ୍ରତି ୮୯ କୋଭିଡ୍‌ ନମୁନାରେ ଜଣେ ପଜିଟିଭ୍, ରାଜ୍ୟରେ ସୁସ୍ଥ ହାର ବଢ଼ିଲା

ଭୁବନେଶ୍ବର : ରାଜ୍ୟରେ ଏବେ ପ୍ରତି ୮୯ କୋଭିଡ ନମୁନାରେ ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। କିଛି ଦିନ ପୂର୍ବରୁ ଏହା ୨୦୦ରୁ ଅଧିକ ରହିଥିଲା। ନିକଟରେ ଏହା ଶହେକୁ ଖସି ଆସିଥିଲା। ମାତ୍ର ଏବେ ଶହେରୁ ତଳକୁ ଖସି ଆସିଛି। ପ୍ରତିଦିନ ବହୁ ସଂଖ୍ୟାରେ ରୋଗୀଙ୍କୁ ଚିହ୍ନଟ କରାଯାଉଥିବାରୁ ଏଭଳି ପରିସ୍ଥିତି ଦେଖାଦେଇଛି। ଅପରପକ୍ଷରେ ରାଜ୍ୟରେ ଏବେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।

ରାଜ୍ୟରେ ପ୍ରବାସୀ ଓଡ଼ିଆ ଫେରିବା ପରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିଲା। ପୂର୍ବରୁ ରାଜ୍ୟରେ କମ୍ ସଂଖ୍ୟକ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ଏହି ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ଏବେ ରାଜ୍ୟରେ ପଜିଟିଭ୍‌ଙ୍କ ସଂଖ୍ୟା ୧୫ଶହ ନିକଟତର ହେବାକୁ ବସିଲାଣି। ପୂର୍ବରୁ ରାଜ୍ୟରେ ଜଣେ ପଜିଟିଭ୍‌ଙ୍କୁ ଚିହ୍ନଟ କରିବା ଲାଗି ୨ଶହରୁ ଅଧିକ ନମୁନା ପରୀକ୍ଷା କରିବାକୁ ପଡ଼ୁଥିବା ବେଳେ ଏବେ ଏହା ୮୮କୁ ଖସି ଆସିଛି। ଯଦି ପ୍ରତିଦିନ ଏଭଳି ରୋଗୀଙ୍କୁ ଚିହ୍ନଟ କରାଯାଏ, ତାହାଲେ ନମୁନା ସଂଖ୍ୟା‌ରେ ମଧ୍ୟ ହ୍ରାସ ଘଟିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅପରପକ୍ଷରେ ରାଜ୍ୟରେ କୋଭିଡ୍‌ ନମୁନା ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି। ଏବେ ରାଜ୍ୟରେ ୧୩ଟି ସରକାରୀ ଓ ୪ଟି ବେସରକାରୀ ପରୀକ୍ଷାଗାରକୁ ମିଶାଇ ସମୁଦାୟ ୧୭ଟି ପରୀକ୍ଷାଗାରରେ କୋଭିଡ୍‌ ନମୁନା ପରୀକ୍ଷା କରାଯାଉଛି। ଏହାସହ ରାଜ୍ୟରେ କିଛି ଦିନ ହେବ ସୁସ୍ଥ ହେବା ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି। ୬୪୯ଜଣ ରୋଗୀ ଏ ପର୍ଯ୍ୟନ୍ତ ସୁସ୍ଥ ହୋଇସାରିଲେଣି। ରାଜ୍ୟରେ ସୁସ୍ଥ ହାର ୪୫ପ୍ରତିଶତ ରହିଛି। ଜାତୀୟସ୍ତରରେ ରୋଗୀଙ୍କ ସୁସ୍ଥ ହାର ୩୯ପ୍ରତିଶତ ରହିଛି। ଗଞ୍ଜାମ ଜିଲ୍ଲା‌‌‌‌‌ରେ ୩୫୩ ସଂକ୍ରମିତଙ୍କ ମଧ୍ୟରୁ ୨୪୮, ଯାଜପୁରରେ ୨୪୦ରୁ ୧୦୩, ବାଲେଶ୍ବରରେ ୧୩୩ରୁ ୯୧, ଭଦ୍ରକର ୧୦୬ରୁ ୪୦, ଖୋର୍ଧାରେ ୮୨ରୁ ୫୧, ପୁରୀ ୮୧ରୁ ୧୪, କଟକ ୫୯ରୁ ୩, କେନ୍ଦ୍ରାପଡ଼ା ୫୫ରୁ ୨୨, ନୟାଗଡ଼ ୪୫ରୁ ୪, ଜଗତସିଂହପୁର ୪୧ରୁ ୫, ସୁନ୍ଦରଗଡ଼ ୩୭ରୁ ୨୬, ବୌଦ୍ଧ ୩୩ରୁ ୪, ଅନୁଗୁଳରେ ୨୪ରୁ ୧୫ ସୁସ୍ଥ ହୋଇଛନ୍ତି। ଅନ୍ୟ ଜିଲ୍ଲାରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା କମ୍ ରହିଛି। ରାଜ୍ୟର ସମସ୍ତ ଜିଲ୍ଲାରେ ଏବେ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି।

ସମ୍ବନ୍ଧିତ ଖବର