ରେଳ ଧାରଣାରେ ଫାଟ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗ୍ୟାଙ୍ଗ୍‌ମ୍ୟାନ ବଞ୍ଚାଇଲେ ଯାତ୍ରୀଙ୍କ ଜୀବନ

ରାଉରକେଲା : ରେଳଧାରଣା ଉପରେ ୩୩ କେଭି ବିଦ୍ୟୁତ ତାର ଛିଣ୍ଡି ପଡ଼ିବାର ୨୪ ଘଣ୍ଟା ନ ବିତୁଣୁ ଆଜି ରେଳ ଧାରଣାରେ ଫାଟ ଦେଖା ଦେବା ଘଟଣା ଯାତ୍ରୀଙ୍କୁ ଆତଙ୍କିତ କରିଦେଇଛି। ଗ୍ୟାଙ୍ଗ୍‌ମ୍ୟାନ୍‌ର ଉପସ୍ଥିତି ବୁଦ୍ଧି ଏକ ନିଶ୍ଚିତ ବଡ଼ଧରଣର ଅଘଟଣକୁ ଏଡ଼ାଇ ଦେବାରେ ସକ୍ଷମ ହୋଇଛି। ଆଜି ସକାଳ ପ୍ରାୟ ସାଢ଼େ ୭ଟା। ମୁମ୍ବାଇ-ହାୱଡ଼ା ମୁଖ୍ୟ ଲାଇନ୍‌ରେ ଆଲେପ୍ପି-ଟାଟା ଏକ୍ସପ୍ରେସ୍‌ ଟାଟା ଅଭିମୁଖେ ଯାଉଥିଲା। ଏହି ସମୟରେ ଗ୍ୟାଙ୍ଗ୍‌ମ୍ୟାନ ରାମଶ୍ରେୟ ଦାସ ପାଟ୍ରୋଲିଂ କରୁଥିଲେ। ବନ୍ଧମୁଣ୍ଡା ଡି’ କ୍ୟାବିନ ପାଖରେ ମୁମ୍ବାଇ-ହାୱଡ଼ା ମୁଖ୍ୟ ଲାଇନ୍‌ରେ ଏକ ଫାଟ ଥିବା ରାମଶ୍ରେୟ ଦେଖିବାକୁ ପାଇଥିଲେ। ସେତେବେଳକୁ କିନ୍ତୁ ଆଲେପ୍ପି-ଟାଟା ଏକ୍ସପ୍ରେସ୍‌ ପାଖାପାଖି ପହଞ୍ଚି ସାରିଥିଲା। ଏଭଳି ଏକ ଘଟିସନ୍ଧି ମୂହୁର୍ତ୍ତରେ ରାମଶ୍ରେୟ ବିବ୍ରତ ନ ହୋଇ ଲାଲ ପତାକା ଦେଖାଇ ଟ୍ରେନ୍‌ ରୋକିବାକୁ ସଙ୍କେତ ଦେଇଥିଲେ। ଟ୍ରେନ୍‌ ଚାଳକ ମଧ୍ୟ ସଙ୍ଗେସଙ୍ଗେ ବ୍ରେକ୍‌ ଦେଇଥିଲେ। ତେବେ ଟ୍ରେନ୍‌ର ବେଗ ଅଧିକ ଥିବାରୁ ଇଞ୍ଜିନ ସହ ୫ଟି ବଗି ଉକ୍ତ ଫାଟକୁ ଅତିକ୍ରମ କରିସାରିଥିଲା। ଏହା ଟ୍ରେନ୍‌ ଯାତ୍ରୀଙ୍କ ମହଲରେ ଆତଙ୍କ ଖେଳାଇ ଦେଇଥିଲା। ରେଳଧାରଣାରେ ଫାଟ ଥିବା ସୂଚନା ପାଇ ରେଳବାଇ ପିଡବ୍ଲୁଆଇ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ ଆରମ୍ଭ କରିଥିଲେ। ‌ଫାଟ ହୋଇଥିବା ସ୍ଥାନ ପାଖରେ ଆଗରୁ ଏକ ପ୍ଲେଟ୍‌ ଲାଗିଥିବାରୁ ଟ୍ରେନ୍‌ ଚଳାଚଳରେ କୌଣସି ଅସୁବିଧା ନ ଥିବା କହି ଏକ୍ସପ୍ରେସ୍‌କୁ ଗନ୍ତବ୍ୟ ପଥରେ ଯିବାକୁ ପରାମର୍ଶ ଦେଇଥିଲେ। ପ୍ରାୟ ୧୫ ମିନିଟ୍‌ ଧରି ଟ୍ରେନ୍‌ ଅଟକି ରହିବାପରେ ମନ୍ଥର ଗତିରେ ଉକ୍ତ ସ୍ଥାନକୁ ଅତିକ୍ରମ କରି ଗନ୍ତବ୍ୟ ପଥରେ ବାହାରିଥିଲା। ପରେ ତାହାକୁ ମରାମତ କରା ଯାଇଥିଲା। ଟ୍ରେନ୍ ଯଦି ଅଧିକ ବେଗରେ ଯାଇଥିଲେ ତେବେ ଦୁର୍ଘଟଣା ଘଟିବାର ଆଶଙ୍କା ଥିଲା। ନିଶ୍ଚିତ ଏକ ବଡ଼ଧରଣର ଅଘଟଣକୁ ଏକାକି ଟାଳି ଦେବାରେ ସକ୍ଷମ ହୋଇଥିବା ଗ୍ୟାଙ୍ଗମ୍ୟାନ ରାମଶ୍ରେୟଙ୍କ ଉପସ୍ଥିତ ବୁଦ୍ଧି ଓ ନିଷ୍ଠାପର କାର୍ଯ୍ୟ ସଂପାଦନକୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି।

ସମ୍ବନ୍ଧିତ ଖବର