ଏମ୍‌କେସିଜିରୁ ପିଏମ୍‌ଇସିକୁ ସ୍ଥାନାନ୍ତର ହେବ କୋଭିଡ୍‌-୧୯ ୱାର୍ଡ଼

ଅସ୍ଥାୟୀ ପ୍ରସୂତି ବିଭାଗ ବ୍ୟବସ୍ଥା

ବ୍ରହ୍ମପୁର: ବଡ଼ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ କରୋନା ସଂକ୍ରମଣ ଆଶଙ୍କାରୁ ରକ୍ଷା କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ପ୍ରଶାସନ ଓ ଏମ୍‌କେସିଜି ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ମିଳିତ ଆଲୋଚନା କ୍ରମେ ବଡ଼ ଡାକ୍ତରଖାନା କାଜୁଆଲ୍‌ଟି କୋଠାରେ କାର୍ଯ୍ୟକ୍ଷମ ଥିବା କୋଭିଡ୍‌-୧୯ ୱାର୍ଡ଼କୁ ସ୍ଥାନାନ୍ତର କରିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ବଡ଼ ଡାକ୍ତରଖାନାରେ କାର୍ଯ୍ୟକ୍ଷମ ଥିବା କୋଭିଡ୍‌-୧୯ ୱାର୍ଡ଼କୁ ଶୀତଳାପଲ୍ଲୀସ୍ଥିତ ପାରଳା ମହାରାଜା ଇଂଜିନିୟରିଂ କଲେଜକୁ(ପିଏମ୍‌ଇସି) ସ୍ଥାନାନ୍ତର କରାଯିବ। ସେଠାରେ ପ୍ରାୟ ୧ହଜାର ଶଯ୍ୟା ଉପଲବ୍ଧ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଦୁଇଶହ ଶଯ୍ୟା ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯାଇଛି।

ବଡ଼ ଡାକ୍ତରଖାନାର ଡାକ୍ତରମାନେ ସେଠାରେ ରୋଗୀଙ୍କ ଚିକିତ୍ସା କରିବେ ବୋଲି ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି।
କୋଭିଡ୍‌-୧୯ ମୁକାବିଲା ପାଇଁ ବଡ଼ ଡାକ୍ତରଖାନା କାଜୁଆଲ୍‌ଟି ଦ୍ବିତୀୟ ମହଲାରେ ପ୍ରାଥମିକ ପର୍ଯ୍ୟାୟରେ ୨୦ଟି ଶଯ୍ୟା ବିଶିଷ୍ଟ ସଙ୍ଗରୋଧ ୱାର୍ଡ଼ ଖୋଲା ଯାଇଥିଲା। ଏହା ସହିତ ସେଠାରେ ଭେଣ୍ଟିଲେଟର୍‌ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। କରୋନା ସନ୍ଦିଗ୍ଧଙ୍କ କାଉନ୍‌ସେଲିଂ ପାଇଁ ପୁଲିସ ଫାଣ୍ଡିକୁ ସ୍ଥାନାନ୍ତର କରି ସେଠାରେ କୋଭିଡ୍‌-୧୯ ଗୃହ କରାଯାଇଥିଲା।

ସନ୍ଦିଗ୍ଧଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରୁ କାଜୁଆଲ୍‌ଟିରେ ରହିଥିବା ସଙ୍ଗରୋଧ କେନ୍ଦ୍ରର କ୍ଷମତାକୁ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ସେଠାରେ ପ୍ରାୟ ୬୦ଟି ଶଯ୍ୟା ରହିଛି। ବଡ଼ ଡାକ୍ତରଖାନାକୁ ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ରୋଗୀ ଆସୁଛନ୍ତି। ସେହିପରି କରୋନ ସନ୍ଦିଗ୍ଧଙ୍କୁ ମଧ୍ୟ ଏଠାରେ ଭର୍ତ୍ତି କରାଯାଉଛି। ଫଳରେ ଅନ୍ୟ ରୋଗୀଙ୍କୁ ସଂକ୍ରମଣ ଭୟ ରହିଛି। ତେଣୁ କରି ଗତ କିଛିଦିନ ତଳେ କାଜୁଆଲ୍‌ଟିକୁ ସୁପର୍‌ସ୍ପେସାଲିଟି କୋଠାର ତଳ ମହଲାକୁ ସ୍ଥାନାନ୍ତର କରାଯାଇଥିଲା। ଏବେ କାଜୁଆଲ୍‌ଟି କୋଠାରେ କାର୍ଯ୍ୟକ୍ଷମ ଥିବା କୋଭିଡ୍‌-୧୯ ୱାର୍ଡ଼କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି।

ବଡ଼ ଡାକ୍ତରଖାନା ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ପିଏମ୍ଇସିରେ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା କରାଯାଇଛି। ସେହିପରି ସେଠାରେ ଆବଶ୍ୟକ ଔଷଧ ମଧ୍ୟ ମହଜୁଦ ରଖାଯାଇଛି। ଏପରିକି କରୋନା ପଜିଟିଭ୍‌ ପ୍ରସୂତିଙ୍କ ପ୍ରସବ ପାଇଁ ମଧ୍ୟ ସେଠାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ପ୍ରଫେସର ମିଶ୍ର କହିଛନ୍ତି। ଖୁବ୍‌ଶୀଘ୍ର କୋଭିଡ୍‌-୧୯ ୱାର୍ଡ଼ ସ୍ଥାନାନ୍ତର କରି ତାହା ପିଏମ୍‌ଇସିରେ କାର୍ଯ୍ୟକ୍ଷମ ହେବ ବୋଲି ପ୍ରଫେସର ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର