ବେଆଇନ ଭାବେ ଚାଲିଥିଲା କାରଖାନା

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାବଳପୁର ଓ ପୁରୀ ଜିଲ୍ଲା ପିପିଲି ବିଲିପଡ଼ା ବାଣ ବିସ୍ଫୋରଣ ଘଟଣାକୁ ଗୁରୁତ୍ୱର ସହିତ ନେଇଛି ରାଜ୍ୟ ଅଗ୍ନିଶମ ବିଭାଗ। ଏ ନେଇ ଏକ୍ସପ୍ଲୋସିଭ୍‌ ଆକ୍ଟରେ ଅଗ୍ନିଶମ ବିଭାଗ ନିଜ ଆଡୁ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ କରିଛି। ବିଭାଗ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ତଦନ୍ତ ପାଇଁ ଘଟଣାସ୍ଥଳକୁ ପଠାଯାଇଛି। କେଉଁ ପରିସ୍ଥିତିରେ ସେଠାରେ ବାଣ ବିସ୍ଫୋରଣ ଘଟିଲା, ଅଗ୍ନିଶମ ଗାଇଡ୍‌ ଲାଇନ୍‌ ପାଳନ ହେଉଥିଲା ନା ନାହିଁ, ଯଦି ପାଳନ ହେଉ ନ ଥିଲା କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା ଏହାର ତଦନ୍ତ ହେବ। ତଦନ୍ତ ପରେ ସଂପୃକ୍ତ ସଂସ୍ଥା ଓ ସଂସ୍ଥାର ମାଲିକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ ସୂଚନା ଦେଇଛନ୍ତି।

ମୁଖ୍ୟ ଅଗ୍ନିଶମ ଅଧିକାରୀ ଶ୍ରୀ ସେଠୀଙ୍କ ସୂଚନା ମୁତାବକ, ଏବେ ସୁଦ୍ଧା ଘଟଣା ସ୍ଥଳକୁ ଯାଇଥିବା ଅଫିସରମାନେ ଯାହା ସୂଚନା ଦେଇଛନ୍ତି, ଦୁଇଟି ସ୍ଥାନରେ ବାଣ କାରଖାନା ବେଆଇନ ଭାବେ ଚାଲୁଥିଲା। ଏପରିକି ସେମାନଙ୍କ ପାଖରେ ବାଣ ତିଆରି ପାଇଁ ଲାଇସେନ୍ସ ମଧ୍ୟ ନ ଥିଲା। ସେମାନଙ୍କୁ ଅଗ୍ନିଶମ ବିଭାଗ ଏନ୍‌ଓସି ମଧ୍ୟ ଦେଇ ନାହିଁ। ଲୁୁଚାଛପାରେ ଜନବସତିଠାରୁ ଦୂରରେ ଏକ ନିକାଞ୍ଚନ ଘରେ ଏହି କାରଖାନା ଚାଲୁଥିଲା। ଯେହେତୁ ବେଆଇନ ଭାବେ ଏହି ଦୁଇଟି କାରଖାନା ଚାଲୁଥିଲା ଏମାନଙ୍କ ବିରୋଧରେ ଏକ୍ସପ୍ଲୋସିଭି ଆକ୍ଟ ବଳରେ ମାମଲା ରୁଜୁ ହୋଇଛି। ସ୍ଥାନୀୟ ଅଗ୍ନିଶମ ଅଧିକାରୀମାନେ ରିପୋର୍ଟ ଦେବା ପରେ ଏହାକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଦିଆଯିବ। ଏହା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ରାଉରକେଲାରେ ବାଣ ଦୋକାନରେ ଘଟିଥିବା ଅଗ୍ନିକାଣ୍ଡର ମଧ୍ୟ ତଦନ୍ତ ରିପୋର୍ଟ ଆସିଛି। ସେଠାରେ ମଧ୍ୟ କୌଣସି ଗାଇଡ ଲାଇନ୍‌ ପାଳନ କରୁ ନ ଥିଲେ ବାଣ ବିକ୍ରି କରୁଥିବା ଦୋକାନୀମାନେ। ସେମାନଙ୍କୁ ଆଜିଠାରୁ ବାଣ ବିକ୍ରି କରିବାକୁ ଅନୁମିତି ମିଳିଥିଲା। କିନ୍ତୁ ସେମାନେ ଗତକାଲି ସଂଧ୍ୟାରୁ ବାଣ ବିକ୍ରି ଆରମ୍ଭ କରି ଦେଇଥିଲେ।

ଏବେ ପ୍ରଶ୍ନ ଉଠୁଛି, ଏ ତିନିଟି ଯାକ ସ୍ଥାନରେ ସ୍ଥାନୀୟ ପୁଲିସ ଅଧିକାରୀ କରୁଥିଲେ କଣ। ବେଆଇନ ବାଣ କାରଖାନା ସଂପର୍କରେ ସେମାନେ ଜାଣିନଥିଲେ ନା ସବୁ ଜାଣି ନିରବ ରହିଥିଲେ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ମଧ୍ୟ ବିଭିନ୍ନ ମହଲରେ ଦାବି ଉଠିଲାଣି।

ବାହାବଳପୁର ବିସ୍ଫୋରଣ: କିଛି କଥା, କିଛି ବ୍ୟଥା

ବିପଦ ବଳୟରେ ଥିଲା ଗୋଲକଙ୍କ ପରିବାର!

ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ବାହାବଳପୁରର ଗୋଲକ ପ୍ରଧାନ ନିଜ ଘର ପାଖରେ ଗତ ୪ ବର୍ଷ ହେବ ବାଣ କାରଖାନା କରିଥିଲେ। ଏଠାରେ ସେ ବର୍ଷର ବିଭିନ୍ନ ସମୟରେ ବାଣ ତିଆରି କରୁଥିଲେ। ତାଙ୍କୁ ତାଙ୍କ ପରିବାର ଲୋକ ସାହାଯ୍ୟ କରୁଥିବା ବେଳେ ପ୍ରାୟ ୮ ଜଣ କାରିଗର ନିୟୋଜିତ ଥିଲେ। ତେବେ ବାଣ କାରଖାନାଟି ଗୋଲକଙ୍କ ଘରଠାରୁ ମାତ୍ର ୧୨ ଫୁଟ୍‌ ଦୂରରେ ରହିଥିଲା। ବାସଗୃହ ନିକଟରେ ବାଣ କାରବାର କରିବାର ଗୋଲକଙ୍କ ଛୋଟ ଭୁଲ୍‌ ଆଜି ସବୁକିଛି ଓଲଟପାଲଟ କରିଦେଇଛି। ନିଜ ପରିବାର ସହ ଅନ୍ୟମାନଙ୍କ ପରିବାରକୁ ଉଚ୍ଛନ୍ନ କରିପକାଇଛି। ଏହି ଦୁର୍ଘଟଣା ପରେ ସମସ୍ତଙ୍କ ମନକୁ ଗୋଟିଏ କଥା ଘାରୁଛି ଯେ ଗୋଲକଙ୍କ ପରିବାର ଆଉ ଛୋଟ ଛୋଟ ପିଲାମାନେ ଗତ ୪ ବର୍ଷ ହେଲା ଏକ ବିପଦର ବଳୟ ଭିତରେ ଥିଲେ। ଶେଷର ଆଜି ସେଇ ବଳୟ ଆଜି ବିଷ ଓଗାଳିଦେଲା!!

ବଜ୍ରପାତ ନା ନିଆଁ?

ବିସ୍ଫୋରଣ ଘଟିଥିବା ଘରଟି ଗାଁ ରାସ୍ତାଠାରୁ ୧୦୦ ମିଟର ଦୂରରେ ରହିଛି। ଏହାଠାରୁ ଅନ୍ୟ ଘରଗୁଡ଼ିକ ପ୍ରାୟ ୧୦୦/୨୦୦ ମିଟର ଦୂରତାରେ ଅଛି। ଆଖପାଖର ଲୋକଙ୍କ କହିବା ଅନୁଯାୟୀ; ଘଟଣାରେ ମୃତ୍ୟୁବରଣ କରିଥିବା ଗୋଲକ ବିହାରୀଙ୍କ ୪ ବର୍ଷର ନାତି ଏହି ପରିସରରେ ବାଣ ଫୁଟାଉଥିବା ସମୟରେ ସେଥିରୁ ଗୋଟିଏ ବାଣ ଛିଟିକି ଯାଇ କାରଖାନାରେ ପଡ଼ିବାରୁ ଦୁର୍ଘଟଣା ଘଟିଥିଲା। ଆଉ କିଛି ଲୋକଙ୍କ କହିବା ଅନୁସାରେ, ଏହି ସମୟରେ ବର୍ଷା ଲାଗିରହିଥିଲା। ବଜ୍ରପାତ ହୋଇଥିଲା। କିଛି ସେକେଣ୍ଡ ମଧ୍ୟରେ ବାଣ କାରଖାନାରୁ ବିସ୍ଫୋରଣ ଶବ୍ଦ ଶୁଭିଥିଲା। ତେବେ ଘଟଣା ପଛର ପ୍ରକୃତ କାରଣ ଜଣାପଡ଼ିନାହିଁ।

ଶୂନ୍ୟରେ ଉଡ଼ିଲା ଛପର

ବିସ୍ଫୋରଣ ଫଳରେ କାରଖାନାର ଛପର ଉଡ଼ିଯାଇଥିଲା। କାରଖାନା ପରିସରରେ ଥିବା ବିଭିନ୍ନ ଗଛଗୁଡ଼ିକରେ ଛପରର ଆଜବେଷ୍ଟସ୍‌, ଟିଣ, ବାଉଁଶ, କାଠ ଆଦି ଲାଖିଥିବା ଦେଖାଯାଇଥିଲା। ଏହି ଦୃଶ୍ୟ ଦେଖି ଲୋକମାନଙ୍କ ଦେହ ଟାଙ୍କୁରି ଯାଇଥିଲା। କାରଖାନା ଭିତରେ ଥିବା ଲୋକଙ୍କ ଅବସ୍ଥା କ’ଣ ହୋଇଥିବ, ସହଜରେ ଅନୁମେୟ।

ଦୋହଲିଗଲା ଆଖପାଖ

ବାଣ ତିଆରି କାରଖାନାରେ ନିଆଁ ଲାଗିବା ପ୍ରଥମେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଭିଥିଲା। ପରେ କାନ ଅତଡ଼ା କରିଦେବା ଭଳି ବିସ୍ଫୋରଣ ଲଗାତାର ଅଧଘଣ୍ଟା ଧରି ଚାଲିଥିଲା। ଦୋହଲି ଯାଇଥିଲା ସମଗ୍ର ଅଞ୍ଚଳ। ନିଆଁ, ଧୂଆଁ ଓ ବାରୁଦ ଗନ୍ଧରେ ଭର୍ତି ହୋଇଯାଇଥିଲା। କାରଖାନାରେ ଥିବା ବାଣ, କୁମ୍ପି, ରକେଟ୍‌ରେ ନିଆଁ ଲାଗିବା ପରେ ସେଗୁଡ଼ିକ ଚାରିଆଡ଼କୁ ମାଡ଼ିଯାଇଥିଲା। ଗାଁ ଲୋକେ ଉଦ୍ଧାର ପାଇଁ ଧାଇଁ ଆସିଥିଲେ ବି ସେଠାକାର ଭୟାବହ ପରିସ୍ଥିତି ଦେଖି କେହି କିଛି କରିପାରିନଥିଲେ।

ସମସ୍ତଙ୍କ ଜାଣତରେ ଚାଲିଥିଲା

ଗ୍ରାମବାସୀଙ୍କ କହିବା ଅନୁଯାୟୀ; ବାହାବଳପୁରରେ ପ୍ରଧାନ ପରିବାର ବାଣ ତିଆରି କରୁଥିବା ବେଳେ ବେଶ୍‌ ଜଣାଶୁଣା ଥିଲେ। କେବଳ ଗୋଲକ ନୁହନ୍ତି, ବାହାବଳପୁର ଗାଁରେ ଥିବା ଆହୁରି ୧୦/୧୨ ଘରର ଲୋକ ବାଣ କାରବାର କରୁଛନ୍ତି। ଏହି ଖବର ସ୍ଥାନୀୟ ନେତା, ପୁଲିସ ପ୍ରଶାସନ, ଅଗ୍ନିଶମ ବିଭାଗଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ରହିଛି। ହେଲେ ସବୁ ଜାଣି ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ; ଦୀପାବଳି ଆସିଲେ ସରକାରୀ ବାବୁ ଓ ନେତାମାନେ ବାହାବଳପୁରରୁ ବ୍ୟାଗ୍‌ ବ୍ୟାଗ୍‌ ବାଣ ନେଇଥା’ନ୍ତି।

ସମ୍ବନ୍ଧିତ ଖବର