ସମ୍ବିଧାନ ସୁରକ୍ଷିତ ରହିଲେ ଦେଶ ବଞ୍ଚିବ: ନିରଂଜନ

ସିପିଏମ୍‌ର ସର୍ବଦଳୀୟ ଆଲୋଚନାଚକ୍ର

ବ୍ରହ୍ମପୁର : ଭାରତ ହେଉଛି ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଭାରତ ସ୍ୱାଧୀନତା ପରେ ତିଆରି ହୋଇଥିବା ଆମର ସମ୍ବିଧାନ ଲୋକଙ୍କୁ ସୁରକ୍ଷା ଯୋଗାଉଛି। ହେଲେ ବର୍ତ୍ତମାନର ବିଜେପି ସରକାର ଭାରତର ସମ୍ବିଧାନକୁ ଅବମାନନା କରି ଚାଲିଛି। ଯାହା ଫଳରେ ପ୍ରତ୍ୟେକ ଜାତି, ଧର୍ମ, ବର୍ଣ୍ଣର ଲୋକ ସହିତ ଦଳିତ ବର୍ଗ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ସବୁ ଜାଣି ଚୁପ୍‌ ହୋଇ ରହିବା ଠିକ୍‌ ନୁହେଁ। ସ୍ୱାଧୀନତାର ଦୀର୍ଘ ୭୦ବର୍ଷ ପରେ ଭାରତ ପାଇଁ ପୁଣି ଏକ ବିପଦ ସୃଷ୍ଟି ହୋଇଛି। ଏହି ବିପଦରୁ ଭାରତକୁ ରକ୍ଷା କରିବା ପାଇଁ ସମସ୍ତେ ନିଜର ଦାୟିତ୍ୱ ସଠିକ୍‌ ଭାବେ ସମ୍ପାଦନ କରି ସମ୍ବିଧାନକୁ ସୁରକ୍ଷା ପ୍ରଦାନ କରନ୍ତୁ। ସମ୍ବିଧାନ ସୁରକ୍ଷିତ ରହିଲେ ଦେଶ ବଞ୍ଚିବ ବୋଲି ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ସିପିଆଇଏମ୍‌ର ରାଜ୍ୟ ସମ୍ମିଳନୀର ଦ୍ୱିତୀୟ ଦିନରେ ଆଜି ହିଲପାଟଣା ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ୍‌ରେ ‘ଜାତୀୟ ଜୀବନରେ ସଂକଟ ଓ ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସିପିଆଇଏମ୍‌ ନେତା କୈଳାସ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବକ୍ତାଭାବେ ଯୋଗଦେଇ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ପଟ୍ଟନାୟକ କହିଲେ ସ୍ୱାଧୀନତାର ୭୦ବର୍ଷ ପରେ ଭାରତ ପାଇଁ ପୁଣି ଏକ ବିପଦ ଆସିଛି। ଗାନ୍ଧୀଜୀ ଓ ନେହେରୁ ଦଳିତ ତଥା ପ୍ରତ୍ୟେକ ବର୍ଗର ଲୋକଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଉଥିଲେ। ହେଲେ ବର୍ତ୍ତମାନ ଦେଶରେ ସାଂପ୍ରଦାୟିକତାବାଦକୁ ପ୍ରୋତ୍ସାହନ ଦିଆଯାଉଛି।

ଅନ୍ୟତମ ବକ୍ତା ତଥା ବିଜେଡିର ବରିଷ୍ଠ ନେତା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଲେ, ଭାରତ ପାଇଁ ବିଭିନ୍ନ ସମୟରେ ସଂକଟ ଆସିଛି। ଭାରତ ସ୍ୱାଧୀନତା ପରେ ଏମିତି ବହୁ ଉଥାନପତନ ଦେଇ ଗତି କରିଛି। ବର୍ତ୍ତମାନ ଭାରତରେ ଯେଉଁ ସଂକଟ ଦେଖା ଦେଇଛି ତାର ମଧ୍ୟ ମୁକାବିଲ କରାଯିବ। ଏଥିପାଇଁ ପ୍ରତ୍ୟେକ ନାଗରିକଙ୍କ ଚିନ୍ତାଧାରା ଓ ମୂଲ୍ୟବୋଧ ସମାନ ହେବା ଦରକାର।

ପ୍ରାରମ୍ଭରେ ସିପିଆଇଏମ୍‌ର ପୂର୍ବତନ ରାଜ୍ୟ ସମ୍ପାଦକ ଜନାର୍ଦ୍ଦନ ପତି ଆଲୋଚନାଚକ୍ର ସମ୍ପର୍କରେ ସୂଚନା ଦେଇ ବର୍ତ୍ତମାନର ପରିସ୍ଥିତିରେ ଦେଶ ପାଇଁ ସୃଷ୍ଟି ହୋଇଥିବା ସଂକଟ ଉପରେ ବକ୍ତବ୍ୟ ରଖିଥିଲେ। ଅନ୍ୟତମ ବକ୍ତା ସିପିଆଇ ନେତା ନାରାୟଣ ରେଡ୍ଡି ଓ ପଶ୍ଚିମବଙ୍ଗ ସିପିଆଇଏମ୍‌ ରାଜ୍ୟ ସମ୍ପାଦକ ସୂର୍ଯ୍ୟକାନ୍ତ ମିଶ୍ର ମଧ୍ୟ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର