ଡେବ୍ରିଗଡ଼ ଜଙ୍ଗଲରେ ମହାବଳ ବାଘ ଶିକାର ଘଟଣାରେ ଅଭିଯୁକ୍ତ ଶିକାରୀକୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌

ବରଗଡ଼: ଡେବ୍ରିଗଡ଼ ଅଭୟାରଣ୍ୟ ନିକଟସ୍ଥ ଜଙ୍ଗଲରୁ ଅକ୍ଟୋବର ୨୯ରେ ଜବତ କରାଯାଇଥିବା ମହାବଳର ଗଳିତ ମୃତଦେହ ଘଟଣାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଅଭିଯୁକ୍ତ ଶିକାରୀଙ୍କୁ ରିମାଣ୍ଡରେ ନେବ। ମହାବଳ ବାଘ ଶିକାର ଘଟଣାରେ କୌଣସି ମାଫିଆଙ୍କ ହାତ ଅଛି କି ନାହିଁ ଏହାର ତଦନ୍ତ ହେବ। ସେହିପରି ସିସିଟିଭି କ୍ୟାମେରା ହୋଇଥିବା ନେଇ ମଧ୍ୟ ତଦନ୍ତ ହୋଇପାରେ।

ମହାବଳ ବାଘର ପଞ୍ଜା ଏବଂ ନିଶ ଜବତ ହେବା ପରେ ଭଟଲି ଖଜରିଆ ଗାଁର ତହସିଲ ଭୋଇ, ସୁଶୀଳ ଭୋଇ, ସତ୍ୟ ପ୍ରଧାନ ଓ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେହପରି ଏହି ଘଟଣାରେ ବନ ବିଭାଗର ୨ ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି।

ବରଗଡ଼ ରେଂଜ ଅନ୍ତର୍ଗତ ଖଜୁରିଆ-ଦାମୋଦରପଡ଼ା ମଧ୍ୟସ୍ଥ ଜଂଗଲରୁ ଉଦ୍ଧାର ହୋଇଥିଲା ବାଘର ଗଳିତ ଶବ। ଶବଟି ନିକଟରେ ଡେବ୍ରିଗଡ଼ରେ ଦେଖା ଯାଇଥିବା ଏକମାତ୍ର ମହାବଳ ବାଘର ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା। ବିଭାଗୀୟ ମନ୍ତ୍ରୀ ଏପରିକି ବନ ବିଭାଗ ମଧ୍ୟ ଶବଟି ମହାବଳର ବୋଲି ମାନିବାକୁ ପ୍ରସ୍ତୁତ ନଥିଲେ। ବାଘକୁ ପୋତା ଯାଇଥିବା ସ୍ଥାନରୁ କିଛି ଦୂରରୁ ପଞ୍ଝା ଏବଂ ନିଶ ମିଳିବା ପରେ ତାହା ମହାବଳ ବାଘର ବୋଲି ସ୍ପଷ୍ଟ ହୋଇଛି। ଖୋଦ୍‌ ଆରସିସିଏଫ୍ ଓ.ପି ସିଂହ ଏହା ସ୍ପଷ୍ଟ କରିଛନ୍ତି। ବନ ବିଭାଗ ଜବତ କରିଥିବା ପଞ୍ଝା ଏବଂ ନିଶକୁ ଦେଖି ଶବଟି ମହାବଳ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର