କୃଷି, ଶ୍ରମିକ ଓ ଜନମାରଣ ନୀତି ବିରୋଧରେ ଜନାଦେଶ: ସିପିଆଇ

ଭୁବନେଶ୍ବର: ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ସିଧାସଳଖ ବିଜେପିର କୃଷି, ଶ୍ରମିକ ଓ ଜନମାରଣ ନୀତି ବିରୁଦ୍ଧରେ ଭୋଟରମାନଙ୍କ ଜନାଦେଶ ବୋଲି ଅଭିହିତ କରିଛନ୍ତିି ସିପିଆଇ ଜାତୀୟ ପରିଷଦ ସଦସ୍ୟ ରାମକୃଷ୍ଣ ପଣ୍ଡା। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତିି ଯେ ଗତ ନିର୍ବାଚନରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଯଥା: ବର୍ଷକୁ ୨ କୋଟି ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି, ସ୍ବାମୀନାଥନ କମିସନଙ୍କ ସୁପାରିସ ଲାଗୁ କରିବା, ବିଦେଶରୁ କଳାଟଙ୍କା ଫେରାଇ ଆଣି‌ବା, ଦରଦାମ ନିୟନ୍ତ୍ରଣ ଆଦି ପୂରଣ କରିବାରେ ବିଫଳ ହେବା ବିରୁଦ୍ଧରେ ଜନମତ ପ୍ରତିଫଳିତ ହୋଇଛି। ସେହିପରି ବିଜେପିର ସାମ୍ପ୍ରଦାୟିକ ଏଜେଣ୍ଡା ଲଭ୍‌ ଜିହାଦ୍‌ଠାରୁ ଆରମ୍ଭ କରି ରାମ ମନ୍ଦିର ନିର୍ମାଣ ନାଟକ ଭାରତବର୍ଷର ସାଧାରଣ ଜନତା ପ୍ରତିଦିନ ଯୁଝୁଥିବା ସମସ୍ୟାଗୁଡ଼ିକୁ ଏଡ଼ାଇଯିବା ଭୋଟରଙ୍କ ରାୟରୁ ସ୍ପଷ୍ଟ ହୋଇଛି। ଏହା ଦର୍ଶାଉଛି ଯେ ୨୦୧୯ ସାଧାରଣ ନିର୍ବାଚନରେ ଭାରତବର୍ଷ ମୋଦୀଙ୍କ ନେତୃତ୍ବରେ ବିଜେପିକୁ ହଟାଇ ଏକ ବାମପନ୍ଥୀ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ବିକଳ୍ପ ପ୍ରତିଷ୍ଠା ଦିଗରେ ସହାୟକ ହେବ ବୋଲି ବାମପନ୍ଥୀ ନେତା ଶ୍ରୀ ପଣ୍ଡା କହିଛନ୍ତିି।

ସମ୍ବନ୍ଧିତ ଖବର