ବାଲିଆପାଳ : ବାଣଗଦାରେ ନିଆଁ ଲାଗି ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଭିତରେ ଅଛନ୍ତି ନରେନ୍ଦ୍ର ଘଡ଼ାଇ (୭୫) ଓ ତାଙ୍କ ନାତି ଦୀପୁ (୪)। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ବାଲିକୁଟି ପଞ୍ଚାୟତ ଅନ୍ତର୍ଗତ ଛଡା ଗାଁରେ ଆଜି ଦିନ ୧୧ଟା ବେଳେ ଘଟିଛି ଏହି ଅଭାବନୀୟ ଘଟଣା।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ଗ୍ରାମର ଯତୀନ୍ଦ୍ର ଘଡ଼ାଇ ବାଣ ବ୍ୟବସାୟ କରନ୍ତି। ଏବର୍ଷ ଦୁର୍ଗାପୂଜା ଓ ରାବଣପୋଡ଼ି ପାଇଁ ପାଖାପାଖି ୫୦ଟି କମିଟି ପକ୍ଷରୁ ତାଙ୍କୁ ବାଣ ଯୋଗାଇବାର ଅର୍ଡର ମିଳିଥିଲା। ଯତୀନ୍ଦ୍ର ଘରଠାରୁ କିଛି ଦୂରରେ ବାଣ ପ୍ରସ୍ତୁତ କରିବା ପରେ ସେଗୁଡ଼ିକ ଆଣି ଘର ଖଳାରେ ଶୁଖାଇଥିଲେ। ବାଣ ସହ କିଛି ବାରୁଦ ମଧ୍ୟ ଶୁଖୁଥିଲା। ଦିନ ପ୍ରାୟ ୧୧ଟା ବେଳେ ବାଣ ଓ ବାରୁଦରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଫଳରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଫଳରେ ଅଗଣାରେ ବସିଥିବା ଯତୀନ୍ଦ୍ରଙ୍କ ବାପା ନରେନ୍ଦ୍ର ଓ ନାତି ଦୀପୁ ପୋଡ଼ିଯାଇ ଗୁରୁତର ହୋଇଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଯତୀନ୍ଦ୍ରଙ୍କ ପତ୍ନୀ ଓ ବୋହୂ ଚେତା ହରାଇଥିଲେ।
ଶବ୍ଦ ଶୁଣି ଯତୀନ୍ଦ୍ର ଓ ଗ୍ରାମବାସୀ ଦୌଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ। ସେମାନେ ନରେନ୍ଦ୍ର ଓ ଦୀପୁଙ୍କୁ ଉଦ୍ଧାର କରି ବସ୍ତା ଓ ପରେ ବାଲେଶ୍ୱର ଡାକ୍ତରଖାନାକୁ ନେଇଥିଲେ। ହେଲେ ବାଟରେ ଦୀପୁଙ୍କ ମୃତ୍ୟୁ ଘଟିଥିଲା ଓ ପରେ ଚିକିତ୍ସାଧୀନ ଅବସ୍ଥାରେ ନରେନ୍ଦ୍ରଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଘର, ବାଇକ ଓ ଲକ୍ଷାଧିକ ଟଙ୍କାର ବାଣ ନଷ୍ଟ ହୋଇଛି। ଅଘଟଣର କାରଣ ଜଣାପଡ଼ି ନଥିଲେ ବି ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ହୋଇଥିବା ସନ୍ଦେହ କରାଯାଉଛି। ବାଲିଆପାଳ ଆଇଆଇସି କ୍ଷମାସାଗର ପଣ୍ଡାଙ୍କ ସହ ଅଗ୍ନିଶମ ବିଭାଗ ପହଞ୍ଚି ତଦନ୍ତ କରୁଛନ୍ତି।