ମାଟ୍ରିକ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲା: ଆଳିରେ କ୍ରାଇମବ୍ରାଞ୍ଚ୍‌ ଟିମ୍‌ର ଛାନ୍‌ଭିନ୍‌

ଆଳି: ମାଟ୍ରିକ ପରୀକ୍ଷାର ପ୍ରଥମ ଦିନର ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ସୋସିଆଲ ମିଡ଼ିଆରେ ଖବର ଭାଇରାଲ୍‌ ହୋଇଥିଲା। ଏହି ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ୍‌ ଟିମ୍‌ ଆଜି ଆଳିରେ ପହଞ୍ଚିଛନ୍ତି। କ୍ରାଇମବ୍ରାଞ୍ଚ ଟିମ୍‌ ପ୍ରଶ୍ନପତ୍ର ରହୁଥିବା ନୋଡ଼ାଲ କେନ୍ଦ୍ର, ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯାଇ ତନାଘନା ତଦନ୍ତ କରିବା ସହ ସନ୍ଦେହରେ କେତେକ ବ୍ୟକ୍ତି ଡାକି ପଚରାଉଚରା କରିଛନ୍ତି। ଅପରାହ୍ନ ୧ଟାରେ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଟିମ ଆଳିରେ ପହ଼ଞ୍ଚିଥିଲେ। ଏହାପରେ ସେମାନେ ବ୍ଲକ୍‌ର ୧୨ଟି ପରୀକ୍ଷା କେନ୍ଦ୍ର ପାଇଁ ପ୍ରଶ୍ନପତ୍ର ରହୁଥିବା ଆଳି ହାଇସ୍କୁଲ ନୋଡ଼ାଲ ସେଣ୍ଟର୍‌କୁ ଯାଇଥିଲେ। ପ୍ରଶ୍ନପତ୍ର ଦାୟିତ୍ୱରେ ଥିବା ଆଳି ହାଇସ୍କୁଲ ପରୀକ୍ଷାକେନ୍ଦ୍ର ନିରୀକ୍ଷକ ଭାସ୍କର ଚନ୍ଦ୍ର ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ପ୍ରଶ୍ନପତ୍ର ଭାଇରାଲ ସଂପର୍କରେ ପଚାରି ବୁଝିଥିଲେ। ପରେ ସେମାନେ ପ୍ରଶ୍ନପତ୍ର ରହୁଥିବା ଷ୍ଟ୍ରଙ୍ଗରୁମ୍‌ ସ୍ଥିତି ଅନୁଧ୍ୟାନ କରିବା ସହ ବ୍ଲକର ଅନ୍ୟ କେତେକ ପରୀକ୍ଷା କେନ୍ଦ୍ରରେ ପହଞ୍ଚି କେନ୍ଦ୍ର ନିରୀକ୍ଷକମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ। ଅପରପକ୍ଷରେ କ୍ରାଇମବ୍ରାଞ୍ଚ୍‌ ଅଧିକାରୀମାନେ ସାଇବର କ୍ରାଇମ ସୂତ୍ର ଆଧାରରେ ପ୍ରଶ୍ନପତ୍ର ଭାଇରାଲ୍‌ର କିଛି ଠୋସ ଆଧାର ପାଇଥିବା ଅନୁମାନ କରାଯାଉଛି। ଏହି ସୂତ୍ର ଆଧାରରେ ଅଧିକାରୀମାନେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଆଳି ଥାନାକୁ ଡକାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେରା କରୁଥିବା ଜଣାପଡ଼ିଛି। ସେହିପରି ଭାଇରାଲ ହୋଇଥିବା ପ୍ରଶ୍ନପତ୍ରର ଏକ ମୋବାଇଲ ନମ୍ବରକୁ ଆଧାର କରି ତଦନ୍ତ ଜାରି ରହିଥିବା ଅନୁମାନ କରାଯାଉଛି। ତେବେ ତଦନ୍ତ କରୁଥିବା ଅଧିକାରୀମାନେ ଏ ସମ୍ପର୍କିତ କୌଣସି ସୂଚନା ଗଣମାଧ୍ୟମକୁ ଦେଇ ନାହାନ୍ତି।

ସମ୍ବନ୍ଧିତ ଖବର