ଖୋଲୁଛି ମଠ ଦରବାରର ରହସ୍ୟ : ଆଗରେ ମଠ, ପଛରେ କଳା କାରବାର

କୋଲକାତାରେ ପ୍ଲଟ, ଉଟି, ହାଇଦ୍ରାବାଦରେ ହୋଟେଲ; ରାଜନେତା, ଅଫିସର, ଯନ୍ତ୍ରୀ ଛାନିଆ, ଲୁଚାଇଦେଲେଣି ସଂପତ୍ତି, ଛପିଗଲେ ସହଯୋଗୀ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଛାତି ଉପରେ ଚାଲିଥିଲା ମଠ। ବାହାରେ ଏକ ଫଳକ ଝୁଲୁଥିଲା, ଯେଉଁଥିରେ ଲେଖାଯାଇଥିଲା- ମହିଳାଙ୍କୁ ଭିତରେ ପ୍ରବେଶ ମନା, ମଦ ବି। ଏମିତି ଦରବାର ଚାଲିଥିଲା। ସମସ୍ତେ ବିଶ୍ୱାସ କରୁଥିଲେ, ଦଶନ୍ଧି ଧରି ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର ସତରେ ବାଲ୍ମିକୀଙ୍କ ଭଳି ପରିବର୍ତନ ହେବାରେ ଲାଗିଛି।

ହେଲେ ତା’ ଆଢୁଆଳରେ ବିଶାଳ ଆଡ୍ଡା, ଭାଇଗିରି, ବିଳାସପୂର୍ଣ୍ଣ ଜୀବନଶୈଳୀ, କୋଟି କୋଟି ରୋଜଗାର ନିଶା ଟିଟୋ ଓରଫ୍‌ ସୟଦ ଉସ୍‌ମାନ ଅଲ୍ଲୀ ମୁଣ୍ଡରେ ଚଢ଼ିଛି, ଏ କଥାର କେହି ସୁରାକ୍‌ ବି ସୁଦ୍ଧା ପାଉନଥିଲେ। ଦୁର୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର ଟିଟୋ ସଂପର୍କରେ ଖୋଳତା଼ଡ଼ କରିବା ବେଳେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ହାତରେ ପୁଣି ଏମିତି କିଛି ଚାଞ୍ଚଲ୍ୟକର ତଥ୍ୟ ଲାଗିଛି, ଯାହା ସେମାନଙ୍କର ଆଖି ଖୋସି ଦେଲାଣି। ଏଣୁ ଅପରାଧିକ ଦିଗ ସଂପର୍କରେ ତନାଘନା କରିବା ପୂର୍ବରୁ ଟିଟୋର ଆର୍ଥିକ ସାମ୍ରାଜ୍ୟ ସଂପର୍କରେ ଅଧିକ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି ତଦନ୍ତକାରୀ ଦଳ।

ଏପଟେ ମାମଲାର ଗମ୍ଭୀରତା ଓ ଟିଟୋର ବିଶାଳ କାରବାର ସଂପର୍କରେ ଜାଣିବା ପରେ ପୁଲିସ ମୁଖିଆମାନଙ୍କ ନିଦ ହଜିଗଲାଣି। ଏହି ମାମଲାର ସବୁ ଦିଗକୁ ତଦନ୍ତ ପରିସରଭୁକ୍ତ କରିବା ଲାଗି ଏସ୍‌ଟିଏଫ୍‌କୁ ନିର୍ଦେଶ ଯାଇଛି। କେବଳ ସେତିକି ନୁହେଁ, ହାତ ଗଣତି କେଇ ବର୍ଷ ମଧ୍ୟରେ ଟିଟୋ କିଭଳି ଏତେ ବଡ଼ ସାମ୍ରାଜ୍ୟ ସ୍ଥାପନ କଲା, ଟିଟୋକୁ ବିଭିନ୍ନ କାମରେ କେଉଁ ଅଧିକାରୀମାନେ ସାହାଯ୍ୟ କରୁଥିଲେ, ଏସଂପର୍କରେ ନିର୍ଦେଶ ପାଇବା ପରେ ଗତକାଲିଠାରୁ ପୁଲିସ ଅଧିକ ଖୋଳତାଡ଼ ଆରମ୍ଭ କରିଛି। ପୁଲିସ କହିଛି, ଟିଟୋ ପଛରେ କେଉଁ କେଉଁ ରାଜନେତାଙ୍କ ଆଶୀର୍ବାଦ ଥିଲା, ସେମାନଙ୍କ ସଂପର୍କରେ ମଧ୍ୟ ଖୁବ୍‌ଶୀଘ୍ର ତନାଘନା କରାଯିବ।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଟିଟୋ ସଂପର୍କରେ ପ୍ରତିଦିନ ପୁଳାପୁଳା ତଥ୍ୟ ହାତରେ ଲାଗୁଛି। ସେଗୁଡ଼ିକ ମଧ୍ୟରୁ କେଉଁଥିରେ ତା’ର କେତେ ଭୂମିକା ଅଛି, ତାହା ନିର୍ଣ୍ଣୟ କରାଯାଉଛି। ଉଟି ଓ ହାଇଦ୍ରାବାଦରେ ଟିଟୋର ହୋଟେଲ୍‌ ଥିବା ସଂପର୍କରେ ଅନୁଧ୍ୟାନ ଚାଲିଛି। କୋଲକାତାରେ ଦେଢ଼ କୋଟି ଟଙ୍କାର ଏକ ପ୍ଲଟ୍‌ ପାଇଛି ପୁଲିସ। ତା’ର ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କାର କାରବାର ହୋଇଛି। କେଉଁମାନଙ୍କୁ ଏହି ଟଙ୍କା ଦିଆଯାଇଛି, କେଉଁଠାରୁ ଆସିଛି, ତାହା ଉପରେ ଯାଞ୍ଚ ଚାଲିଛି।

ପ୍ରାରମ୍ଭିକ ଅନୁସନ୍ଧାନରେ ଟିଟୋ ଖାତାରେ ଆର୍ଥିକ କାରବାରରେ ବହୁ ଅନିୟମିତତା ସଂପର୍କରେ ସୁରାକ ମିଳିଲାଣି। ଏଇ ଯେମିତି ପେଟ୍ରୋଲ ପମ୍ପ ହେଉ କି କମ୍ପାନି ଆରମ୍ଭ କରିବା ସମୟରେ ଯେତିକି ପ୍ରାରମ୍ଭିକ ପୁଞ୍ଜି ବିନିଯୋଗ ହୋଇଛି, ସେ ଟଙ୍କା କୁଆଡ଼ୁ ଆସିଲା, ଏ ନେଇ ମଧ୍ୟ ଟିଟୋ ଜେରା ବେଳେ ତଥ୍ୟ ଦେଇପାରୁନାହିଁ। କଳା ଟଙ୍କାକୁ ଧଳା କରିବା ଲାଗି ଟିଟୋ ଏକାଧିକ ବେପାରରେ ମୁଣ୍ଡ ଖେଳାଇଥିବା ସନ୍ଦେହ ଏବେ ଘନୀଭୂତ ହେଉଛି ବୋଲି ପୁଲିସ କହିଛି।

ଗ୍ୟାଙ୍ଗଷ୍ଟର ଟିଟୋ ଚଢୁଥିବା ଏକ ଅଡ଼ି କାର ଆଜି ଜବତ କରାଯାଇଛି। ଏହାର ମୂଲ୍ୟ ୫୦ଲକ୍ଷରୁ ଅଧିକ ହେବ ବୋଲି କୁହାଯାଇଛି। ପୁଲିସ ଖବର ପାଇଛି ଯେ ଟିଟୋ ପାଖାପାଖି କୋଟିଏ ଟଙ୍କାର ଆଉ ଏକ ଜାଗୁଆର ବି ଚଢ଼ୁଥିଲା। ହେଲେ ସେ ଗା଼ଡି ସଂପର୍କରେ କିନ୍ତୁ ଏବେ ସୁରାକ ମିଳୁନାହିଁ। ସେହିଭଳି ତା’ର ଇଂଲଣ୍ଡ ବୁଲେଟ୍‌ ଥିଲା। ତାହାର ମଧ୍ୟ ପତ୍ତା ମିଳୁନାହିଁ।

ପୁଲିସ କହିଛି, ଗ୍ୟାଙ୍ଗ୍‌ଷ୍ଟର ଟିଟୋର କଂପାନି ବେନଜିର୍‌ ଇନ୍‌ଫ୍ରାଷ୍ଟକଚର୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସ୍ପେସାଲ କ୍ଲାସ ଠିକାଦାର ଭଳି କାମ କରୁଥିଲା। ଅନ୍ୟ ସଂସ୍ଥା କଥା ଦୂରେ ଥାଉ, କେବଳ ଗୋଟିଏ ପ୍ରକଳ୍ପ ସୂଚାଉଛି, କେତେ ବିଶାଳ ଥିଲା ତା’ର କାରବାର। ରେଳ ପ୍ରକଳ୍ପ ଠିକାଦାରି କାମ ହାତେଇଥିବା ହାଇଦ୍ରାବାଦର ଏକ ବଡ଼ ସଂସ୍ଥାଠାରୁ ଟିଟୋ ସବ୍‌ଲେଟିଂରେ ମାଟି କାମ ଆଣିଥିଲା, ପାଖାପାଖି ୪୦୦ କୋଟି ହେବ। ଶତାଧିକ ହାଇଓ୍ଵା ଏହି ପ୍ରକଳ୍ପ କାମରେ ଲାଗିଥିଲା। ଏସବୁ ଟିଟୋର ନା ଅନ୍ୟ ସଂସ୍ଥାମାନେ ଲଗାଇଛନ୍ତି, ସେସବୁର ଯାଞ୍ଚ ଆରମ୍ଭ ହୋଇଛି। ଏହାବ୍ୟତୀତ ଓଡ଼ିଶା ଭିତରେ ନାମୀ ବେନାମୀ ଶହ ଶହ କୋଟି ଟଙ୍କାର କାରବାର ଟିଟୋ ମାଧ୍ୟମରେ ହେଉଥିବା ରେକର୍ଡ ପାଇଛି ପୁଲିସ।

ଅନ୍ୟପକ୍ଷରେ କେନ୍ଦ୍ରାପ଼ଡ଼ାରେ ଟିଟୋର କିଛି ଆଡ୍ଡାକୁ ଏବେ ବି ଜଗିଛି ପୁଲିସ। ହେଲେ ଶୁକ୍ରବାର ଯାଏ କେନ୍ଦ୍ରାପ଼ଡାର ଘୂରି ବୁଲୁଥିବା ଟିଟୋର କିଛି ପ୍ରମୁଖ ସହଯୋଗୀ ଗତକାଲିଠାରୁ ଫେରାର ହୋଇଯାଇଛନ୍ତି। ପ୍ରମାଣ ନଷ୍ଟ ଲାଗି ମଧ୍ୟ ସବୁ ପ୍ରକାର ଉଦ୍ୟମ ଆରମ୍ଭ ହୋଇଛି।

ଏଥିସହିତ ଆଜି ଟିଟୋର ପ୍ରଥମ ପାଞ୍ଚଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ଟିଟୋକୁ ଏହି ସମୟ ମଧ୍ୟରେ ଯେତେ ସବୁ ପ୍ରଶ୍ନ ପଚରାଯାଇଛି, ସେସବୁର ସିଧା ଉତ୍ତର ଦେବା ବଦଳରେ ସେ ବୁଲେଇ ବଙ୍କେଇ କହୁଛି ଓ ବିଶାଳ ଦରବାର ସଂପର୍କିତ ତଥ୍ୟକୁ ଢୋକି ଦେଉଛି। ଏହି ପରିପ୍ରେକ୍ଷୀରେ ଟିଟୋକୁ ପୁଣି ଥରେ ରିମାଣ୍ଡରେ ଆଣିବାକୁ ଏସ୍‌ଟିଏଫ୍‌ ଚିନ୍ତା କରୁଛି। ଯଦି କୋର୍ଟ ଅନୁମତି ଦିଅନ୍ତି, ତେବେ ଟିଟୋକୁ ରିମାଣ୍ଡରେ ଅଣାଯିବା ପରେ ପୁଲିସ ତା’ର ସହଯୋଗୀଙ୍କ ସହିତ ଏଥର ମୁହାଁମୁହିଁ ଜେରା ଆରମ୍ଭ କରିବ। କେବଳ ସେତିିକି ନୁହେଁ, କିଛି ଅଫିସର, ରାଜନେତାଙ୍କୁ ମଧ୍ୟ ଡକାଯାଇପାରେ ବୋଲି ସୂଚନା ମିଳିଛି।

ଏହି ଖବର ଜଣାପ଼ଡ଼ିବା ପରେ କିଛି ପ୍ରମୁଖ ଯନ୍ତ୍ରୀ, ଅଫିସର ଓ ରାଜନେତାଙ୍କ ମହଲରେ କମ୍ପନ ସୃଷ୍ଟି ହେଲାଣି। କାଳେ ସେମାନଙ୍କ ନାମ ପଦାକୁ ଚାଲିଆସିବ, ସେ ଚିନ୍ତାରେ ନିଦ ହଜିଗଲାଣି।

ଉଲ୍ଲେଖଯୋଗ୍ୟ, ଗତକାଲି ଏସ୍‌ଟିଏଫ୍‌ ତଥ୍ୟ ଦେଇଥିଲା ଯେ ଟିଟୋଠାରୁ ଯେଉଁ କାଗଜପତ୍ର ଜବତ ହୋଇଛି, ସେଥିରେ ତା’ର ଦୁଇ ଦୁଇଟି ପେଟ୍ରୋଲ ପମ୍ପ, ଠିକାଦାରିଠାରୁ ଆରମ୍ଭ କରି ବାଲିଖାଦାନ ନିଲାମ, ପଟ୍ଟାମୁଣ୍ଡାଇରେ ବାଇକ୍‌ ସୋ-ରୁମ୍‌, ପାରାଦୀପରେ ଷ୍ଟିଭେର୍ଡସ୍‌ କଂପାନି, ଗାର୍‌ମେଣ୍ଟ୍‌ସ, ମୋବାଇଲ୍‌ ସୋ-ରୁମ୍‌ ପର୍ଯ୍ୟନ୍ତ ଅନେକ କାରବାର ଥିବା ଜଣାପଡ଼ିଛି।

ବେନ୍‌ଜୀର ଇନ୍‌ଫ୍ରାର ଖୋଳତାଡ଼

କେନ୍ଦ୍ରାପଡ଼ା : ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଓରଫ୍‌ ସୟଦ ଉସ୍‌ମାନ ଅଲ୍ଲୀର ୫ ଦିନିଆ ରିମାଣ୍ଡ ଆଜି ଶେଷ ହୋଇଛି। ଆସନ୍ତାକାଲି ଟିଟୋକୁ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯିବ। ଅନ୍ୟପକ୍ଷରେ ସ୍ୱତନ୍ତ୍ର ଟାସ୍କଫେର୍ସ ରିମାଣ୍ଡ୍‌ରେ ନେଇଥିବା ଟିଟୋର ସହଯୋଗୀ ସେକ୍‌ ଚନ୍ନୋକୁ ଆଜି ସଂଧ୍ୟାରେ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ହାଜର କରାଯାଇଛି। ତା’ଠାରୁ ବିଶେଷ କିଛି ତଥ୍ୟ ମିଳି ପାରିନଥିବା ଜଣାପଡ଼ିଛି। ନିର୍ଦ୍ଦିଷ୍ଟ କେତେଜଣ ଠିକାଦାର ଓ ବ୍ୟକ୍ତିବିଶେଷ କିପରି ଟିଟୋ ଦରବାରକୁ ଆସୁଥିଲେ ସେ ନେଇ ଚନ୍ନୋ ତଥ୍ୟ ଓଗାଳିଛି। ଅର୍ଥ କାରବାର ସମ୍ପର୍କରେ ତା’ଠାରୁ ବିଶେଷ କିଛି ତଥ୍ୟ ମିଳିପାରି ନ ଥିବା ଜଣେ ଅଧିକାରୀ କହିଛନ୍ତି। ୫ଦିନିଆ ରିମାଣ୍ଡ୍‌ରେ ଅଣାଯାଇଥିବା ଚନ୍ନୋ ନିକଟରୁ ବିଶେଷ ତଥ୍ୟ ନ ମିଳିବାରୁ ତାକୁ ଆଜି ସଂଧ୍ୟାରେ ପୁଣି କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାକୁ ବାରିମୂଳ ଜେଲ୍‌କୁ ପଠାଇ ଦେଇଛନ୍ତି।

ଟିଟୋକୁ ୫ଦିନିଆ ରିମାଣ୍ଡ୍‌ରେ ରଖାଯିବା ସମୟରେ ସ୍ୱତନ୍ତ୍ର ଟାସ୍କଫୋର୍ସ ତା’ ଘର, ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ଭାଇମାନଙ୍କ ଘର ଉପରେ ଚଢ଼ଉ କରି କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି। କଟକରେ ଥିବା ଚାଟାର୍ଡ ଆକାଉଣ୍ଟ୍‌ସ୍‌ ଫାର୍ମ ‘ଗୌତମ ଆଣ୍ଡ୍‌ କୋ’ରେ ଚଢ଼ଉ କରିବା ପରେ ‘ବେନଜିର ଇନଫ୍ରା ପ୍ରାଇଭେଟ ଲିମିଟେଡ୍‌’ ନାମରେ ଟିଟୋ କରୁଥିବା ଶହ ଶହ କୋଟିର କାରବାର ସମ୍ପର୍କରେ ଟାସ୍କଫୋର୍ସକୁ ତଥ୍ୟ ମିଳିଛି। ଏହି କମ୍ପାନିର ପରିଚାଳନା ନିର୍ଦ୍ଦେଶିକା ଟିଟୋର ପତ୍ନୀ ବେନଜିର ବିବି ଥିବାବେଳେ ଡାଇରେକ୍ଟର ଅଛନ୍ତି ଭାଇ ସୟଦ ଜାଭେଦ୍‌ ଅଲ୍ଲୀ, ସୟଦ ଦିଲସାଦ୍‌ ଅଲ୍ଲୀ ଓ ସୟଦ୍‌ ଇମାମ ଅଲ୍ଲୀ। ସେମାନଙ୍କୁ ଏବେ ଖୋଜା ଚାଲିଛି। ବିଶାଳ ନେଟ୍‌ଓ୍ଵାର୍କର କୋଟି କୋଟି ଟଙ୍କା କାରବାର ପାଇଁ ମହାନଦୀ ବିହାରର ଏହି ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କ ଜରିଆରେ କାଗଜପତ୍ର କାମ କରାଯାଉଥିଲା। ସେଠାରୁ ମିଳିଥିବା ନଥିପତ୍ରକୁ ଏସ୍‌ଟିଏଫ୍‌ ଯାଞ୍ଚ କରୁଛି। ଏ ପର୍ଯ୍ୟନ୍ତ ଟିଟୋର କେନ୍ଦ୍ରାପଡ଼ାସ୍ଥିତ ସୟଦ ବ୍ରଦର୍ସ ଓ ପାରାଦୀପ ପେଟ୍ରୋଲ ପମ୍ପ୍‌, ରେଲେଓ୍ଵ ଠିକାଦାରୀ କାମର ନଥିପତ୍ର, କେନ୍ଦ୍ରାପଡ଼ା ବାଇପାସ୍‌ରେ ଥିବା ସମ୍ବଲ୍‌ ଟ୍ରେଡର୍ସ, ପଟ୍ଟାମୁଣ୍ଡାଇରେ ଥିବା ୟାମ୍‌ହା ସୋରୁମ୍‌, ସିମରନ୍‌ ଗାର୍ମେଣ୍ଟସ୍‌ ଓ ସୟଦ ବ୍ରଦର୍ସ ମୋବାଇଲ୍‌ ସୋ-ରୁମ୍‌ରେ ଚଢ଼ଉ କରାଯାଇ ସାରିଛି। ଅନ୍ୟପକ୍ଷରେ ଟିଟୋର ଭାଇମାନେ ମଧ୍ୟ ଚଳଚ୍ଚିତ୍ର ବ୍ୟବସାୟ କରୁଥିବା ସୁରାକ୍‌ ଏସ୍‌ଟିଏଫ୍‌କୁ ମିଳିଛି। ବିଶ୍ୱନାଥ ନାମରେ ଏକ ସିନେମାର ନିର୍ମାଣ କାମ ଚାଲିଥିବା ସମ୍ପର୍କରେ କେତେକ ନଥିପତ୍ର ପାଇବା ପରେ ତାର ଖୋଳତାଡ଼ ଆରମ୍ଭ ହୋଇଛି।

ଏସ୍‌ଟିଏଫ୍‌ ସ୍କାନର୍‌ରେ ଜିଲ୍ଲାପାର୍‌ ୩ ପ୍ରଶାସନିକ ଅଧିକାରୀ
୨୦୦୮ରୁ ଜିଲ୍ଲାର ବାଲି ଖାଦାନ୍‌ଗୁଡ଼ିକ ଟିଟୋ କବ୍‌ଜାରେ କିପରି ରହିଥିଲା ଏବଂ ଏଥିରେ ଯେଉଁ ତିନିଜଣ ପ୍ରଶାସନିକ ଅଧିକାରୀ ସହଯୋଗ କରିଥିଲେ ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ଏସ୍‌ଟିଏଫ୍‌। ଟିଟୋ ଯାହାକୁ ଚାହୁଁଥିଲା କେବଳ ସେହିମାନେ ହିଁ ବାଲି ଖାଦାନର ନିଲାମ୍‌ ପାଉଥିଲେ। ଏପରିକି ଯେଉଁମାନେ ବାଲି ଖାଦାନ ନିଲାମକୁ ବିରୋଧ କରୁଥିଲେ ସେମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରାଇବାର ବେଶ୍‌ କଳା ଜଣାଥିଲା ଟିଟୋକୁ।

ଟିଟୋ ‘ମଠ ଦରବାର’ର ସଦସ୍ୟ ଏବେ କେଉଁଠି ?
ଟିଟୋର ‘ମଠ ଦରବାର’ ତା’ର ବିଶାଳ ସାମ୍ରାଜ୍ୟକୁ ନିୟନ୍ତ୍ରଣ କରୁଥିଲା। ଟିଟୋର ଇସାରାରେ ହିଁ ଏଇଠୁ ଚାଲୁଥିଲା କୋଟି କୋଟି ଟଙ୍କାର କାରବାର। ଟିଟୋର ଭାଇ ସପୋ କୁଆଡ଼େ ଗୋଟେ ମୋର୍ଚ୍ଚା ସମ୍ଭାଳୁଥିଲା। ଏବେ ପୁଲିସ୍‌ ଟିଟୋ ଦରବାରର ସଦସ୍ୟମାନଙ୍କୁ ଖୋଜୁଛି। ଟିଟୋର ୫ ଭାଇ ଫେରାର ଥିବାବେଳେ କେନ୍ଦ୍ରାପଡ଼ାରୁ ହଠାତ୍‌ କେତେକ ବ୍ୟକ୍ତି ଫେରାର ହୋଇଯାଇଛନ୍ତି। ସେମାନଙ୍କ ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରିବା ଏସ୍‌ଟିଏଫ୍‌ ପାଇଁ କଷ୍ଟକର ହୋଇପଡ଼ିଛି।

ସମ୍ବନ୍ଧିତ ଖବର