ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ହାଇକୋର୍ଟ ଯିବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପୁରୀ ଜିଲ୍ଲାର ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲା ନେଇ କ୍ରାଇମ୍‌ବ୍ରାଞ୍ଚ ହାଇକୋର୍ଟ ଯିବ ବୋଲି ସୋମବାର ଜଣାପଡ଼ିଛି। ତଳକୋର୍ଟଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ଖୁବ୍‌ ଶୀଘ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ। ଏନେଇ ଆଡଭୋକେଟ୍‌ ଜେନେରାଲଙ୍କ ସହ ପରାମର୍ଶ ଚାଲିଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, ଆଇନ୍‌ଗତ ପରିଚାଳନା ପାଇଁ ସ୍ୱତନ୍ତ୍ର କାଉନସିଲ ନିଯୁକ୍ତ କରାଯିବ। ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି।

ପିପିଲି ପୀଡିତା ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଆମ ପାଖରେ ଯଥେଷ୍ଟ ସାକ୍ଷ୍ୟ ପ୍ରମାଣ ଅଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ୱତନ୍ତ୍ର ଓକିଲ ନିଯୁକ୍ତି କରି ଆମେ ପୂରା ଯୋଜନାବନ୍ଧ ଭାବରେ ହାଇକୋର୍ଟରେ ଅପିଲ କରିବୁ। ପବ୍ଲିକ ପ୍ରସିକ୍ୟୁସନ ନିର୍ଦ୍ଦେଶକ ଓ ଏଜିଙ୍କ ଜରିଆରେ ଅପିଲ କରାଯିବ।

ସୂଚନାଯୋଗ୍ୟ ପିପିଲି ଗଣଦୁଷ୍କର୍ମ ମାମଲା ନେଇ ୨୦୧୮ ଡିସେମ୍ବର ୨୫ରେ ରାୟ ପ୍ରକାଶ ପାଇଥିଲା। ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ମାନ୍ୟବର ପ୍ରଥମ ଅତିରିକ୍ତ ଦୌରାଜଜ କୋର୍ଟ ଦୁଇ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଓ ସୁକାନ୍ତ ପ୍ରଧାନଙ୍କୁ ନିର୍ଦ୍ଦେଷରେ ଖଲାସ କରିଥିଲେ। କୋର୍ଟଙ୍କ ଏଭଳି ରାୟ ପରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଅନେକଙ୍କ ପ୍ରଶ୍ନ ଉଠିଥିଲା। ଏତେ ବଡ ଘଟଣାକୁ କ୍ରାଇମବ୍ରାଞ୍ଚ କେମିତି ହାଲୁକା ଢଙ୍ଗରେ ତଦନ୍ତ କଲା ଓ ତଦନ୍ତକାରୀ ଅଫିସର ଭୂମିକାକୁ ନେଇ ମଧ୍ୟ ଜନସାଧାରଣରେ ସନ୍ଦେହ କରାଯାଇଥିଲା।

ସମ୍ବନ୍ଧିତ ଖବର