‘ଫନି’ ପ୍ରଭାବ ଅନୁଧ୍ୟାନ କଲେ ସିପିସିବି ଅଧ୍ୟକ୍ଷ : ପୁରୀ, ଭୁବନେଶ୍ବରରେ ସ୍ବିୱେଜ୍ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍ ବୁଲିଲେ

ଭୁବନେଶ୍ବର/ପୁରୀ : ବାତ୍ୟା ଫନି ପରେ ଆଜି ପୁରୀ ସହରର ସ୍ଥିତି ବୁଲି ଦେଖିଛନ୍ତି ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଏସ୍‌ ପି ସିଂହ ପରିହାର। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ପରିହାର ପୂର୍ବାହ୍ନରେ ପୁରୀ ଯାଇଥିଲେ। ଶ୍ରୀମନ୍ଦିର ଦର୍ଶନ କରିବା ପରେ ମଙ୍ଗଳାଘାଟ ଓ ବାଙ୍କିମୁହାଣରେ ସ୍ବେରେଜ୍‌ ବିଶୋଧନାଗାର ପ୍ରକଳ୍ପ ଦେଖିଥିଲେ। ଏହା ବ୍ୟତୀତ ପୁରୀ ସହରର ଡ୍ରେନେଜ୍‌ ଓ ସ୍ବେରେଜ କାମ ଦେଖିବା ସହ ପାଣି ନିଷ୍କାସନ ପ୍ରକ୍ରିୟା ଏବଂ ବେଳାଭୂମି ପ୍ରଦୂଷଣ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ପରେ ସେ ଭୁବନେଶ୍ବର ଆସି ବାସୁଆଘାଇରେ ଥିବା ସିପ୍ଟେଜ୍ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ ବୁଲି ଦେଖିଥିଲେ। ତାଙ୍କ ସହ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ବାଳ, ଭୁବନେଶ୍ବର ଆଞ୍ଚଳିକ ଅଧିକାରୀ ବିବି ଦାସ, ଓଡବ୍ଲ୍ୟୁଏସ୍‌ଏସ୍‌ବିର ସଦସ୍ୟ ସଚିବ ବସନ୍ତ କୁମାର ପରିଡ଼ା, ପିଡି ପି କେ ମହାପାତ୍ର ଓ ବିନୋକ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ଓଡ଼ିଶାର ଅଧିକାରୀମାନେ ଶ୍ରୀ ପରିହାରଙ୍କୁ ପ୍ଲାଣ୍ଟ୍‌ର କାର୍ଯ୍ୟଧାରା ଓ ଆଗାମୀ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇଥିଲେ। ଅପରାହ୍ନରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଶ୍ରୀ ପରିହାର ଯୋଗ ଦେବା ପରେ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିଲେ।

ସମ୍ବନ୍ଧିତ ଖବର