ରାସ୍ତା ପାଲଟିଛି ଗୋରୁଗାଈଙ୍କ ଆଡ୍ଡାସ୍ଥଳୀ, ଯାତ୍ରୀ ହନ୍ତସନ୍ତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ଏବେ ଗୋରୁଗାଈଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ରାସ୍ତା ମଝିରେ ଆଶ୍ରୟସ୍ଥଳୀ କରୁଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ରାତି ହେଲେ ଗୋରୁଙ୍କ ସଂଖ୍ୟା ବଢିଯାଉଥିବା ସହ ଦୁଇ ଚକିଆ ଏବଂ ଚାରି ଚକିଆ ଗାଡ଼ିକୁ ରାସ୍ତା ଦେଉନଥିବାରୁ ଲୋକେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି। ପୁଣି ଗାଈଗୋରୁ ଯୋଗୁଁ ଛୋଟବଡ ଦୁର୍ଘଟଣା ହେଉଥିବାରୁ ପ୍ରଶାସନ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରାଯାଇଛି। ଗତବର୍ଷ ଏଭଳି ପରିସ୍ଥିତି ଉପୁଜିଥିବାରୁ ପୌର ପରିଷଦ ତରଫରୁ ଗାଈଙ୍କୁ ସ୍ଥାନାନ୍ତର କାମ ଆରମ୍ଭ ହୋଇଥିଲା। କାଞ୍ଜିଆହୁଦାରେ ଗାଈଙ୍କ ଗୋଠ ବଢିବା ପରେ ପୁଣି ସେମାନଙ୍କୁ ଖାଇବା ପିଇବାରେ ଅସୁବିଧା ହେବାରୁ ଛାଡି ଦିଆଗଲା। ସ୍ଥାନୀୟ ଲୋକେ ଗାଈଗୋରୁ ପାଳୁଛନ୍ତି ସତ କିନ୍ତୁ ସେମାନେ ଘରେ ଏମାନଙ୍କୁ ବାନ୍ଧି ରଖୁନଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ବାରମ୍ବାର ପୌର ପରିଷଦ ତରଫରୁ ଏନେଇ ଡାକବାଜି ଯନ୍ତ୍ର ଦ୍ୱାରା ଗାଈଗୋରୁଙ୍କୁ ରାସ୍ତା ନଛାଡିବା ପାଇଁ ପ୍ରଚାର ପ୍ରସାର କରାଯିବା ସହ ଜୋରିମାନା ମଧ୍ୟ ଆଦାୟ କରାଯାଇଥିଲା। କିନ୍ତୁ ଲୋକେ ନିଜ ଅଭ୍ୟାସକୁ ଛାଡିପାରି ନାହାନ୍ତି। କେବଳ ସହର ମଝିରେ ନୁହେଁ ମୁଖ୍ୟ ରାସ୍ତାରେ ମଧ୍ୟ ଶହ ଶହ ଗାଈଗୋରୁ ରାସ୍ତା ଉପରେ ଠିଆ ହୋଇ ରହୁଥିବାରୁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ମାଲକାନଗିରିର ମୁଖ୍ୟ ମାର୍କେଟ ହେଉଛି ଡିଏନକେ। ଏଠାରେ ଭିଡ ସବୁବେଳେ ଲାଗି ରହୁଥିବା ବେଳେ ଏହି ରାସ୍ତାରେ ହିଁ ଗାଈଗୋରୁଙ୍କ ସଂଖ୍ୟା ବେଶୀ ଦେଖିବାକୁ ମିଳିଛି। ତୁରନ୍ତ ପୌର ପରିଷଦ ତରଫରୁ ଗାଈ ଉଠାଇବା କାର୍ଯ୍ୟ ଆରମ୍ଭ କରାନଗଲେ ଆଗାମୀ ଦିନରେ ଏହା ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇବ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର