ବିଜୁଳି ଆଘାତରେ ଝାଡ଼ଖଣ୍ଡୀ ହାତୀ ମୃତ

ରାଉରକେଲା: ରବିବାର ରାତିରେ ରାଉରକେଲା ବନଖଣ୍ଡ ଅନ୍ତର୍ଗତ କେ ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୀ ରେଞ୍ଜ୍‌ ଅଞ୍ଚଳର ବାକରତୋଳା ଗ୍ରାମ ନିକଟ ଫସଲ କ୍ଷେତରେ ବିଜୁଳି ଆଘାତ ଯୋଗୁଁ ଗୋଟାଏ ମାଈହାତୀ ମରିଯାଇଛି।

ମୃତ ହାତୀଟି ସେ ଗାଁ ପାଖ ଜଙ୍ଗଲରେ ରହି ଆଖପାଖ କ୍ଷେତରୁ ଧାନ ଓ ବାଜରା ଆଦି ଫସଲ ଖାଇ ନଷ୍ଟ କରୁଥିବା ୨୨ଟିକିଆ ଝାଡ଼ଖଣ୍ଡୀ ହାତୀପଲରୁ ଗୋଟିଏ। ହାତୀ ପଶି ଫସଲ ନଷ୍ଟ କରୁଥିବା କଥା ସେ ଅଞ୍ଚଳର ଗ୍ରାମବାସୀମାନେ ବାରମ୍ବାର ବନ ବିଭାଗକୁ ଜଣାଇଥିଲେ ମଧ୍ୟ ସେମାନେ କୌଣସି ପ୍ରତିକାର କରି ନ ଥିଲେ।

ହାତୀଙ୍କ କଳବରୁ ଫସଲ ରକ୍ଷା କରିବା ଉଦ୍ଦେଶ୍ୟରେ ଚାଷୀମାନେ ଫସଲ ବିଲ ଚାରିପଟେ ଧାତବ ତାର ଘେରାଇ ତା’ ମଧ୍ୟକୁ ବିଜୁଳି ପ୍ରବାହିତ କରିଥିଲେ। ଗତରାତିରେ ବିଲକୁ ଆସିଥିବା ବେଳେ ଏ ହାତୀଟି ସେ ତାର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା।
ଖବର ପାଇ ଘଟଣାସ୍ଥଳରେ ବାଙ୍କୀ ରେଞ୍ଜର, କେ ବଲାଙ୍ଗ ଥାନା ଅଧିକାରୀ ଏବଂ ବନକର୍ମଚାରୀମାନେ ପହଞ୍ଚିଛନ୍ତି। ପଲର ଅନ୍ୟ ହାତୀମାନେ ଆଖପାଖର ରହି ଜଗିଥିବାରୁ ମୃତହାତୀ ପାଖକୁ ଯିବା ସମ୍ଭବ ହେଉନାହିଁ।

ହାତୀମାନଙ୍କୁ ସେଠାରୁ ଘଉଡ଼ାଇବାକୁ ବନକର୍ମଚାରୀମାନେ ଉଦ୍ୟମ ଚଳାଇଛନ୍ତି।

ସମ୍ବନ୍ଧିତ ଖବର