ଆଇଓଙ୍କୁ ନିୟନ୍ତ୍ରଣ କରିବ ‘କ୍ରାଇମ୍‌ ଆନାଲିସିସ୍‌ ଵିଙ୍ଗ୍‌’

କ୍ରାଇମ୍‌ବ୍ରାଞ୍ଚର ଅନ୍‌ଲାଇନ୍‌ରେ ମାମଲା ପରିଚାଳନା, ଆଇଜିଙ୍କ ନେତୃତ୍ବରେ ୪ ଅଫିସରଙ୍କୁ ଦାୟିତ୍ବ

କଟକ : ତଦନ୍ତକାରୀ ପୁଲିସ ଅଧିକାରୀ(ଆଇଓ) କ୍ରାଇମ୍‌ବ୍ରାଞ୍ଚର ନିର୍ଦ୍ଦେଶାବଳୀ ଆଧାରରେ ମାମଲାର ତଦନ୍ତ କରୁନାହାନ୍ତି। ସେଥିପାଇଁ ରାଜ୍ୟରେ ବାର୍ଷିକ ଦୋଷୀ ସାବ୍ୟସ୍ତ ହାର ମାତ୍ର ୧୦ ପ୍ରତିଶତ। ୯୦ ପ୍ରତିଶତ ଦୋଷୀ କୋର୍ଟରୁ ମୁକୁଳି ଯାଉଛନ୍ତି। ଏଣିକି ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ପାଇଁ କ୍ରାଇମ୍‌ବ୍ରାଞ୍ଚରେ ଖୋଲିବାକୁ ଯାଉଛି ‘କ୍ରାଇମ୍‌ ଆନାଲିସିସ୍‌ ଵିଙ୍ଗ’। ଏଠାରେ ଥିବା ବରିଷ୍ଠ ପୁଲିସ ଅଧିକାରୀ ପ୍ରତ୍ୟେକ ଦିନ ଅନ୍‌ଲାଇନ୍‌ ଭିଡିଓ କନ୍‌ଫରେନ୍ସିକ ମାଧ୍ୟମରେ ଆଇଓଙ୍କୁ ମାମଲାର କିଭଳି ପରିଚାଳନା କରାଯିବ, ସେ ସମ୍ପର୍କରେ ନିର୍ଦ୍ଦେଶ ଦେବେ। ଅର୍ଥାତ ପ୍ରତ୍ୟେକ ସମ୍ବେଦନଶୀଳ ଓ ଗୁରୁତ୍ବପୂର୍ଣ୍ଣ ଅପରାଧିକ ମାମଲାର ତଦନ୍ତ ପ୍ରକ୍ରିୟା ସିଧାସଳଖ କ୍ରାଇମ୍‌ବ୍ରାଞ୍ଚ ଦ୍ବାରା ନିୟନ୍ତ୍ରିତ କରାଯିବା ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

ରାଜ୍ୟରେ ୩୫ଟି ପୁଲିସ ଜିଲ୍ଲା ଏସ୍‌ପିଙ୍କ କାର୍ଯ୍ୟାଳୟରୁ ପ୍ରତି ୨୪ ଘଣ୍ଟାରେ ଜିଲ୍ଲାର ସିଚୁଏସନ୍‌ ରିପୋର୍ଟ ପ୍ରତ୍ୟେକ ଦିନ ସକାଳେ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟକୁ ପଠାଯାଉଛି। ଅର୍ଥାତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ କି ପ୍ରକାର ଅପରାଧ ଘଟିଛି, ସେ ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ ରହୁଛି। ମାମଲାର ଅନୁଧ୍ୟାନ କରାଯାଉଥିବା ବେଳେ ଆଇଓ ଏବ˚ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀଙ୍କ ମଧ୍ୟରେ ଯୋଗାଯୋଗ ରହିପାରୁ ନାହିଁ। ଏଣିକି ଏସବୁ ମାମଲାକୁ ନିୟନ୍ତ୍ରଣ କରିବାକୁ ‘କ୍ରାଇମ୍‌ ଆନାଲିସିସ୍‌ ଵିଙ୍ଗ’ ଆରମ୍ଭ ହେବାକୁ ଯାଉଛି। କ୍ରାଇମ୍‌ବ୍ରାଞ୍ଚର ଜଣେ ଆଇଜି ଵିଙ୍ଗର ମୁଖ୍ୟ ଭାବେ ନିଯୁକ୍ତ ହେବେ। ତାଙ୍କ ଅଧିନରେ ୪ ଜଣ ଅବସରପ୍ରାପ୍ତ ଏସ୍‌ପି କିମ୍ବା ଆଡିସନାଲ୍‌ ଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତ କରିବାକୁ କ୍ରାଇମ୍‌ବ୍ରାଞ୍ଚ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି। ଏଣିକି ମାମଲା ରୁଜୁ ହେବାଠାରୁ କୋର୍ଟରେ ଚାର୍ଜସିଟ୍‌ ଦାଖଲ ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣାର ଟିକିନିଖି ପରାମର୍ଶ ଯୋଗାଇବେ। ୨୦୧୮, ମାର୍ଚ୍ଚ ୨୯ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଜାରି ସର୍କୁଲାର‌୍‌ (୦୧/୨୦୧୮) ଆଧାରରେ ଅପରାଧ ଯେଉଁ ଅଞ୍ଚଳରେ ଘଟିଛି, ସେଠାକାର ସିସି କ୍ୟାମେରା ଫୁଟେଜ୍‌ ଘଟଣା ଘଟିବାର ସାତ ଦିନ ମଧ୍ୟରେ ସ˚ଗ୍ରହ କରାଯିବ। ପୀଡ଼ିତା ଅଭିଯୋଗ କରିବା ଦିନ ଏବ˚ ଅଭିଯୁକ୍ତ ଗିରଫ ହେବା ଦିନ, ଉଭୟଙ୍କ ନଖର ନମୁନା ସ˚ଗ୍ରହ କରାଯିବ। ପୀଡ଼ିତାର ସମସ୍ତ ପ୍ରକାର ଡାକ୍ତରୀ ପରୀକ୍ଷା ଅଭିଯୋଗ କରିବା ଦିନ ତୁରନ୍ତ କରାଯିବ। ଦୁଷ୍କର୍ମ ମାମଲାରେ ମାଜିଷ୍ଟ୍ରେଟ୍‌ଙ୍କ ସାମନାରେ ସିଆର‌୍‌ପିସିର ଧାରା ୧୬୪ରେ ବୟାନ ତୁରନ୍ତ ରେକର୍ଡ ହେବା ପ୍ରତି ଆଇଓମାନେ ଧ୍ୟାନ ଦେବେ। ସେହିପରି କୌଣସି ସାଇବର ଅପରାଧ ଘଟିଲେ, ପୁଲିସ ଡିଜିଟାଲ୍‌ ପ୍ରମାଣ ତୁରନ୍ତ ସ˚ଗ୍ରହ କରି ସାଇବର ଫରେନ୍‌ସିକ ସାଇନ୍ସ ଲାବ୍ରୋଟାରୀକୁ ତୁରନ୍ତ ପଠାଇବାକୁ ପଡ଼ିବ। ସମ୍ବେଦନଶୀଳ ମାମଲାରେ ହୋଲ୍‌ଡି˚ ଆଇଓ ନିଯୁକ୍ତ କରାଯାଉ ନ ଥିବାରୁ ଗୁରୁତ୍ବପୂର୍ଣ୍ଣ ମାମଲାର ଭାଗ୍ୟ ଅନିଶ୍ଚିତତା ଭିତରେ ରହିଯାଉଛି। ଏଥିପାଇଁ ପ୍ରତ୍ୟେକ ଦିନ ‘କ୍ରାଇମ୍‌ ଆନାଲିସିସ୍‌ ଵିଙ୍ଗ’ ଅଧିକାରୀ ଜିଲ୍ଲା ସ୍ତରରେ ଥିବା ଆଇଓଙ୍କୁ କିଭଳି ମାମଲାର ପ୍ରମାଣ ସ˚ଗ୍ରହ ଓ ପରିଚାଳନା କରାଯିବ, ସେ ନେଇ ପରାମର୍ଶ ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର