ବିପଦ ସଂକୁଳ ଅବସ୍ଥାରେ ଜୟପୁର ଉପରକୋଲାବ ଜଳ ଭଣ୍ଡାରରୁ ଜୟପୁର, ବୋରିଗୁମ୍ମା ଓ କୋଟପାଡ ଅଞ୍ଚଳ ଦେଇ ଯାଇଥିବା ମୁଖ୍ୟ କେନାଲ ଏସ୍-ବ୍ରିଜ

ଜୟପୁର : ବିପଦ ସଂକୁଳ ଅବସ୍ଥାରେ ମୁଖ୍ୟ କେନାଲ ଏସ୍-ବ୍ରିଜ। ଫାଟି ଆଁ କରିଛି ୬ରୁ ଅଧିକ ଜାଗା। ତେଣୁ ପାଣି ଗଳୁଛି। ଧୀରେ ଧୀରେ ଏହି ଫାଟିବା ସ୍ଥାନ ବୃଦ୍ଧି ପାଉଥିବାବେଳେ ଅଚିନ୍ତା ନିଦରେ ଶୋଇଛି ପ୍ରଶାସନ। ଫାଟିଥିବା ଗାତରୁ ଗଳୁଥିବା ପାଣିରେ ଲୋକେ ଗାଧୋଉଥିବାବେଳେ ମୁଖ୍ୟ କେନାଲ ଦେଇ ଯାଉଛି ବଡ ବଡ ଭାରିଯାନ। ଆମେ କହୁଛୁ ଜୟପୁର ଉପରକୋଲାବ ଜଳ ଭଣ୍ଡାରରୁ ଜୟପୁର, ବୋରିଗୁମ୍ମା ଓ କୋଟପାଡ ଅଞ୍ଚଳକୁ କେନାଲ ଦେଇ ଯାଉଥିବା ଏସ ବ୍ରିଜର କଥା। ଦୀର୍ଘ ଦିନ ଧରି ଏହି ବ୍ରିଜରେ ୬ରୁ ଅଧିକ ଫାଟ ସୃଷ୍ଟି ହୋଇଥିବାବେଳେ ଏହାକୁ ମରାମତି କରୁନାହିଁ ଉପର କୋଲାବ କର୍ତ୍ତୃପକ୍ଷ। ଅପର କୋଲାବ ମୁଖ୍ୟ କେନାଲ ୧୯୯୬ରେ ତିଆରି ହୋଇଥିବା ବେଳେ ଏଥିରେ କୋଟପାଡ, ବୋରିଗୁମ୍ମା ଓ ଜୟପୁରକୁ ପାଣି ଯୋଗାଇବା ପାଇଁ ପୁଟୁରା ନଦୀ ଉପରେ ଏସ୍ ବ୍ରିଜ୍ ତିଆରି କରାଯାଇ ବ୍ରିଜ୍ ମଧ୍ୟଦେଇ ପାଣି ଚାଳନା କରାଯିବା ନେଇ ଉଚ୍ଚ ମାନର ଡିଜାଇନ୍ ତିଆରି କରାଯାଇଥିଲା। ବର୍ତ୍ତମାନ ଏହି ବ୍ରିଜରେ ୬ଟି ଫାଟ ହୋଇ ମୂଷଳ ଧାରାରେ ପାଣି ବୋହୁଥିବା ଦେଖିବାକୁ ମିଳିଛି। ଯଦି କୌଣସି ପରିସ୍ଥିତିରେ ଏହି ପୋଲ ଭୁଷୁଡି ଯାଏ ତେବେ ଉକ୍ତ ବ୍ରିଜକୁ ଲାଗି ରହିଥିବା ଜୟପୁର ବ୍ଲକର ପାଲିଗୁଡା, ବଙ୍ଗାଡିବାଡ ଓ ଏକଟାଗୁଡା ବାସୀ ପ୍ରଭାବିତ ହେବେ। ଏହା ସହ ଶହଶହ ଏକର ଜମି ଜଳାନ୍ନବ ହୋଇଯିବା ପରିସ୍ଥିତି ଦେଖାଦେଇଛି।

ଏବେ ‌ରବି ଋତୁ ପାଇଁ କୋରାପୁଟ ଜିଲ୍ଲାର କୋଟପାଡ, ବୋରିଗୁମ୍ମା ଓ ଜୟପୁରର ପ୍ରାୟ ହଜାର ହଜାର ଏକର ଜମିରେ ଧାନ ରୁଆ କାର୍ଯ୍ୟ ଆରମ୍ଭ ହେଉଥିବାବେଳେ ଯଦି ଏହି ସ୍ଥିତି ହେଲେ ରବି ଋତୁରେ ଚାଉଳ ମିଳିବ କି ନାହିଁ ତାହା ସନ୍ଦେହ ପ୍ରକାଶ ପାଇଛି। ଏ ନେଇ ଗ୍ରାମବାସୀ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ବ୍ରିଜକୁ ମରାମତି ପାଇଁ ପ୍ରଶାସନ ଗତ ୪ ବର୍ଷ ହେବ ପ୍ରୟାସ କରୁଥିବା ବେଳେ ବିଫଳ ହୋଇଛି। କାରଣ ଅପର କୋଲାବ ମୁଖ୍ୟ ଫାଟକ ଗତ ୫ ବର୍ଷ ହେବ ଖରାପ ହୋଇ ସମ୍ପୂର୍ଣ୍ଣ ବନ୍ଦ ହେଉ ନ ଥିବାରୁ କେନାଲ ମରାମତି କାର୍ଯ୍ୟ ହୋଇ ପାରୁନି। କେନାଲରେ କାଦୁଅ ଭରି ହୋଇଥିବା ବେଳେ ପାର୍ଶ୍ବ ଗୁଡିକ ଖରାପ ହୋଇସାରିଲାଣି। ଏଥିସହ ମୁଖ୍ୟ ରହିଛି ଏସ ବ୍ରିଜର ମରାମତି। ଏହି ବ୍ରିଜ୍ ଦେଇ କୋଟପାଡକୁ ପ୍ରାୟ ୫୮ କିଲୋମିଟର, ଜୟପୁର ବ୍ଲକର ୨୨ଟି ପଞ୍ଚାୟତ ଓ ବୋରିଗୁମ୍ମା ବ୍ଲକର ୧୦ରୁ ଅଧିକ ପଞ୍ଚାୟତର ଚାଷ ଜମିକୁ ପାଣି ଯୋଗାଇଦିଆ ଯାଉଛି। ଯାହାକି ଅପରକୋଲାବ ଜଳ ପ୍ରକଳ୍ପର ମୁଖ୍ୟ ଉଦେଶ୍ୟ ରହିଥିଲା। ତେବେ କେନାଲ ବ୍ରିଜ୍ ଭାଙ୍ଗିଲେ ଏହି ଅଞ୍ଚଳର ଚାଷୀ ଓ ହଜାର ହଜାର ଏକର ଚାଷ ଜମି ପ୍ରଭାବିତ ହେବ। ଏଥିସହ ଏସ ବ୍ରିଜର ମୁଖ୍ୟ କେନାଲର ମୁଖ୍ୟ ସ୍ଥାନରେ ରହିଥିବାରୁ ଏହା ଭୁଶୁଡିଲେ ଅପର କୋଲାବ କେନାଲ ସମ୍ପୂର୍ଣ୍ଣ ଅଚଳ ହୋଇଯିବ।

ତେବେ ଏହାକୁ ମରାମତି ପାଇଁ ପ୍ରଥମେ କୋଲାବର ମୁଖ୍ୟ ଫାଟକକୁ ମରାମତି କରାଯାଇ ତାକୁ ଶୁଖା ରଖା ଯିବା ପରେ ମରାମତି କାର୍ଯ୍ୟ ହେବ ବୋଲି ଯନ୍ତ୍ରୀ ସୀତାରମ ନାୟକ କହିଛନ୍ତି। ସେ କହିଛନ୍ତି ଆସନ୍ତା ମେ ମାସରେ ପାଣି ବନ୍ଦ କରାଯାଇ ସମସ୍ତ କାର୍ଯ୍ୟ କରାଯିବ। ତେବେ ଆସନ୍ତା ମେ ମାସ ମଧ୍ୟରେ କୌଣସି ପ୍ରକାର ଦୁର୍ଘଟଣା ହେବ ନାହିଁ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି। ଏନେଇ ଶୀତଳା ମୁଦୁଲି କହିଛନ୍ତି ଯେ ବ୍ରିଜ୍ ଫାଟି ଆଁ କରିଥିବାବେଳେ ୬ରୁ ଅଧିକ ଜାଗାରେ ଫାଟି ପାଣି ଗଳୁଛି। ଏହାକୁ ଗୁରୁତ୍ୱ ନଦେଇ ବିଭାଗୀୟ କର୍ତ୍ତୃପକ୍ଷ ଚୁପ ବସିଥିବା ବେଳେ ଉକ୍ତ ବ୍ରିଜକୁ ଲାଗି ରହିଥିବା ଗ୍ରାମବାସୀ ଏବେ ଭୟରେ ଦିନ କାଟୁଛୁ।

ସମ୍ବନ୍ଧିତ ଖବର